ଶିକ୍ଷା ଋଣକୁ କଣ୍ଟା ଶିକ୍ଷିତ ବେକାର: ଗ୍ୟାରେଣ୍ଟର ରୁହନ୍ତୁ ପିତାମାତା, ଏନ୍ପିଏ କମିବ

ଭୁବନେଶ୍ୱର,୫ା୨(ବ୍ୟୁରୋ): ରାଜ୍ୟ ତଥା ଦେଶର ବହୁ ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷାଲାଭ ପରେ ବି ନିଯୁକ୍ତି ପାଇବାରେ ବିଫଳ ହେଉଛନ୍ତି । ଏହି ଶିକ୍ଷିତ ବେକାର ହିଁ ବ୍ୟାଙ୍କଗୁଡ଼ିକ ଦ୍ୱାରା ଶିକ୍ଷା ଋଣ ପ୍ରଦାନରେ ପ୍ରତିବନ୍ଧକ ସାଜୁଛନ୍ତି । ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ନିଜ ରିପୋର୍ଟରେ ଏଭଳି ସୂଚନା ଦେଇଛି ।
ନାବାର୍ଡ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ପ୍ରକାଶିତ ଷ୍ଟେଟ୍ ଫୋକସ୍ ପେପର୍ ମୁତାବକ, ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ୍ ୨୦୧୯-୨୦ରେ ଓଡ଼ିଶାକୁ ୧,୨୦୬ କୋଟି ୩୨ ଲକ୍ଷ ଟଙ୍କାର ଶିକ୍ଷା ଋଣ ଆବଶ୍ୟକ ହେବ । କିନ୍ତୁ ରାଜ୍ୟରେ ଶିକ୍ଷା ଋଣର ଟ୍ରେଣ୍ଡ ଯାହା କହୁଛି, ଏ ଲକ୍ଷ୍ୟର ଏକ ତୃତୀୟାଂଶ ପୂରଣ ହେବା କାଠିକର ହେବ ।
ତଥ୍ୟ ମୁତାବକ, ୨୦୧୭-୧୮ରେ ରାଜ୍ୟରେ ୧,୧୮୩ କୋଟି ଟଙ୍କାର ଶିକ୍ଷା ଋଣ ପ୍ରଦାନ ପାଇଁ ସୁଯୋଗ ରହିଥିଲା । କିନ୍ତୁ ଏ ଅବଧିରେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ କେବଳ ୪୦୮ କୋଟି ୪୪ ଲକ୍ଷ ଟଙ୍କାର ଶିକ୍ଷା ଋଣ ଯୋଗାଇ ଦେଇଥିଲେ । ସେହିଭଳି ଚଳିତ ଆର୍ଥିକ ବର୍ଷ ବ୍ୟାଙ୍କଗୁଡ଼ିକ ପାଇଁ ୧,୨୩୨ କୋଟି ଟଙ୍କାର ଶିକ୍ଷା ଋଣ ସୁଯୋଗ ରହିଛି । କିନ୍ତୁ ୨୦୧୮-୧୯ରେ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କଗୁଡ଼ିକ ପକ୍ଷରୁ କେତେ ପରିମାଣର ଶିକ୍ଷା ଋଣ ଯୋଗାଇ ଦିଆଯାଇଛି, ସେ ସମ୍ପର୍କରେ ସବିଶେଷ ତଥ୍ୟ ହାସଲ ହୋଇନାହିଁ ।
ଅପରପକ୍ଷରେ ନାବାର୍ଡ ନିଜ ଷ୍ଟେଟ୍ ଫୋକସ୍ ରିପୋର୍ଟରେ ଦର୍ଶାଇଛି, ବୈଷୟିକ ଶିକ୍ଷା ଗ୍ରହଣ ପରେ ବହୁ ଯୁବଗୋଷ୍ଠୀ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି । ଏଣୁ ସେମାନେ ପାଠପଢ଼ା ପାଇଁ ବ୍ୟାଙ୍କଗୁଡ଼ିକ ନିକଟରୁ ନେଇଥିବା ଋଣ ପରିଶୋଧରେ ବିଫଳ ହେଉଛନ୍ତି । ଫଳରେ ବ୍ୟାଙ୍କଗୁଡ଼ିକ ଶିକ୍ଷା ଋଣ ଦେବାକୁ ଅମଙ୍ଗ ହେଉଛନ୍ତି । ଏପରିକି ଘରୋଇ ବ୍ୟାଙ୍କଗୁଡ଼ିକ କେବଳ ଆଇଆଇଟି, ଆଇଆଇଏମ୍ ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବାକୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଋଣ ଦେବାକୁ ଆଗ୍ରହ ଦେଖାଉଛନ୍ତି ।
ରାଜ୍ୟରେ ଶିକ୍ଷା ଋଣ ପ୍ରତି ବ୍ୟାଙ୍କଗୁଡ଼ିକର ଆଗ୍ରହ ବଢ଼ାଇବା ଉଦ୍ଦେଶ୍ୟରେ ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ସହଯୋଗିତା ପାଇଁ ନାବାର୍ଡ ସୁପାରିସ କରିଛି । ଏହା କହିଛି, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ମିଳିତ ଭାବେ ଶିକ୍ଷା ଋଣ ଚାହିଦାକୁ ପରିଚାଳନା କରିବା ଉଚିତ । ପ୍ରକୃତ ପକ୍ଷେ ଶିକ୍ଷା ଋଣ ପାଇଁ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ହିଁ ଏହାର ଫାଇଦା ଦେବା ଆବଶ୍ୟକ ।
ବର୍ଦ୍ଧିତ ଶିକ୍ଷା ଋଣ ଖିଲାପୀ ରୋକିବାକୁ ବ୍ୟାଙ୍କଗୁଡ଼ିକ ଶିକ୍ଷା ଋଣ ପ୍ରଦାନ ବେଳେ ପିତାମାତାଙ୍କୁ ମଧ୍ୟ କୋ-ଗ୍ୟାରେଣ୍ଟର ରଖିବା ଉଚିତ । ଫଳରେ ଯଦି ଋଣକର୍ତ୍ତା ବକେୟା ପରିଶୋଧରେ ବିଫଳ ହେବେ, ତାଙ୍କ ପିତାମାତାଙ୍କ ନିକଟରୁ ଏହାକୁ ଅସୁଲ କରାଯାଇପାରିବ । ଏହାଦ୍ୱାରା ଶିକ୍ଷା ଋଣ ଅନାଦାୟ ଋଣ (ଏନ୍ପିଏ)କୁ କମାଯାଇପାରିବ ।
ଏହାବାଦ୍ ଶିକ୍ଷା ଋଣରେ ରହିଥିବା ଏନ୍ପିଏକୁ ସରକାର ସମୀକ୍ଷା କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୁପାରିସ କରି ନାବାର୍ଡ କହିଛି, ବ୍ୟାଙ୍କଗୁଡ଼ିକ ଶିକ୍ଷା ଋଣରେ ଟ୍ୟୁସନ୍ ଫି’ ଓ ଅନ୍ୟାନ୍ୟ ବ୍ୟୟକୁ ମଧ୍ୟ ସମ୍ପୃକ୍ତ କରିବା ଆବଶ୍ୟକ । ଏବେ ଶିକ୍ଷା ଋଣରେ ନାମଲେଖା ଓ ବାର୍ଷିକ ଫି’ ପ୍ରଭୃତି ସାମିଲ ରହିଛି ।