ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ସବ୍‌ସ୍କ୍ରିପ୍‌ସନ ମାୟାଜାଲ, ଏହାର ବାସ୍ତବତାକୁ ଦେଖାଇଛି ନେଟ୍‌ଫ୍ଲିକ୍ସ ସିରିଜ୍‌ ‘ବ୍ଲାକ୍‌ ମିରର୍‌’

Published By : Prameya | June 28, 2025 2:40 PM

ମୁମ୍ବାଇ ୨୮/୦୬: ନେଟ୍‌ଫ୍ଲିକ୍ସର ସାଇନ୍ସ ଫିକ୍ସନ୍‌ ସିରିଜ୍‌ ‘ବ୍ଲାକ୍‌  ମିରର୍‌’ ଖୁବ୍‌ ଲୋକପ୍ରିୟ ହୋଇଛି ।  ନିକଟରେ ଏହାର ସିଜନ୍‌-୭ ରିଲିଜ୍‌ ହୋଇଛି, ଯାହାର ପ୍ରଥମ ଏପିସୋଡ୍‌ ଚହଳ ପକାଇଛି । ସବ୍‌ସ୍କ୍ରିପ୍‌ସନ୍‌ର ମାୟାଜାଲକୁ  ଏହା ଦେଖାଇଛି । ସବ୍‌ସ୍କ୍ରିପ୍‌ସନ ଜାଲ  କେମିତି ଲୋକଙ୍କୁ ବରବାଦ କରୁଛି, ତା’ର ମଧ୍ୟ ଝଲକ୍‌ ମିଳୁଛି । ଖାସ୍‌କରି ସ୍ୱାସ୍ଥ୍ୟସେବା ସବ୍‌ସ୍କ୍ରିପ୍‌ସନ ସର୍ଭିସ୍‌ କିଭଳି ବଡ଼ ବିପଦ  ହୋଇପାରେ, ଏଥିରେ ତାହା ଦର୍ଶାଯାଇଛି । ଏହି ଏପିସୋଡ୍‌କୁ ଦେଖିବା ପରେ ଗୋଟିଏ  କଥା ସ୍ପଷ୍ଟ ଯେ ସବ୍‌ସ୍କ୍ରିପ୍‌ସନ୍‌ର ଜାଲ ଭାରତରେ ମଧ୍ୟ ଲମ୍ବିଚାଲିଛି।  

କଳ୍ପନା କରନ୍ତୁ, ଦିନେ ସକାଳେ ଆପଣ ବିଛଣାରୁ ଉଠି ହୃଦୟଙ୍ଗମ  କରୁଛନ୍ତି ଯେ ଆପଣଙ୍କ ଜୀବନ ଏକ  ସବ୍‌ସ୍କ୍ରିପ୍‌ସନର ସେବା ହୋଇସାରିଛି । ଆପଣଙ୍କ ସ୍ୱାସ୍ଥ୍ୟ, ଉତ୍ତମ ନିଦ, ମୌଳିକ  ସ୍ୱାଧୀନତା, ଆପଣଙ୍କ ସମ୍ମାନ... ସବୁକିଛି  ମାସିକ ଶୁଳ୍କ ଉପରେ ନିର୍ଭର କରିବ । ଭଲ ଅନୁଭବ କରିବାକୁ ହେଲେ, ବୁଷ୍ଟର୍‌ ପ୍ୟାକ । ମୁଡ୍‌ ଭଲ କରିବା ପାଇଁ ବି ପ୍ୟାକ୍‌ ।  

ନେଟ୍‌ଫ୍ଲିକ୍ସର ‘ବ୍ଲାକ୍‌ ମିରର୍‌’  ସିଜନ୍‌-୭ର ପ୍ରଥମ ଏପିସୋଡ୍‌ ‘କମନ୍‌  ପିପୁଲ୍‌’ରେ ଏହି ଆଶ୍ଚର୍ଯ୍ୟଚକିତ ବାସ୍ତବତା ପ୍ରଦର୍ଶିତ ହୋଇଛି । ଏଥିରେ ଟେକ୍ନୋଲୋଜି  ଓ ସବ୍‌ସ୍କ୍ରିପ୍‌ସନ୍‌ ଧୀରେ ଧୀରେ ଲୋକଙ୍କ  ଜୀବନକୁ ନିଜ ନିୟନ୍ତ୍ରଣକୁ ନେଇ ଶୋଷଣ  କରୁଛି । ଏ ସିରିଜ୍‌ ପୂରାପୂରି କାଳ୍ପନିକ, କିନ୍ତୁ ବର୍ତ୍ତମାନ ସମୟରେ ଏହାର ଝଲକ୍‌  ଦେଖିବାକୁ ମିଳୁଛି ।  

ଏହି ଏପିସୋଡ୍‌ରେ ଆମାଣ୍ଡା ଓ ମାଇକ୍‌ ନାମରେ ଜଣେ ଦମ୍ପତି ଅଛନ୍ତି ।  ଆମାଣ୍ଡାଙ୍କୁ ଏକ ଗମ୍ଭୀର ରୋଗ ହୋଇଛି । ଉଭୟଙ୍କ ପାଖରେ ମାଗଣା ସ୍ୱାସ୍ଥ୍ୟସେବା ସବ୍‌ସ୍କ୍ରିପ୍‌ସନ ନେବା ବ୍ୟତୀତ ଅନ୍ୟ  ବିକଳ୍ପ ନାହିଁ । ମାଇକ୍‌ ଏହି ସେବା ନେଇ  ପତ୍ନୀଙ୍କୁ ବଞ୍ଚାଇଛନ୍ତି । ଆରମ୍ଭରେ ଏହା ଶସ୍ତା  ମନେହେଉଛି । କିନ୍ତୁ ଦମ୍ପତି ଖୁବ୍‌ଶୀଘ୍ର  କଦାପି ଶେଷ ହେଉନଥିବା ଚକ୍ର ମଧ୍ୟରେ  ଫସିଯାଉଛନ୍ତି । ଏପିସୋଡ୍‌ର କ୍ଲାଇମାକ୍ସ  ଅତ୍ୟନ୍ତ ଅନ୍ଧକାରମୟ ହୋଇଛି, କିନ୍ତୁ ପୂର୍ବାନୁମାନଯୋଗ୍ୟ ଓ ସତ ଲାଗୁଛି ।  ସମସ୍ତ ଆବଶ୍ୟକ ଫିଚର୍‌ ଯଥା ବିଜ୍ଞାପନ-ମୁକ୍ତ ଅନୁଭବ, ଭଲ କଭରେଜ୍‌  କିମ୍ବା ଦ୍ରୁତ ଚିକିତ୍ସା ସେବା... ସବୁ ପାଇଁ  ଆମାଣ୍ଡାଙ୍କୁ ପ୍ରିମିୟର ଟିୟର ନେବାକୁ  ପଡିଛି ।

ଏମିତିକି ଭଲ ନିଦ ପାଇଁ ମଧ୍ୟ  ସବ୍‌ସ୍କ୍ରିପ୍‌ସନ ଦେବାକୁ ପଡ଼ିଛି । ଖୁସି ଓ  ଭଲ ଅନୁଭବ କରିବା ପାଇଁ ଅଲଗା ବୁଷ୍ଟର୍‌  ପ୍ୟାକ୍‌ ବିକଳ୍ପ ମଧ୍ୟ ରହିଛି । ଅର୍ଥାତ୍‌ ଦିନକ  ପାଇଁ ଆପଣଙ୍କୁ ବହୁତ ଭଲ ଅନୁଭବ  କରିବାକୁ ହେଲେ, ଏଥିପାଇଁ ବୁଷ୍ଟର୍‌ ପ୍ୟାକ୍‌  ଆବଶ୍ୟକ । ଆପ୍‌ ଜରିଆରେ ମୁଡ୍‌ ବି  ନିୟନ୍ତ୍ରଣ ହୋଇପାରେ। ଏହି ସ୍ଥିତିରେ  ୟୁଜର୍‌ ଆର୍ଥିକ ଓ ଭାବନାତ୍ମକ ରୂପେ ଖାଲି  ହୋଇଯାଉଛନ୍ତି । କାରଣ ଏହି ସେବାସବୁ ସେମାନଙ୍କ ବାଧ୍ୟବାଧକତା ହୋଇସାରିଥାଏ । 

ଏ କାହାଣୀ କାଳ୍ପନିକ ମନେ ହେଉଥାଇପାରେ । କିନ୍ତୁ ବାସ୍ତବ ଦୁନିଆରେ  ଏହା ସବ୍‌ସ୍କ୍ରିପ୍‌ସନ ଜାଲ ଭଳି ଦ୍ରୁତ  ବ୍ୟାପୁଛି । ଆମାଜନ୍‌ ପ୍ରାଇମ୍‌ ଭିଡିଓର  ନୂଆ ବିଜ୍ଞାପନ-ମୁକ୍ତ ପ୍ଲାନ୍‌ ଏହାର  ସଦ୍ୟ ଉଦାହରଣ । ନିକଟରେ ଆମାଜନ୍‌  ଘୋଷଣା କରିଛି, ପ୍ରାଇମ୍‌ ଭିଡିଓ ଏଣିକି  ବିଜ୍ଞାପନ-ସମର୍ଥିତ ହୋଇଯିବ । ଅର୍ଥାତ୍‌  ଯେଉଁ ୟୁଜର୍‌ ପୂର୍ବରୁ ବର୍ଷର ୧୪୯୯  ଟଙ୍କା ଦେଇସାରିଛନ୍ତି, ସେମାନଙ୍କୁ ଏବେ  ବି ବିଜ୍ଞାପନ ଦେଖିବାକୁ ପଡ଼ିବ । ତେବେ  ବିଜ୍ଞାପନମୁକ୍ତ ସବ୍‌ସ୍କ୍ରିପ୍‌ସନ ପାଇଁ ବର୍ଷକୁ  ୬୯୯ ଟଙ୍କା ଅତିରିକ୍ତ ଦେବାକୁ ହେବ ।  ଏହା ଫଳରେ ସେମାନେ ବିଜ୍ଞାପନ ଦେଖିବେ ନାହିଁ ।  

କେବଳ ଆମାଜନ୍‌ ନୁହେଁ, ଡିଜ୍‌ନୀ  ପ୍ଲସ୍‌ ହଟ୍‌ଷ୍ଟାର, ନେଟ୍‌ଫ୍ଲିକ୍ସ ଓ ୟୁଟ୍ୟୁବ୍‌  ପ୍ରିମିୟର ଭଳି ପ୍ଲାଟ୍‌ଫର୍ମ ମଧ୍ୟ ଏହା  କରୁଛନ୍ତି । ପ୍ରଥମେ ଆକର୍ଷଣୀୟ ମୂଲ୍ୟଯୁକ୍ତ  ସେବା ଦେବେ, ଆପଣ ଏହାକୁ ନେଇ  ସହଜ ମଣିବା ପରେ ଫିଚର୍‌ କମ୍‌ କରି  ଅତିରିକ୍ତ ଶୁଳ୍କ ମାଗିବେ । ଭାରତୀୟ  ଗ୍ରାହକ ଏହାକୁ ନେଇ ଚିନ୍ତିତ । ସୋସିଆଲ  ମିଡିଆରେ ଲୋକେ ଏହାକୁ ଠକେଇ  କହୁଛନ୍ତି । କାରଣ ପୂର୍ବରୁ ଲୋକଙ୍କୁ କୁହାଯାଏ ନାହିଁ ଯେ ଆଗକୁ ବି ଅଲଗା  ପ୍ରକାର ସବ୍‌ସ୍କ୍ରିପ୍‌ସନ ଦେବାକୁ ପଡ଼ିବ ।  କିଛି ୟୁଜର କହୁଛନ୍ତି, ଲୋକଙ୍କ ମଧ୍ୟରେ  ସବ୍‌ସ୍କ୍ରିପ୍‌ସନ କ୍ଲାନ୍ତି ବଢୁଛି । କାରଣ ସବୁ  ଆପ୍‌ ଧୀରେ ଧୀରେ ନୂଆ ନୂଆ ସବ୍‌ସ୍କ୍ରିପ୍‌ସନ  ଓ ବୁଷ୍ଟର୍‌ ଲଞ୍ଚ୍‌ କରୁଛନ୍ତି । 

ସବ୍‌ସ୍କ୍ରିପ୍‌ସନ କ୍ଲାନ୍ତି କେବଳ ଏକ  ଶବ୍ଦ ନୁହେଁ, ବାସ୍ତବ ମନୋବୈଜ୍ଞାନିକ  ଓ ଆର୍ଥିକ ଚିନ୍ତା । ୟୁଜର୍‌ ପ୍ରଥମେ ଶସ୍ତା  ପ୍ଲାନ୍‌ରେ ଫସାଯାଏ । ତା’ପରେ ଧୀରେ  ଧୀରେ ଅତିରିକ୍ତ ଶୁଳ୍କ ପାଇଁ ଚାପ ପକାଯାଏ ।  ଏହାର କିଛି ସୀମା ନ ଥାଏ । 

ପ୍ରଶ୍ନ ହେଉଛି ଏହା ନୀତିସଙ୍ଗତ କି  ନୁହେଁ? ଖାଉଟି ଅଧିକାର କ’ଣ କହୁଛି?  ଭାରତରେ ଖାଉଟି ସୁରକ୍ଷା ଅଧିନିୟମ  ୨୦୧୯ ରହିଛି, ଯାହା କହେ- କମ୍ପାନି  ଗ୍ରାହକଙ୍କୁ ସୂଚନା ଓ ଅନୁମତି ବିନା ମଝିରେ  ପ୍ଲାନ୍‌ ଅବଧିକୁ ବଦଳାଇ ପାରିବ ନାହିଁ ।  ଉପରୋକ୍ତ ପ୍ଲାଟ୍‌ଫର୍ମ ଏହା ପାଳନ କରୁଛନ୍ତି  କି ନାହିଁ ୟୁଜର୍‌ ଜାଣିବା ଆବଶ୍ୟକ । 

ସବ୍‌ସ୍କ୍ରିପସନ୍‌ର ବ୍ୟବସାୟ ମଡେଲ  ଖୁବ୍‌ ସ୍ମାର୍ଟ । କାରଣ ଏହା ପ୍ରଥମେ ସୁଲଭ  ବୋଲି ଦର୍ଶାଏ । କିନ୍ତୁ ଧୀରେ ଧୀରେ  ଆପଣଙ୍କ ପସନ୍ଦକୁ ନିୟନ୍ତ୍ରଣ କରେ । ଆଜି ଯେଉଁ ସେବାର ସବ୍‌ସ୍କ୍ରିପ୍‌ସନ ଶୁଳ୍କ  ୪୯୯ ଟଙ୍କା ଅଛି, କାଲି ତାହା ୬୯୯ ଟଙ୍କା  ହୋଇଯିବ । କିନ୍ତୁ କ’ଣ ସେବା ତା’ଠୁ  ଭଲ ହେବ? ଆଦୌ ନୁହେଁ । କାରଣ  ତାହା କେବଳ ପୁରୁଣା ସେବାକୁ ଫେରାଇ  ନେବାର ଚାର୍ଜ । ସବ୍‌ସ୍କ୍ରିପ୍‌ସନ୍‌କୁ ନୂଆ  ନାଁରେ ମହଙ୍ଗା ଦାମ୍‌ରେ ବିକ୍ରି କରିବାକୁ  ମୂଳ ପ୍ଲାନ୍‌ରୁ କିଛି ଫିଚର୍‌ ହଟାଇ ନୂଆ  ପ୍ଲାନ୍‌ ଲଞ୍ଚ୍‌ କରାଯାଏ । 

ଭାରତରେ ନିୟାମକ ସଂସ୍ଥା ଏ  ମାମଲାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ  କରିବା ଉଚିତ୍‌ । ସ୍ୱଚ୍ଛ ମୂଲ୍ୟ ଆବଶ୍ୟକ ।  ସେବା ସ୍ପଷ୍ଟଭାବେ ବର୍ଣ୍ଣନା ହେବା ଉଚିତ୍‌  ଏବଂ କମ୍ପାନି ମଝିରେ ଗ୍ରାହକଙ୍କ ଅନୁମତି  ବିନା ପ୍ଲାନ୍‌ ପରିବର୍ତ୍ତନ ନ କରନ୍ତୁ । ନ  ହେଲେ କମ୍ପାନି ଅତି ଚତୁରତାର ସହ  କହିପାରିବେ ଯେ ସେମାନେ ପୁରୁଣା  ପ୍ଲାନ୍‌କୁ ମହଙ୍ଗା କରିନାହାନ୍ତି, ବରଂ କେବଳ  ନୂଆ ପ୍ଲାନ୍‌ ଲଞ୍ଚ୍‌ କରିଛନ୍ତି । 

‘ବ୍ଲାକ୍‌ ମିରର୍‌’ର କମନ୍‌ ପିପୁଲ୍‌  ଏପିସୋଡ୍‌ ଏକ କାଳ୍ପନିକ ସାବଧାନତା  ଭଳି, ଯାହା ବାସ୍ତବ ଜୀବନରେ ଆମ  ସମସ୍ତଙ୍କ ସହ ହେଉଛି । ଆମାଣ୍ଡା  ଓ ମାଇକ୍‌ଙ୍କ କାହାଣୀ କହୁଛି, ଯଦି  ଆମେ ସଚେତନ ନ ହେବା ତେବେ  ଆମ ଜୀବନ ବି ସବ୍‌ସ୍କ୍ରିପ୍‌ସନ ଜାଲ  ହୋଇପାରେ³ ଯେଉଁଠି କେବଳ ସେବା  ନୁହେଁ ଆମ ମୌଳିକ ଜୀବନ ବି ଆଡ୍‌- ଅନ୍‌ ସବ୍‌ସ୍କ୍ରିପ୍‌ସନ-ଆଧାରିତ ହୋଇଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.