ନୂଆଦିଲ୍ଲୀ,୧୩।୪: ପାକିସ୍ତାନରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ଆମେରିକା ହର୍ମୁଜ ପ୍ରଣାଳୀ ଉପରେ ନିୟନ୍ତ୍ରଣ ଦାବି କରିଛି। ଏହି ଘୋଷଣା ଭାରତୀୟ ଜାହାଜ ପାଇଁ ଅସୁବିଧା ବଢ଼ାଇ ଦେଇଛି। ହର୍ମୁଜରେ ବହୁ ସଂଖ୍ୟାରେ ଜାହାଜ ଫଶି ରହିଛନ୍ତି। ଏହା ଭିତରେ କେନ୍ଦ୍ର ସରକାର ହର୍ମୁଜରେ ଫଶିଥିବା ଭାରତୀୟ ଜାହାଜକୁ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମୁକେଶ ମଙ୍ଗଲ କହିଛନ୍ତି , ହରମୁଜରେ ୧୫ଟି ଭାରତୀୟ ଜାହାଜ ଫସି ରହିଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ କରୁଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବର୍ତ୍ତମାନ ଉପସାଗରୀୟ ଅଞ୍ଚଳରେ ସବୁ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି। ଗତ ୨୪ ଘଣ୍ଟାରେ ଭାରତୀୟ ପତାକା ଥିବା ଜାହାଜ ସହ କୌଣସି ଅପ୍ରିୟ ଘଟଣା ଘଟିଥିବାର ସୂଚନା ମିଳିନି। ସରକାର ସ୍ଥିତି ଉପରେ ଲଗାତାର ନଜର ରଖିଛନ୍ତି। ଜାହାଜ ଚଳାଚଳ ମନ୍ତ୍ରଣାଳୟ ଅନୁଯାୟୀ, ପର୍ସିଆନ୍ ଉପସାଗରର ପଶ୍ଚିମ ଭାଗରେ ଏବେ ବି ୧୫ଟି ଭାରତୀୟ ପତାକାଧାରୀ ଜାହାଜ ଫସି ରହିଛି। ଏଥିରେ ଗୋଟିଏ ଏଲଏନଜି ଜାହାଜ, ଗୋଟିଏ ଖାଲି ଏଲପିଜି ଜାହାଜ, ଛଅଟି ଅଶୋଧିତ ତୈଳ ଟ୍ୟାଙ୍କର୍ (ପାଞ୍ଚଟି ପୂର୍ଣ୍ଣ ଏବଂ ଗୋଟିଏ ଖାଲି), ତିନୋଟି କଣ୍ଟେନର୍ ଜାହାଜ, ଗୋଟିଏ ଡ୍ରେଜର ଏବଂ ଗୋଟିଏ ରାସାୟନିକ କାର୍ଗୋ ଜାହାଜ ରହିଛି। ଭାରତୀୟ ନୌସେନା ଏହି ଜାହାଜଗୁଡ଼ିକୁ ସୁରକ୍ଷିତ ଭାବରେ ଖାଲି କରିବା ପାଇଁ ଲଗାତାର ଚେଷ୍ଟା ଜାରି ରଖିଛି।

ଯୁଦ୍ଧ ଆରମ୍ଭ ହେବା ମାତ୍ରେ ଭାରତୀୟ ନୌସେନା ଏକ ଅତିରିକ୍ତ ଟାସ୍କ ଫୋର୍ସ ଗଠନ କରିଥିଲା। ନୌସେନା ପାରସ୍ୟ ଉପସାଗରରେ ପ୍ରବେଶ କରୁନାହିଁ, କିନ୍ତୁ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଭାରତୀୟ ଜାହାଜଗୁଡ଼ିକୁ ନାଭିଗେସନ୍ ଏବଂ ଯୋଗାଯୋଗ ସହାୟତା ଯୋଗାଇ ଦେଉଛି। ଜାହାଜଗୁଡ଼ିକ ହର୍ମୁଜ୍ ପ୍ରଣାଳୀ ଦେଇ ଯିବା ପରେ, ନୌସେନା ଜାହାଜଗୁଡ଼ିକ ସେମାନଙ୍କୁ ଓମାନ ଉପସାଗର ଦେଇ ସୁରକ୍ଷିତ ଭାବରେ ସୁରକ୍ଷା ଦେଇ ଉତ୍ତର ଆରବ ସାଗରକୁ ନେଇଯାଏ। ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ପ୍ରତିରକ୍ଷା ମୁଖ୍ୟ ଏବଂ ନୌସେନା ମୁଖ୍ୟ ବ୍ୟକ୍ତିଗତ ଭାବରେ ଏହି ଅଭିଯାନ ଉପରେ ନଜର ରଖିଛନ୍ତି।

ଏହା ଭିତରେ ସବୁଠାରୁ ବଡ଼ ଆଶ୍ବସ୍ତିର କଥା ହେଲା ଭାରତୀୟ ଜାହାଜ ‘ଜଗ ବିକ୍ରମ’ ଏଲପିଜି ନେଇ ୧୧ ଏପ୍ରିଲରେ ହର୍ମୁଜ ପାର କରିସାରିଛି। ଏହି ଜାହାଜ ୨୦,୪୦୦ ମେଟ୍ରିକ୍ ଟନ୍ ଗ୍ୟାସ୍ ଏବଂ ନାବିକଙ୍କ ସହ ୧୪ ଏପ୍ରିଲରେ ଭାରତର କାଣ୍ଡଲା ବନ୍ଦରରେ ପହଁଞ୍ଚିବ। ବର୍ତ୍ତମାନ ଭାରତର ସବୁ ବନ୍ଦରର ସଞ୍ଚାଳନ ସମ୍ପୂର୍ଣ୍ଣ ସ୍ବାଭାବିକ ରହିଛି। କୌଣସି ପ୍ରକାର ସମସ୍ୟା ନାହିଁ। ଭାରତରେ ଥିବା ଇରାନର ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ସୋମବାର କହିଛନ୍ତି, ଇରାନ ହର୍ମୁଜରୁ ଜାହାଜର ଯିବା ଆସିବା କରିବାରେ ଭାରତ ସହ ଯୋଗାଯୋଗରେ ଅଛି। ସେ କହିଛନ୍ତି, ଇରାନର ଭାରତ ସହିତ ଭଲ ସମ୍ପର୍କ ରହିଛି ଏବଂ ଭାରତୀୟ ଜାହାଜଗୁଡ଼ିକୁ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରିବାରେ ସାହାଯ୍ୟ କରିବାକୁ ଚାହୁଁଛି। ସେ ଏହା ମଧ୍ୟ କହିଛନ୍ତି ଯେ ଇରାନ ହରମୁଜ୍ ପ୍ରଣାଳୀ ଦେଇ ପରିବହନ କରୁଥିବା ଭାରତୀୟ ଟ୍ୟାଙ୍କରଗୁଡ଼ିକଠାରୁ କୌଣସି ଟୋଲ୍ ଆଦାୟ କରିନାହିଁ।