ନୂଆଦିଲ୍ଲୀ : ଗୋଟେପଟେ ଟେକ୍ନୋଲଜି ଯେଉଁଠି ମଣିଷର ଜୀବନକୁ ସହଜ କରୁଥିବା ବେଳେ , ଅନ୍ୟପଟେ ଏହାର ବ୍ୟବହାର ମଧ୍ୟ ଖୁବ୍ ଜୋରରେ ବଢିବାରେ ଲାଗିଛି। ବିଶେଷକରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆସିବା ପରେ ଅନେକ ଏମିତି ଜିନିଷ ସାମ୍ନାକୁ ଆସିଛି, ଯାହାକି ସିଷ୍ଟମକୁ ହିଁ ଚ୍ୟାଲେଞ୍ଜ ଦେଇଛି। ଏବେ ଏକ ନୂଆ ରିପୋର୍ଟ ଶିକ୍ଷା ଜଗତରେ ଆତଙ୍କ ଖେଳାଇ ଦେଇଛି। ଚାଇନାରେ ଛାତ୍ରଛାତ୍ରୀ ଏଆଇ ଯୁକ୍ତ ସ୍ମାର୍ଟ ଚଷମାର ବ୍ୟବହାର କରି ପରୀକ୍ଷାରେ କପି କରୁଛନ୍ତି। ଏହା କୌଣସି ସାଧାରଣ ଚଷମା ନୁହେଁ  ବରଂ ଏମିତି ହାଇଟେକ୍ ଗ୍ୟାଜେଟ୍ , ଯାହା ପ୍ରଶ୍ନ ଗୁଡ଼ିକୁ ସ୍କାନ କରି ତୁରନ୍ତ ଉତ୍ତର ଆଖି ସାମ୍ନାରେ ଦେଖାଇ ଦିଏ, ତାହା ପୁଣି କେହି ଜାଣି ପାରନ୍ତି ନାହିଁ।

ଏହି ସ୍ମାର୍ଟ ଗ୍ଲାସ୍‌ରେ କ୍ୟାମେରା ଓ ଅଡିଓ ଫିଚର ସହ ଆଡଭାନ୍ସ ଏଆଇ ମଡେଲ ଯୋଡ଼ି ହୋଇ ଥାଏ। ଛାତ୍ରଛାତ୍ରୀମାନେ ଯେମିତି ହିଁ ପ୍ରଶ୍ନ କିମ୍ୱା ଟେକ୍ସଟକୁ ଦେଖନ୍ତି , ଚଷମା ତାକୁ ସ୍କାନ୍ କରି ଦିଏ ଏବଂ ଏଆଇ ସାହାଯ୍ୟରେ ଏହାର ଉତ୍ତର ପ୍ରସ୍ତୁତ କରିଦିଏ। ଏହି ଉତ୍ତର ସିଧା ଲେନ୍ସରେ ଦେଖା ଯାଏ। ଯାହାକୁ ବାହାରେ କେହି ଦେଖି ଜାଣିପାରନ୍ତି ନାହିଁ। ପ୍ରଥମେ ଏହି ଡିଭାଇସ ଓଜନିଆ ଓ ଅଜବ ଦେଖାଯାଉ ଥିଲା। ବର୍ତ୍ତମାନ ଜିଆମି ଓ ଅଲିବାବା ଭଳି କମ୍ପାନୀମାନେ ଏଗୁଡ଼ିକୁ ଏତେ ଷ୍ଟାଇଲିଶ୍ କରିଛନ୍ତି ଯେ, ଏହା ସାଧାରଣ ଚଷମା ଭଳି ଦେଖାଯାଏ। ଏହି କାରଣ କି ଏହାକୁ ଧରିବା ଖୁବ୍ ମୁସ୍କିଲ ହୋଇ ଯାଇଛି।

ଉକ୍ତ ଟେକନିକର ଶକ୍ତିର ଅନ୍ଦାଜ ଏକ ରିସର୍ଚ୍ଚ ଦ୍ୱାରା କରାଯାଇ ପାରେ। ହଂକଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟର ଏକ ପ୍ରୟୋଗରେ , ଏଆଇ ସ୍ମାର୍ଟ ଗ୍ଲାସ୍ ପିନ୍ଧି ଥିବା ଜଣେ ଛାତ୍ର ୧୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଟପ୍-୫ରେ ପହଞ୍ଚି ଥିଲେ। ସେ ୧୦୦ରୁ ହାରାହାରି ୯୨.୫ ଅଙ୍କ ହାସଲ କରିଥିଲେ। ଅନ୍ୟ ଛାତ୍ରଛାତ୍ରୀଙ୍କର ହାରାହାରି ସ୍କୋର ୭୨ ଥିଲା। ଏହି ଫଳାଫଳ ଦର୍ଶାଉଛି ଯେ , ଯଦି ଏହି ଟେକ୍ନୋଲଜିର ଅପବ୍ୟବହାର ଜାରି ରହେ, ତେବେ ଏହା ପରୀକ୍ଷା ବ୍ୟବସ୍ଥାର ନିରପେକ୍ଷତା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରି ପାରେ।

ଉକ୍ତ ଏଆଇ ସ୍ମାର୍ଟ ଗ୍ଲାସର ଦାମ୍ ୨୭୦ ଡଲାରରୁ ନେଇ ୧୦୦୦ ଡଲାର ଯାଏ ରହିଛି। ଯାହାକି ସବୁ ଷ୍ଟୁଡେଣ୍ଟଙ୍କ ପାଇଁ ସୁଲଭ ନୁହେଁ। କିନ୍ତୁ ଏକ ସମାଧାନ ବାହାରିଛି। ସେକେଣ୍ଡ ହ୍ୟାଣ୍ଡ ପ୍ଲାଟଫର୍ମରେ ଏହି ଚଷମାଗୁଡ଼ିକ ଭଡ଼ାରେ ମିଳୁଛି। ଏଥିପାଇଁ ପ୍ରତିଦିନ ୪୦ ରୁ ୮୦ ୟୁଆନ ( ପ୍ରାୟ ୫୦୦-୧୦୦୦ ଟଙ୍କା) ରେ ଏହାକୁ ବ୍ୟବହାର କରାଯାଇ ପାରିବ। ଜଣେ ଛାତ୍ର କହିଛନ୍ତି ଯେ , ସେ ଏହି ଚଷମାଗୁଡ଼ିକୁ ନକଲ ବା କପି କରିବା ପାଇଁ ବ୍ୟବହାର କରନ୍ତି ଏବଂ ତା'ପରେ ସେଗୁଡ଼ିକୁ ଅନ୍ୟମାନଙ୍କୁ ଭଡାରେ ଦିଅନ୍ତି। ଏକ ଛୋଟ ରିମୋଟ୍ ( ଯାହା ଏକ ମୁଦିପରି) ସାହାଯ୍ୟରେ ପ୍ରଶ୍ନଗୁଡ଼ିକୁ ସ୍କାନ କରି AIକୁ ପଠାଇ ଦିଅନ୍ତି ଏବଂ ଉତ୍ତର ଗୁଡ଼ିକ ତୁରନ୍ତ ମିଳିଯାଏ।

ଏହି ପୂରା ମାମଲାକୁ ନେଇ ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇ ଯାଇଛି ଯୁକ୍ତିତର୍କ। କିଛି ୟୁଜର ଏହାକୁ ଟେକ୍ନୋଲଜିର ବିପଜ୍ଜନକ ଭୁଲ୍ ବ୍ୟବହାର ଭାବେ ଦର୍ଶାଇଛନ୍ତି ଏବଂ କହୁଛନ୍ତି ଯେ, ଏଥିରେ ଶିକ୍ଷା ବ୍ୟବସ୍ଥାର ବିଶ୍ୱସନୀୟତା ଉପରେ ସିଧାସଳଖ ପ୍ରଭାବ ପଡ଼ିବ। ଆଉ କିଛି ଆଶ୍ଚର୍ଯ୍ୟ ପ୍ରକାଶ କରି ଲେଖିଛନ୍ତି –ଏବେ ପାଠପଢା ନୁହେଁ ସ ଗ୍ୟାଜେଟ୍ ଟପର କରିବ। କିଛି ୟୁଜର ମଜାଳିଆରେ କହିଛନ୍ତି , ଏବେ ପରୀକ୍ଷ ହଲରେ ଷ୍ଟୁଡେଣ୍ଟ ନୁହେଁ , ଏଆଇ ବସିବ।