ହରଭଙ୍ଗା,୩/୯ : ନିଜକୁ ନିଜେ ସ୍ୱାବଲମ୍ବୀ ହେବା ସହ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ସରକାର ବିଭିନ୍ନ ଯୋଜନା ତିଆରି କରିଛନ୍ତି । ସେଥି ମଧ୍ୟରୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ନିଜକୁ ସାମିଲ କରି ସଫଳ ହୋଇପାରିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ପଂଚାୟତ ବାଲିପୁର ଗାଁର ଚାଷୀ ମୁନା ମିଶ୍ର । ସେ ୨ ଏକର ସ୍ଥାନରେ ଉନ୍ନତ ମାନର ବ୍ରଏଲର କୁକୁଡ଼ା ଫାର୍ମ ଯେଉଁଟା କି ଶୀତତାପ ନିୟନ୍ତ୍ରିତ ପୋଲଟ୍ରି ଫାର୍ମ କରିଛନ୍ତି । ହିତାଧିକାରୀଙ୍କ କହିବାନୁଯାୟୀ ଏହି ଫାର୍ମରୁ ଏକା ଥରକେ ୧୫ହଜାରରୁ ଊର୍ଦ୍ଧ୍ବ ବ୍ରଏଲର ବାହାରୁ ଥିବାବେଳେ କୁକୁଡ଼ାଙ୍କ ବୈଜ୍ଞାନିକ ପଦ୍ଧତିରେ ସଠିକ ଯତ୍ନ ନିଆଯାଇ ହେଉଛି ଉତ୍ପାଦନ ।
ହିତାଧିକାରୀ ଜଣଙ୍କ ଏଭଳି ଯୋଜନାକୁ ହାତକୁ ନେଇ ବେଶ ସଫଳ ଥିବା ପ୍ରକାଶ କରନ୍ତି । ହିତାଧିକାରୀ ମୁନା ମିଶ୍ରଙ୍କ କହିବା ଅନୁଯାୟୀ ଯେ ଶିକ୍ଷିତ ଥିଲେ ମଧ୍ୟ ଚାକିରୀ ପଛରେ ନ ଗୋଡ଼ାଇ ପ୍ରଥମେ ନିଜକୁ ନିଜେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ନେଇ ଘରେ ଆରମ୍ଭ କରିଥିଲେ । ପ୍ରଥମେ ଅଟା, ତେଲ, ହଳଦୀ କଳ ପକାଇ ରୋଜଗାର ଆରମ୍ଭ କରିଥିବାବେଳେ କେତେକ ପରିବାରଙ୍କୁ ମଧ୍ୟ ରୋଜଗାର ଯୋଗାଇ ଦେବାରେ ସକ୍ଷମ ହୋଇଥିଲେ । ମିଶ୍ର ଆଉ ପଛକୁ ନ ଫେରି ଆଗକୁ ବଢିବା ସହ ଚିନ୍ତା କରିଥିଲେ ସରକାରଙ୍କ ସବସିଡି ଯୋଜନା ଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କିପରି ନିଜକୁ ସାମିଲ କରିବେ । ବର୍ତ୍ତମାନ ପ୍ରାୟ ୧ କୋଟି ଟଙ୍କା ବ୍ୟୟ ବରାଦରେ ଓ ସରକାରଙ୍କ ସବସିଡି ଯୋଜନା ଏକ ପୋଲୋଟ୍ରି କୁକୁଡ଼ା ଫାର୍ମ ଆରମ୍ଭ କରି ବର୍ତ୍ତମାନ ଥରକୁ ୧୫ହଜାର ଲେଖାଏଁ ବର୍ଷକୁ ୬ଥର ଅର୍ଥାତ ୯୦ହଜାର କୁକୁଡ଼ା ବୃଦ୍ଧି କରି ନିଜ ଫାର୍ମରୁ ବଜାରକୁ ଛାଡୁଥିବା ଜଣାପଡ଼ିଛି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହୋଇ ନିଜକୁ ସଫଳତା ଆଡ଼କୁ ଯାଇଥିଲେ ମଧ୍ୟ କିନ୍ତୁ ବାଲିପୁର ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ନ ଥିବାବେଳେ ନୂଆପଡ଼ା -ବାଲିପୁର ରାସ୍ତା ଉପରେ ପୋଲ ନ ଥିବାରୁ ଯାତାୟାତ ବହୁ ଅସୁବିଧା ହେଉଛନ୍ତି ଅଞ୍ଚଳ ଲୋକେ । ଏପରିକି ନିଜସ୍ୱ ଟଙ୍କା ଖର୍ଚ୍ଚ କରି ମାଟି ପକାଇ ରାସ୍ତା ମଧ୍ୟ ନିର୍ମାଣ କରିଥିବାବେଳେ ତାଙ୍କର ନିଜସ୍ୱ ଉଦ୍ୟମ ଗ୍ରାମବାସୀଙ୍କ ପାଇଁ ପ୍ରେରଣା ଯୋଗାଇପାରିବା ନେଇ ଆଶା କରାଯାଉଛି । ଏହି ଶୀତତାପ ନିୟନ୍ତ୍ରିତ କୁକୁଡ଼ା ଫାର୍ମ ବର୍ତ୍ତମାନ ବୌଦ୍ଧ ଜିଲ୍ଲାରେ ମାତ୍ର ଦୁଇଟି ଥିବାବେଳେ ସେଥିମଧ୍ୟରୁ ହରଭଙ୍ଗା ବ୍ଲକ ବାଲିପୁରରେ ନିର୍ମାଣ ହୋଇଥିବା ଫାର୍ମ ସବୁଠୁ ଉନ୍ନତ ମାନର ଏବଂ ଏଭଳି ଯୋଜନାରେ ଜିଲ୍ଲାରେ ଆହୁରି ଅଧିକ କିପରି ଫାର୍ମ ହୋଇପାରିବ ସେଥିପାଇଁ ଜିଲ୍ଲା ପ୍ରାଣୀ ବିଭାଗ ଚେଷ୍ଟା ଜାରି ରଖିଥିବା ନେଇ ଜିଲ୍ଲା ପ୍ରାଣୀ ବିଭାଗ ଅଧିକାରୀ ନିଜର ମତ ପ୍ରକାଶ କରିଥିଲେ ।