ଦଶମନ୍ତପୁର ୨୪/୦୫: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡ଼ା ପଞ୍ଚାୟତ ଅଧିନସ୍ଥ ଚକର୍ଲି ପୁଟ ଗାଁର ପ୍ରାଥମିକ ସ୍କୁଲ ବନ୍ଦ ହୋଇଯାଇଛି। ଏଥିପାଇଁ ଅନ୍ୟ ଗାଁ'ରେ ଥିବା ସ୍କୁଲ ଯିବାକୁ ମୁହଁ ମଡ଼ୁଛନ୍ତି ଛାତ୍ରଛାତ୍ରୀ। ଧିରେ ଧିରେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧର ଆଡ଼କୁ ଠେଲି ହୋଇ ଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ସ୍କୁଲ ଆଉ ଥରେ ଖୋଲା ଗଲେ, ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଗାଁ ବରିଷ୍ଠ ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ, ତାଙ୍କ ଗାଁ ରେ ୩୫ ପରିବାର ଆଦିବାସୀ ଓ ଅନ୍ୟ କେତେକ ସମ୍ପ୍ରଦାୟର ଲୋକ ମାନେ ବସବାସ କରନ୍ତି। ଜନ ସଂଖ୍ୟା ପାଖାପାଖି ୨୫୦ ହେବେ।
ସୂଚନା ଅନୁସାରେ ଗତ ୨୦୦୩ ମସିହାରେ ଏହି ଗାଁ ସ୍କୁଲ ସ୍ଥାପିତ ହୋଇ ଥିଲା। ଏଠାରେ ସେ ସମୟରେ ୨୫ ରୁ ୩୦ ପିଲା କୁ ନେଇ ପାଠ ପଢ଼ା ଆରମ୍ଭ ହୋଇ ଥିଲା। ପିଲା ମାନେ ହସଖୁସିରେ ଗାଁ ସ୍କୁଲରେ ଯାଇ, ଦି ଅକ୍ଷର ପାଠ ପଢ଼ି ପାରୁଥିଲେ। ବର୍ତ୍ତମାନ ସ୍କୁଲ ବନ୍ଦ ହୋଇ ଯିବାରୁ ପିଲାଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇ ଯାଉଛି। ଗ୍ରାମବାସୀମାନେ କହିଛନ୍ତି ଯେ, ଗତ ଦୁଇ ବର୍ଷ ତଳେ, କମ୍ ପିଲା ଥିବା ଦର୍ଶାଇ, ସ୍କୁଲକୁ ବନ୍ଦ କରିଦିଆଯାଇଥିଲା। ଏହା ପରେ, ଆଦିବାସୀ ପିଲା ମାନଙ୍କୁ, ବିଭିନ୍ନ ଆଶ୍ରମ ସ୍କୁଲ ମାନଙ୍କରେ ଛାଡ଼ି ଦେଲେ। କିନ୍ତୁ ଓବିସି ପିଲା ବୋଲି, ଦରା ସମ୍ପ୍ରଦାୟର ପିଲାଙ୍କୁ କୈାଣସି, ଆଶ୍ରମ ସ୍କୁଲରେ ନାଁ ଲେଖାଇ ବାକୁ ସ୍ଥାନ ମିଳିଲା ନାହିଁ।
ଅନ୍ୟ ପଟେ ଗାଁ ଠାରୁ ଦୁଇ କିମି ଦୂର ଥିବା ତାମିଲି ସ୍କୁଲକୁ ପିଲା ଯିବାକୁ ମୁହଁ ମଡ଼ୁଛନ୍ତି। ଛୋଟ ଛୋଟ ପିଲା, ଜଙ୍ଗଲ ରାସ୍ତା ଦେଇ, ଚାଲି ଯିବାକୁ ଭୟ କରୁଛନ୍ତି। ସବୁ ବେଳେ ଅଭିଭାବକ ମାନେ, ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଯିବା ପାଇଁ ସମ୍ଭବ ହେଉ ନାହିଁ। ପିଲାଙ୍କ ପାଠ ପଢାରେ ବାଧାସୃଷ୍ଟି ହେଉଥିବାରୁ ଅଭିଭାବକ ଚିନ୍ତାରେ ପଡ଼ିଥିବା କୁହାଯାଇଛି। ତେଣୁୁ ଚକର୍ଲି ପୁଟ ଗାଁର ପ୍ରାଥମିକ ସ୍କୁଲକୁ, ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ କରି,ଆଉ ଥରେ ଖୋଲିବାକୁ ଦାବି କରିଛନ୍ତି ଗ୍ରାମବାସୀ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏ ସମ୍ପର୍କରେ ବିଇଓ ଦୟା ସିନ୍ଧୁ ବାଘଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ତାଙ୍କ ଫୋନ ନ ଲାଗିବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।