ପୁରୀ, ୨୬/୨ : ଶ୍ରୀ ପାଟ୍ଟମାହାଦେଇ ଲକ୍ଷ୍ମୀ ସାଆନ୍ତାଣୀଙ୍କ ଶ୍ରୀ ସୁଦଶାବ୍ରତ। କୌଣସି ମାସର ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାରରେ ସଂଯୋଗ ହେଲେ ଶ୍ରୀ ସୁଦଶାବ୍ରତ ପାଳିତ ହୁଏ। ଏହି ବ୍ରତ କେବଳ ନାରୀ ନୁହେଁ ପୁରୁଷମାନେ ମଧ୍ୟ କରିପାରିବେ। ବ୍ରତ ବହିରେ ଦମୟନ୍ତୀଙ୍କ ସହ ନଳ ଓ ସଚୀଇନ୍ଦ୍ର ମଧ୍ୟ ମାଙ୍କ ଏହି ସୁଦଶାବ୍ରତ କରିଥିଲେ। ଭାରତରେ ବହୁ ପୂର୍ବରୁ ସମ୍ପଦା ମା ବ୍ରତ ନାମରେ ଏହି ବ୍ରତ ହେଉଥିଲା କିନ୍ତୁ ଏବେ ଓଡିଶା ଛାଡି ବାକି ସ୍ଥାନରେ ଏହି ବ୍ରତ ଆଉ ପରିଲକ୍ଷିତ ହେଉନାହିଁ। ଏହି ବ୍ରତ ଅଚାଣ୍ଡାଳ ବ୍ରାହ୍ମଣ ସଭିଏଁ ସ୍ୱଗୃହରେ କରିଥାନ୍ତି। ଶ୍ରୀ ମହାଲକ୍ଷ୍ମୀ ହେଲେ ସମସ୍ତ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ। ସେ ଭଗବାନ ବିଷ୍ଣୁଙ୍କର ସହଧର୍ମିଣୀ ଓ ଶକ୍ତି ସୂରୁପା। ରାମାୟଣମତେ ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ । ସେ ସମୁଦ୍ରଙ୍କର କନ୍ୟା । ଲକ୍ଷ୍ମୀଙ୍କର ବାହାନ ପେଚା, ମତାନ୍ତରେ ହାତୀ । ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି । ରୁକ୍ମଣୀ ଓ ସତ୍ୟଭାମା ଲକ୍ଷ୍ମୀଙ୍କ ଅବତାର ଭାବେ ପରିଚିତ । ପ୍ରେମ ଏବଂ ପ୍ରଜନନର ଦେବତା କାମଦେବ ବିଷ୍ଣୁ ଓ ଲକ୍ଷ୍ମୀଙ୍କର ପୁତ୍ର ଭାବେ ବର୍ଣ୍ଣିତ ହେଇଥାନ୍ତି ।   

                      ସୁଦଶା ବ୍ରତରେ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ସୁଦଶାର ଅର୍ଥ ଭଲ ସମୟ କିନ୍ତୁ ପଲ୍ଲୀ ମାନସରେ ସମ୍ଭବତଃ ସୁଦଶା ଶବ୍ଦ ସହିତ ଦଶ ସଂଖ୍ୟାଟି ସଂଯୋଜିତ ହୋଇ ଆସିଅଛି । ଫଳତଃ ଉପାସନାରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶମେଞ୍ଚା କଦଳୀ, ଦଶଗୋଟି ମଣ୍ଡା ଓ ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ଲକ୍ଷ୍ମୀଙ୍କ ଦଶନାମ ଲକ୍ଷ୍ମୀନାରାୟଣୀ, କମଳିନୀ, ଶ୍ରୀ ହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ, ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି, ବିଷ୍ଣୁ ପାଟରାଣୀ । ସୁମରିତ ଦଶଖିଅ ଧଳାସୂତାର ଏକ ବ୍ରତ ପୂଜା କରାଯିବାର ବିଧି ରହିଛି । ସେହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଏ ।

         ll ବ୍ରତ କାହାଣ ll

          ଜନୈକା ବିଧବା ବ୍ରାହ୍ମଣୀ ନଦୀରୁ ଜଳ ଆଣିବା ସମୟରେ ନିଜ ବ୍ରତଟିକୁ ହଜାଇ ଦେଇଛନ୍ତି । ବ୍ରତ ହରାଇ ବିକଳ ଭାବେ କ୍ରନ୍ଦନ କରୁଥିବା ବେଳେ ନଳ ରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟବଦ୍ଧ ହୋଇ ନିଜ ରାଣୀଙ୍କ ଠାରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଛନ୍ତି । ବ୍ରତଟି ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥିବାରୁ ବ୍ରତଦାନ କଲେ ଲକ୍ଷ୍ମୀଛଡ଼ା ହେବାର କଥିତ ଥିବାରୁ ରାଣୀ ଅତ୍ୟନ୍ତ କୁଣ୍ଠାର ସହ ବ୍ରତଟିକୁ ଦେଇଛନ୍ତି । ବ୍ରତଦାନ ପରେ ତାଙ୍କର ସକଳ ସମ୍ପଦ, ସୁଖ, ଐଶ୍ଵର୍ଯ୍ୟ ଅପହୃତ ହୋଇ ରାଜା ଓ ରାଣୀ ଲକ୍ଷ୍ମୀଛଡ଼ା ଓ ଶ୍ରୀହୀନ ହୋଇ ପଡ଼ିଛନ୍ତି । ଯାବତୀୟ ଦୁଃଖ ଦୁର୍ଦ୍ଦଶା ଭୋଗ କଲାପରେ ରାଣୀ ପୁନଶ୍ଚ ଯଥାବିଧି ସୁଦଶା ବ୍ରତ ପାଳନ କରିବାପରେ ସେମାନଙ୍କର ସମସ୍ତ ଅପହୃତ ସୁଖ ସୌଭାଗ୍ୟ ଫେରି ଆସିଛି ।