ବିଡିଓଙ୍କ ବଦଳି ଦାବିରେ ବ୍ଲକ ଅଫିସ ଘେରାଉ, ମନମୁଖୀ କାର୍ଯ୍ୟ ଓ ବିକାଶରେ ବାଧକ ସାଜିଥିବା ଅଭିଯୋଗ

କୋଇଡ଼ା, ୧୪/୦୩ : ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ବିଡିଓ ପଲ୍ଲବୀ ରାଣୀ ରାଜ ସମସ୍ତ ବିକାଶ କାର୍ଯ୍ୟକୁ ଠପ୍ କରିଥିବା ଅଭିଯୋଗ ନେଇ ଭାରତୀୟ କମ୍ୟୁନିଷ୍ଟ ପାଟି ପକ୍ଷରୁ “ବିଡିଓ ହଟାଓ କୋଇଡା ବଞ୍ଚାଅ” ନାରା ଦେଇ ୧୪ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ବିକ୍ଷୋଭ, ଗଣଧାରଣା ଓ ଅର୍ଥନୈତିକ ଅବରୋଧର ଡାକରା ଦିଆଯାଇଛି। ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ବ୍ଲକରେ ଗୋଷ୍ଠି ଉନୟନ ଅଧିକାରୀ ଥିବା ସମୟରେ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନାର ସମସ୍ତ ପାଇଖାନା ଟଙ୍କାକୁ ଆତ୍ମସାତ କରିବା ଅଭିଯୋଗରେ ବଦଳି କୋଇଡା ବ୍ଲକକୁ ଆସିଥିଲେ I ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ବାବଦରେ ଆସିଥିବା ଟଙ୍କା ସରିଥିଲେ ମଧ୍ୟ ବିଲ ପୈଠ ନକରିବା, ପିସି ନାମରେ ଠିକାଦାରଙ୍କୁ ହଇରାଣ ହରକତ କରିବା ଓ ଅଶାଳୀନ ବ୍ୟବହାର କରିଆସୁଛନ୍ତି।

ଗ୍ରାମପଞ୍ଚାୟତକୁ ଆସୁଥିବା କାମର ବିଲ ପୈଠ ନକରିବା ଓ ପଞ୍ଚାୟତ ତରଫରୁ ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରି କରାଇ ନଦେବା ଫଳରେ କୋଟି କୋଟି ଟଙ୍କା ପଡି ରହୁଛି I ଏହା ଫଳରେ ବ୍ଲକର ବିକାଶକାର୍ଯ୍ୟ ଠପ୍ ହୋଇଯାଇଛି I ଇତି ମଧ୍ୟରେ ବିଡିଓଙ୍କ ଦୁର୍ନୀତି ଓ ପଦର ଅପବ୍ୟବହାର ଉପରେ ବାରମ୍ବାର ଦାବିପତ୍ର ଓ ଅଭିଯୋଗ ବିଭିନ୍ନ ସ୍ତରରେ ହେବା ଯୋଗୁଁ ରାଜ୍ୟ ସରକାର ବିଭାଗୀୟ ଚିଠିରେ ତାଙ୍କୁ କୋଇଡା ବ୍ଲକରୁ ବରଗଡ଼ ଜିଲ୍ଲା ରାସବୋରାସମ୍ବର ବ୍ଲକକୁ ବଦଳି ହେବା ସତ୍ତ୍ଵେ ଚଞ୍ଚକତା କରି ନିଜ ବଦଳିକୁ ବାତିଲ କରିବାରେ ସଫଳ ହୋଇଥିଲେ I ଏଣୁ କୋଇଡା ବ୍ଲକର ବିକାଶ ଧାରାକୁ ଆଗେଇ ନେବା ପାଇଁ ଏହି ଧାରଣା ବିକ୍ଷୋଭକୁ ସଫଳ କରିବା ପାଇଁ ସମସ୍ତ ଜନସାଧାରଣଙ୍କୁ କମ୍ୟୁନିଷ୍ଟ ପାଟି ତରଫରୁ ବିନମ୍ର ଅନୁରୋଧ କରାଯାଇଛି I ଆଜିର ବିକ୍ଷୋଭରେ ବଣାଇ ଏମଏଲଏ ଲକ୍ଷ୍ମଣ ମୁଣ୍ଡା, ପ୍ରଭାତ ପଣ୍ଡା, ଅଶୋକ ସାମଲ ଓ ଶତାଧିକ କର୍ମୀ ଉପସ୍ଥିତ ଥିଲେ I ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କୋଇଡା ଆଇଆଇସି ଲୋକେଶ୍ୱର ସାହୁ, କୋଇଡା ତହସିଲଦାର ଡିଏସ ସୁଭଦର୍ଶୀ ଯୋଶୀ ଓ କୋଇଡା ପୋଲିସ ବାହିନୀ ଉପସ୍ଥିତ ଥିଲେI