କାନପୁର, ୨୦/୦୭ : ବାରମ୍ବାର ଉଦ୍ୟମ ସତ୍ତ୍ଵେ ସରକାରୀ ଚାକିରି ପାଇବାରେ ବିଫଳ ହେବାରୁ ଆତ୍ମହତ୍ୟା କଲେ ଛାତ୍ର। ଉତ୍ତରପ୍ରଦେଶ କାନପୁରର ଜଣେ ୨୩ ବର୍ଷୀୟ ଛାତ୍ର ଆନନ୍ଦ କୁମାର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନିକଟରୁ ଏକ ସୁଇସାଇଡ ନୋଟ୍ ଜବତ ହୋଇଛି । ସେଥିରେ ଲେଖାଯାଇଛି, ‘ସରି ପାପା, ମୁଁ ୫୦ ଥର ସରକାରୀ ଚାକିରି ପାଇବାକୁ ଉଦ୍ୟମ କରିଛି, କିନ୍ତୁ ସଫଳ ହୋଇପାରିନି । ମୋତେ କ୍ଷମା କରିଦେବ।’
ଆନନ୍ଦ ୨୦୨୪ରେ କାନପୁରର ପିଏସ୍ଆଇଟି କଲେଜରେ ବିଟେକ୍ ପାଠ୍ୟକ୍ରମରେ ଟପର ହୋଇଥିଲେ । ସାରା ରାଜ୍ୟରେ ତୃତୀୟ ର୍ୟାଙ୍କ ହାସଲ କରିଥିବାରୁ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ତାଙ୍କୁ ଗୋଲ୍ଡ ମେଡାଲ ଦେଇ ସମ୍ମାନିତ କରିଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ, ସରକାରୀ ଚାକିରି ନମିଳିବା କାରଣରୁ ଆନନ୍ଦ ଦୀର୍ଘ ଦିନ ହେଲା ମାନସିକ ଚାପରେ ରହୁଥିଲେ। ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟାରେ ତାଙ୍କ ଘରୋଇ ସହାୟିକା ଘର କାମ ଲାଗି କବାଟ ବାଡ଼େଇ ଥିଲେ ହେଁ ସେ ଖୋଲି ନଥିଲେ। ସେତେବେଳେ ଘରର ଅନ୍ୟ ସଦସ୍ୟମାନେ ବଡ଼ ପୁଅଙ୍କ ବିବାହ ଠିକ୍ କରିବା ଲାଗି ବିହାର ଯାଇଥିଲେ। ପରେ ସମ୍ପର୍କୀୟ ଏବଂ ପଡ଼ୋଶୀଙ୍କଠାରୁ ସୂଚନା ପାଇ ପୁଲିସ କବାଟ ଭାଙ୍ଗିଥିଲା। ସେଠାରେ ଆନନ୍ଦଙ୍କ ମୃତଦେହ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଆନନ୍ଦଙ୍କ ବାପା ରାଜକୁମାର କହିଛନ୍ତି, ୫ ଦିନ ପୂର୍ବରୁ ସେମାନେ ବଡ଼ ପୁଅ ଅମିତଙ୍କ ପାଇଁ ଝିଅ ଦେଖିବାକୁ ବିହାର ଯାଇଥିଲେ । କିନ୍ତୁ ଆନନ୍ଦ ସାଙ୍ଗରେ ଯିବାକୁ ମନା କରିଦେଇଥିଲେ। ଆନନ୍ଦ ଦୀର୍ଘ ଦିନ ହେଲା ରେଲ୍ୱେ, ଏସ୍ଏସ୍ସି, ବ୍ୟାଙ୍କ ସମେତ ସରକାରୀ ଶିକ୍ଷକ ଆଦି ଚାକିରି ପାଇଁ ଉଦ୍ଦିଷ୍ଟ ପରୀକ୍ଷା ଦେଉଥିଲେ। କିନ୍ତୁ କୌଣସିଟିରେ ସଫଳତା ମିଳୁ ନ ଥିବାରୁ ସେ ଚାପରେ ରହୁଥିଲେ।
ଆହୁରି ପଢନ୍ତୁ- 63-Year-Old Woman Passes Matric: ୬୩ ବର୍ଷରେ ଦଶମ ପାସ୍ କଲେ ସୁଶୀଳା, ସରପଞ୍ଚ ହେବା ଲକ୍ଷ୍ୟ