ନୂଆାଦିଲ୍ଲୀ, ୨୦/୦୩ : ଗୁରୁବାର ଭୁଶୁଡ଼ି ପଡ଼ିଥିବା ସେୟାର ମାର୍କେଟ୍ ଶୁକ୍ରବାର ଉପରମୁହାଁ ହୋଇଛି। ସେନସେକ୍ସ ପ୍ରାୟ ୧ ହଜାର ପଏଣ୍ଟ ବଢିଥିବା ବେଳେ ନିଫ୍ଟିରେ ୩୦୦ ପଏଣ୍ଟ ବୃଦ୍ଧି ହୋଇଛି। ଗୁରୁବାର ସେନସେକ୍ସ ୭୪ ହଜାର ୨୦୦ରେ ବନ୍ଦ ହୋଇଥିବା ବେଳେ ଆଜି ୭୫ ହଜାର ୧୨୦.୨୨ରେ ବ୍ୟବସାୟ କରୁଛି। ସେହିପରି ନିଫ୍ଟି ୨୮୫ ପଏଣ୍ଟ ବଢି ୨୩୨୮୫ ରେ କାରବାର କରୁଛି।
ପୁଞ୍ଜି ବଜାର ଉଛୁଳିବା ଯୋଗୁଁ ଅଟୋ, ବ୍ୟାଙ୍କିଂ, ଆଇଟି, ମେଟାଲ, ରିୟଲ ଇଷ୍ଟେଟ୍, ଫାର୍ମା, କେମିକାଲ, ଏବଂ ଏନର୍ଜି ସେକ୍ଟରର ସେୟାର ବଢିଛି। ବଜାର ବର୍ତ୍ତମାନ ସକାରାତ୍ମକ ଅଛି, ନିଫ୍ଟି ମିଡକ୍ୟାପ୍ ୧୦୦ରେ ୧.୫୨ ପ୍ରତିଶତ ଏବଂ ନିଫ୍ଟି ସ୍ମଲକ୍ୟାପ୍ ୧୦୦ରେ ୦.୮୯ ପ୍ରତିଶତ ବୃଦ୍ଧି ପାଇଛି। ବିଏସଇ ଟପ୍ ୩୦ରେ ଏଚଡିଏଫସି ଏବଂ ବାଜାଜ ଫାଇନାନ୍ସ ଛାଡ଼ି ବାକି ସବୁ ସେୟାରରେ ବୃଦ୍ଧି ହୋଇଛି। ଟାଟା ଷ୍ଟିଲରେ ସବୁଠୁ ଅଧିକ ଲାଭ ହୋଇଛି।
କାହିଁକି ଉଛୁଳିଲା ପୁଞ୍ଜି ବଜାର ?
୧-ମଧ୍ୟପ୍ରାଚ୍ୟ ଯୁଦ୍ଧ ଭୟାବହତା ମଧ୍ୟରେ ଅଶୋଧିତ ତୈଳ ଦରରେ ସାମାନ୍ୟ ଆଶ୍ଵସ୍ତି ମିଳିଥିବା ଯୋଗୁଁ ବୈଶ୍ଵିକ ବଜାର ଏବେ ସ୍ଥିର ରହିଛି। ଗୁରୁବାର ଅଶୋଧିତ ତୈଳ ଏନର୍ଜି ପ୍ଲାଣ୍ଟରେ ଆକ୍ରମଣ ଯୋଗୁଁ ତୈଳ ଦର ବ୍ୟାରେଲ ପିଛା ୧୧୯.୧୩ ଡଲାରରେ ପହଞ୍ଚିଥିଲା। ହେଲେ ଆଜି ବ୍ରେଣ୍ଟ କ୍ରୁଡ୍ ଦର ବ୍ୟାରେଲ ପିଛା ୧୦୭ ଡଲାର ରହିଛି।୨- ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତନ୍ୟାହୁ କହିଛନ୍ତି ଯେ, ହୋର୍ମୁଜ୍ ଜଳପଥ ଖୋଲିବା ପାଇଁ ଆମେରିକାକୁ ସମର୍ଥନ କରିବେ। ଇରାନୀ ତୈଳ ଏବଂ ଗ୍ୟାସ୍ ଠିକଣା ଉପରେ ଆକ୍ରମଣ ହେବ ନାହିଁ। ଖୁବଶୀଘ୍ର ଯୁଦ୍ଧ ସରିବ।୩-ଗୁରୁବାର ଦିନ ଆମେରିକାର ଷ୍ଟକ୍ ମୂଲ୍ୟ ହ୍ରାସ ପାଇ ବନ୍ଦ ହୋଇଥିଲା, କିନ୍ତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ ଏହା ରିକୋଭରି ହୋଇଛି। ଆଜି ଏସୀୟ ବଜାରରେ ମଧ୍ୟ ଉତ୍ସାହ ପରିଲକ୍ଷିତ ହେଉଛି।
ଏହି ଖବରଟିକୁ ପଢନ୍ତୁ- ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ସେୟାର ବଜାରରେ ଝଡ଼, ଦିନକରେ ନିବେଶକ ହରାଇଲେ ୧୧.୫ ଲକ୍ଷ କୋଟି ଟଙ୍କା