ନୂଆଦିଲ୍ଲୀ, ୨୦/୦୭ : ହସ୍ପିଟାଲରେ ଛକିଥିଲା ଯମ। ଜୀବନ ବଞ୍ଚାଇବାକୁ ଆସିଥିଲେ, ମୃତ୍ୟୁକୁ ବରଣ କଲେ। ହସ୍ପିଟାଲ ବେଡ୍‌ ରେ ଶୋଇଥିବା ବେଳେ ଉପରୁ ଖସିପଡ଼ିଲା ଫ୍ୟାନ୍, ଚାଲିଗଲା ଜୀବନ। ଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲର ଏମର୍ଜେନ୍ସି ୱାର୍ଡରେ ଏଭଳି ଅବ୍ୟବସ୍ଥା ସ୍ଵାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନର ପାହାଡ଼ ଠିଆ କରିଛି। ଫ୍ୟାନ୍ ଖସିପଡ଼ିବାରି ରୋଗୀଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ରୋଗୀଙ୍କ ସହ ଡ୍ୟୁଟିରେ ଥିବା ୨ ଜଣ ନର୍ସିଂ ଅଫିସର ଆହତ ହୋଇଛନ୍ତି। ସ୍ଥାନୀୟ ପ୍ରଶାସନ ଘଟଣାର ତଦନ୍ତ ଚଳାଇଛି।

ସୂଚନାନୁଯାୟୀ, ୪୨ ବର୍ଷୀୟ ମହମ୍ମଦ ଅକବର ଶନିବାର ଇଷ୍ଟ ଦିଲ୍ଲୀ ସ୍ଥିତ ଏକ ମେଡିକାଲର ମେଡିସିନ୍ ବିଭାଗରେ ଭର୍ତ୍ତି ହୋଇଥିଲେ। ତାଙ୍କର ଉଚ୍ଚ ରକ୍ତଚାପ, ଏସପିରେସନ ନିମୋନିଆ ସମେତ ଆହୁରି କିଛି ସ୍ଵାସ୍ଥ୍ୟ ସମସ୍ୟା ଥିଲା। ୨୭ ନମ୍ଵର ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଥିଲା। ଶନିବାର ରାତିରେ ରୋଗୀଙ୍କୁ ଜଣେ ନର୍ସ ଚେକଅପ୍ କରୁଥିଲେ। ଏହି ସମୟରେ ସିଲିଂ ଫ୍ୟାନ୍ ଟି ତାଙ୍କ ଉପରେ ଖସି ପଡିଥିଲା। ଫ୍ୟାନ୍ ଖସିବାର କିଛି ଘଣ୍ଟା ପରେ ଅକବରଙ୍କ ମୃତ୍ୟୁ ହୋଇଥିଲା। ଫ୍ୟାନ୍ ଖସିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। 

ହସ୍ପିଟାଲ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ରୋଗୀଙ୍କ ମୃତ୍ୟୁ ଫ୍ୟାନ୍ ଖସିବା ଯୋଗୁଁ ହୋଇନାହିଁ। ବରଂ ସେ ପୂର୍ବରୁ ଗମ୍ଭୀର ନିମୋନିଆ ଏବଂ ଅନ୍ୟାନ୍ୟ ଜଟିଳ ରୋଗରେ ପୀଡ଼ିତ ଥିଲେ। ତେବେ ଫ୍ୟାନ୍‌ର ଶାଫ୍ଟ ଭାଙ୍ଗିଯିବା ଯୋଗୁଁ ଏଭଳି ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେପଟେ ଏହି ଘଟଣା ପରେ ହସ୍ପିଟାଲ ମେଣ୍ଟେନାନ୍ସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହସ୍ପିଟାଲ କର୍ମଚାରୀମାନେ କହିଛନ୍ତି ଯେ, ଅନେକ ୱାର୍ଡରେ ଦୀର୍ଘ ସମୟ ଧରି ରକ୍ଷଣାବେକ୍ଷଣ କାମ ହୋଇନାହିଁ। ଅନେକ ସ୍ଥାନରେ ବିଦ୍ୟୁତ୍ ତାର ଖରାପ ଏବଂ ଅଚଳ ହୋଇପଡ଼ିଛି। ଏହାଦ୍ଵାରା ଯେକୌଣସି ସମୟରେ ଆହୁରି ବଡ଼ ଦୁର୍ଘଟଣା ଘଟିପାରେ।

ଆହୁରି ପଢନ୍ତୁ-୫୦ ଥର ଉଦ୍ୟମ କରି ଫେଲ୍, ସରକାରୀ ଚାକିରି ପାଇଲେନି ବିଟେକ୍‌ ଗୋଲ୍ଡ ମେଡାଲିଷ୍ଟ, ବାପାଙ୍କୁ କ୍ଷମା ମାଗି ହାରିଦେଲେ ଜୀବନ

ରାସ୍ତାକଡ଼ରୁ ଶସ୍ତା ଚଷମା କିଣି ପିନ୍ଧୁଥିଲେ ହୋଇଯାଆନ୍ତୁ ସାବଧାନ !​​​​​​​