ରାସ୍ତାରେ ବେପାର, ଯାତାୟାତରେ ଦହଗଞ୍ଜ

ଅନୁଗୁଳ,୧୮/୫ : ରାଜରାସ୍ତା କାହାରି ଜାଗିର୍ ନୁହଁ, ସର୍ବସାଧାରଣଙ୍କର । ଲୋକଙ୍କ ଯାତାୟାତ ଓ ଗାଡ଼ିମଟର ଚଳାଚଳ ପାଇଁ ନିର୍ମାଣ ହୋଇଛି ରାସ୍ତା । ହେଲେ ଅନୁଗୁଳ ବଜାର ରାସ୍ତାକୁ ପୈତୃକ ସମ୍ପତ୍ତି ଭାବି ଦେଇଛନ୍ତି କିଛି ବ୍ୟବସାୟୀ । ବେପାର ଲୋଭ ଏମିତି ଘାରିଛି ଯେ, ରାସ୍ତାର ୪ ଫୁଟ ପଯ୍ୟନ୍ତ ମାଡି ଆସି ପସରା ମେଲାଉଛନ୍ତି । ଚାଲିବାକୁ ବାଟ ଥାଉ କି ନଥାଉ, ପରୱା ନାହିଁ । ଦୋକାନୀମାନଙ୍କ ଏଭଳି ଜବରଦଖଲ ପାଇଁ ରାସ୍ତା ସଙ୍କୀର୍ଣ୍ଣ ହେଉଛି । ଟ୍ରାଫିକ୍ ଯନ୍ତ୍ରଣାରେ ଜନଜୀବନ ପେଷି ହୋଇଗଲେଣି । ହେଲେ ବିଡ଼ମ୍ବନାର ବିଷୟ, ପୌରପାଳିକା କି ଟ୍ରାଫିକ୍ ପୁଲିସ୍ ଏନେଇ ଉଁ ଚୁଁ କିଛି କହୁନାହାନ୍ତି । ପୌରପାଳିକା ଉଚ୍ଛେଦ ତ ଦୂର କଥା, ଅମାନିଆ ଦୋକାନୀମାନଙ୍କୁ ତାଗିଦ୍ ମଧ୍ୟ କରୁନି । ଫଳରେ ସେମାନଙ୍କ ସାହସ ବଢ଼ିବା ସହିତ ଧିରେ ଧିରେ ଜବରଦଖଲର ସୀମା ବଢ଼ି ବଢ଼ି ଚାଲିଛି ।
ଅନୁଗୁଳ ବଜାର ରାସ୍ତାରେ ବ୍ୟବସାୟୀଙ୍କ ଏଭଳି ମନମାନି ଯୋଗୁଁ ଟ୍ରାଫିକ୍ ସମସ୍ୟା ବିଗିଡିଗଲାଣି । ପରିସ୍ଥିତି ଏମିତି ଯେ ଚାଲିବାକୁ ଲୋକ ବାଟ ପାଉନାହାନ୍ତି । ଦିନବେଳା ଯାହା ଯେମିତି ଲୋକ ଦହଗଞ୍ଜ ହେଉଥିବା ବେଳେ ସନ୍ଧ୍ୟା ସମୟରେ ଦୁର୍ଦ୍ଦଶା ବଢ଼ିଯାଉଛି । ରାସ୍ତା ମଝିରେ ଗାଡ଼ି ପାର୍କିଂ, ଦୁଇ ପାଶ୍ୱର୍ରେ ଦୋକାନୀଙ୍କ ଜବରଦଖଲ ରାସ୍ତାକୁ ଅଣଓସାରିଆ କରିଦେଇଛି । ପୌରପାଳିକାଠାରୁ ଆରମ୍ଭ ହୋଇଯାଇଛି ଦୋକାନୀଙ୍କ ଜବରଦଖଲ । ଜେଲ୍ ସମ୍ମୁଖ ରାସ୍ତାକୁ ଉଠା ଦୋକାନୀ କବ୍ଜା କରିଛନ୍ତି । ଏହାପରେ ମେଡିକାଲ୍ ଛକରୁ ବଜାର ଛକ ପର୍ଯ୍ୟନ୍ତ ଅଧିକାଂଶ ଦୋକାନୀ ରାସ୍ତା ଉପରକୁ ମାଡ଼ି ଆସି ବେପାର ଚଳାଉଛନ୍ତି । ନିୟମ ମୁତାବକ, ପୌରପାଳିକାର ଏହି ଦୋକାନ ଘରର ବାରଣ୍ଡା ବି ଦୋକାନମାଲିକଙ୍କର ନୁହଁ । ଏହା ସର୍ବସାଧାରଣଙ୍କର । ମାତ୍ର ଏହି ବାରଣ୍ଡାରୁ ନେଇ ଡ୍ରେନ୍, ଏମିତିକି ରାସ୍ତାର ୪ ଫୁଟ୍ ପର୍ଯ୍ୟନ୍ତ ମାଡି ଦୋକାନୀ ପସରା ମେଲାଇଛନ୍ତି ।

ସଞ୍ଜିବନୀ ମାର୍କେଟ୍ରେ ପ୍ରାୟ ସମସ୍ତ ଇଲେକ୍ଟ୍ରିକାଲ୍ ଦୋକାନ ଉଭା ରାସ୍ତା ଉପରେ ଫ୍ୟାନ୍, କୁଲର ଆଦି ରଖି ବେପାର କରୁଛନ୍ତି । ବଜାର ଭିତରେ ଷ୍ଟେସନାରୀ ଦୋକାନଠୁ ନେଇ ବର୍ତ୍ତନ ଭଣ୍ଡାର ଆଦି ରାସ୍ତାକୁ କବ୍ଜା କରି ବେପାର ଚଳାଇଛନ୍ତି । ଏଥିପାଇଁ ସାଙ୍ଘାତିକ ଟ୍ରାଫିକ ସମସ୍ୟା ଉପୁଜୁଥିଲେ ହେଁ ଏଥିପ୍ରତି କାହାର ନିଘା ନାହିଁ । ପୌର ପ୍ରଶାସନଠୁ ନେଇ ପୁଲିସ୍ ପର୍ଯ୍ୟନ୍ତ ସମସ୍ତେ ହାତବାନ୍ଧି ବସିଛନ୍ତି । ରାସ୍ତା ପ୍ରଶସ୍ତୀକରଣର ଲୋକଙ୍କ ଯାତାୟାତ ସୁବିଧା କରିବାକୁ ନା ବ୍ୟବସାୟୀଙ୍କ ପସରା ଖୋଲିବାକୁ ହୋଇଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ସହ ଯୋଗାଯୋଗ କରିବାରୁ କହିଛନ୍ତି, ଖୁବ୍ଶୀଘ ରାସ୍ତା ଉପରୁ ଜବରଦଖଲ ହଟାଯିବ । ଅପରପକ୍ଷରେ ପୌରପାଳିକାର ଏହି ଉଚ୍ଛେଦ ପ୍ରତିଶ୍ରୁତି କେବଳ ବାହାସ୍ଫୋଟ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଅତୀତରେ ପୌରପାଳିକା ବହୁବାର ବୀରଦର୍ପରେ ରାସ୍ତା ଉପରୁ ଜବରଦଖଲ ହଟାଇଥିଲେ ହେଁ ଏହି ଉଚ୍ଛେଦକୁ ନିୟମିତ କରାଯାଉନଥିବାରୁ ଦିନ କେଇଟା ପରେ ସ୍ଥିତି ‘ଯଥା ପୂର୍ବଂ…..’ ବୋଲି ଆଲୋଚନା ହେଉଛି ।