ବାଲେଶ୍ୱର ବିକାଶର ଦ୍ୱାର ଖୋଲିଲେ ମୁଖ୍ୟମନ୍ତ୍ରୀ: ୪ ବର୍ଷରେ ନିର୍ମାଣ ହେବ ସୁବର୍ଣ୍ଣରେଖା ବନ୍ଦର

source:www.livemint.com
ବାଲେଶ୍ୱର,୧୩ା୨(ଆ.ପ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବାଲେଶ୍ୱରବାସୀଙ୍କୁ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭେଟି ଦେଇଛନ୍ତି । ଏଥିରେ ରହିଛି ଜିଲ୍ଲା ଓ ରାଜ୍ୟ ବିକାଶର ମୁଖଶାଳା ସୁବର୍ଣ୍ଣରେଖା ବନ୍ଦର । ଓଡ଼ିଶା ଓ ଟାଟା ଷ୍ଟିଲ୍ର ମିଳିତ ସହଭାଗିତାରେ ଚୌମୁଖଠାରେ ହେବାକୁ ଥିବା ଏହି ବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପ୍ରକଳ୍ପରେ ମୋଟ ୫ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ମାତ୍ର ୪ ବର୍ଷ ଭିତରେ ବନ୍ଦରର ନିର୍ମାଣ କାମ ଶେଷ ହେବ ଓ ୧୨ ହଜାର ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି । ଏହି ବନ୍ଦର ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହେଲେ କେବଳ ବାଲେଶ୍ୱର କି ଓଡ଼ିଶା ନୁହେଁ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଉତ୍ତରପ୍ରଦେଶ ରାଜ୍ୟର ବାଣିଜ୍ୟିକ ବିକାଶ ହେବ । ବନ୍ଦରରେ ପ୍ରାଥମିକ ପର୍ଯ୍ୟାୟରେ ବାର୍ଷିକ ୨୫ ମିଲିୟନ ଟନ୍ ପଣ୍ୟ ପରିବହନ ହୋଇ ପରେ ଏହାର ପରିମାଣ ୫୫ ମିଲିୟନ ଟନ୍କୁ ବୃଦ୍ଧି ପାଇବ । ବହୁ ପ୍ରତିକ୍ଷୀତ ଉକ୍ତ ବନ୍ଦର ବାଲେଶ୍ୱରର ନୌବାଣିଜ୍ୟ ପରମ୍ପରାକୁ ପୁଣି ଉଜ୍ଜୀବିତ କରିବ ଓ ଜିଲ୍ଲା ତଥା ରାଜ୍ୟର ବିକାଶର ଦ୍ୱାର ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।
ସ୍ଥାନୀୟ ପୁଲିସ ପଡ଼ିଆରେ ଆୟୋଜିତ ଆଞ୍ଚଳିକ ବିଜୁ ଯୁବ ବାହିନୀ ସମାବେଶରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଚୌମୁଖ ବନ୍ଦର ପାଇଁ ଆପଣମାନେ ଖୁସି ତ ବୋଲି ପଚାରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ନସରୁଣୁ ଉପସ୍ଥିତ ୩୦ ହଜାରରୁ ଅଧିକ ଯୁବକ ଏକକାଳୀନ ଉତ୍ତର ଦେଇଥିଲେ³ ହଁ ଆମେ ଖୁସି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାମୁଳିଆରେ ଦ୍ୱିତୀୟ ଫ୍ଲାଏଓଭର ବ୍ରିଜ୍ ଉଦ୍ଘାଟନ କରିବା ସହ ବାଲେଶ୍ୱର ରିଂ ରୋଡ୍ ସମେତ ମୋଟ ୬୯୧ କୋଟି ଟଙ୍କା ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ । ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ ଯୁବକ ଯୁବତୀମାନଙ୍କୁ ପ୍ରିୟ ଭାଇ ଓ ଭଉଣୀମାନେ ବୋଲି ସମ୍ବୋଧନ କରିଥିଲେ । ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦୁଝର ଜିଲ୍ଲାରୁ ବିଜୁ ଯୁବ ବାହିନୀର ସମାବେଶକୁ ଆସି ସୁନ୍ଦର କାର୍ଯ୍ୟକ୍ରମ କରିଥିବାରୁ ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଥିଲେ । ଶେଷରେ ‘ବନ୍ଦେ ଉତ୍କଳ ଜନନୀ’ କହି ବକ୍ତବ୍ୟ ଶେଷ କରିଥିଲେ । ରାଜ୍ୟ ଯୁବ କଲ୍ୟାଣ ପରିଷଦର ଅଧ୍ୟକ୍ଷ ତଥା ବିଜୁ ଯୁବ ବାହିନୀ କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ବିଜୁ ଯୁବ ବାହିନୀ ଗଠନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।
ମୁଖ୍ୟମନ୍ତ୍ରୀ ଆଜି ଦିନିକିଆ ଜିଲ୍ଲା ଗସ୍ତରେ ଆସି ଦିନ ୧୨ଟାରେ ପ୍ରଥମେ ଭୋଗରାଇର ତାଳସାରୀ ବେଳାଭୂମି ମହୋତ୍ସବକୁ ଉଦ୍ଘାଟନ କରିଥିଲେ । ଏଥିସହ ସେଠାରେ ୭୫.୭୩ କୋଟି ଟଙ୍କାର ୨୧ଟି ପ୍ରକଳ୍ପର ଶିଳାନ୍ୟାସ ଓ ୭୫.୮୭ କୋଟି ଟଙ୍କାର ୧୨ଟି ପ୍ରକଳ୍ପର ଉଦ୍ଘାଟନ କରିଥିଲେ । ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଉତ୍ସବରେ ପୌରୋହିତ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀ ପ୍ରଥମେ ୫୭୮୨.୬୫ କୋଟି ଟଙ୍କାର ୪୩ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏଥିମଧ୍ୟରେ ୫ ହଜାର କୋଟି ଟଙ୍କାର ସୁବର୍ଣ୍ଣରେଖା ବନ୍ଦର, ପନ୍ତେଇ ଘାଟରେ ସୁବର୍ଣ୍ଣରେଖା ନଦୀ ଉପରେ ୧୮୯.୯୭ କୋଟି ଟଙ୍କାର ସୁଉଚ୍ଚ ସେତୁ, ନୀଳଗିରିରେ ୧୭୨.୯୧ କୋଟି ଟଙ୍କାର ମେଗା ପାଇପ ଜଳ ଯୋଗାଣ ରହିଛି । ସେହିପରି ୩୧୧.୧୪ କୋଟି ଟଙ୍କାର ୩୩ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତା’ଭିତରେ ରହିଛି ତାମୁଳିଆ ଫ୍ଲାଇ ଓଭର ବ୍ରିଜ୍, ସୋର ଫ୍ଲାଇ ଓଭର ବ୍ରିଜ୍ ଓ ଅଡା ଠାରେ ନିର୍ମିତ ୩୩/୧୧ କେଭି ଷ୍ଟ୍ରକ୍ଚର ।