ଭାର ଉତ୍ତୋଳନ ପ୍ରତିଯୋଗିତାରେ ମହିଳା କନଷ୍ଟେବଳଙ୍କୁ ରୌପ୍ୟ ପଦକ, ସମ୍ବର୍ଦ୍ଧିତ କଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି

କୋରାପୁଟ, ୨୮/୧୧ : ସର୍ବ ଭାରତୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ଭାଗ ନେଇ ଦ୍ଵିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ହାସଲ କରିଛନ୍ତି ଶୁଭସ୍ମିତା ମହାନ୍ତି। କୋରାପୁଟ ଜିଲ୍ଲା ପୁଲିସ ବିଭାଗରେ ସେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଛନ୍ତି। ସ୍ଥାନୀୟ ପୋଲିସ ମୁଖ୍ୟାଳୟରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ପୁନେ ଠାରେ ଅନୁଷ୍ଠିତ ୭୧ ତମ ପୋଲିସ ୱେଟ୍ ଲିଫ୍ଟିଂ ପ୍ରତିଯୋଗିତାରେ ଭାଗ ନେଇ ଏହି ସଫଳତା ପାଇଛନ୍ତି । ଆଗକୁ ସ୍ଵର୍ଣ୍ଣ ପଦକ ହାସଲ କରିବାକୁ ଉଦ୍ୟମ କରିବି ବୋଲି କହିଛନ୍ତି।
ସୂଚନାନୁଯାୟୀ, ଶୁଭସ୍ମିତା ମହାନ୍ତି ସକାଳୁ ହିରାଖଣ୍ଡ ଟ୍ରେନରେ କୋରାପୁଟ ପହଞ୍ଚିଥିବା ବେଳେ କୋରାପୁଟ ପୋଲିସ୍ ପକ୍ଷରୁ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ପରେ ପୋଲିସ ପଡିଆରେ ପୋଲିସ ବିଭାଗ ପକ୍ଷରୁ ଶୁଭସ୍ମିତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ସମ୍ବର୍ଦ୍ଧିତ କରିବା ସହ ଆଗକୁ ଅଧିକ ସଫଳତା ହାସଲ କରିବା ସକାଶେ ପୋଲିସ ବିଭାଗ ପକ୍ଷରୁ ଆନୁଷଙ୍ଗିକ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ସେହିପରି ପୋଲିସ ପଡ଼ିଆରେ ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ ଉପସ୍ଥିତ ରହି ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି।