ନୂଆଦିଲ୍ଲୀ,୨୦/୦୭; ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୨୫ ଦିନିଆ ଅଧିବେଶନରେ ମୋଟ ୧୯ଟି ବୈଠକ ବସିବ । ଅଧିବେଶନ ଆରମ୍ଭ ହେଉ ହେଉ ଜୋରଦାର ହଙ୍ଗାମା କରିଛନ୍ତି ବିରୋଧୀ । ବାଚସ୍ପତି ଓମ ବିର୍ଲା ବିରୋଧୀ ସାଂସଦଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ନିଜ ଆସନରେ ବସିବାକୁ କହିଥିଲେ ହେଲେ କେହି ଶୁଣିନଥିଲେ । ବିରୋଧୀ ସାଂସଦ ରାମ ମନ୍ଦିର ଦାନ ଚୋରି, ଇଥାନଲ ମିଶ୍ରମ ଏବଂ ମଣିପୁର ଭଳି ପ୍ରସଙ୍ଗ ଉପରେ ଆଲୋଚନାକରିବାକୁ ଦାବି କରିଥିଲେ । ସରକାର ଉଭୟ ଗୃହରେ ସୁଗମ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ବିରୋଧୀଙ୍କ ସହଯୋଗ ଲୋଡିଥିଲେ । ହେଲେ ବିରୋଧୀ ନାରାବାଜି ଦେଇଥିଲେ । ପ୍ରବଳ ହଟ୍ଟଗୋଳ, ନାରାବାଜି ପରେ ଲୋକସଭାକୁ ଅପରାହ୍ନ ୧୨ଟା ଯାଏ ତୁରନ୍ତ ମୁଲତବୀ ରଖାଯାଇଛି । ଏହା ପରେ ରାଜ୍ୟସଭାରେ ବି ସମାନ ଭାବେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ହୋ ହାଲ୍ଲା କରିଛନ୍ତି । ରାଜ୍ୟସଭାକୁ ମଧ୍ୟ ପୂର୍ବାହ୍ନ ୧୨ଟା ଯାଏ ମୁଲତବୀ ଘୋଷଣା କରାଯାଇଛି ।

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି ଯେ, ମୌସୁମୀ ଅଧିବେଶନରେ ୮ଟି ବିଲ୍ ଆଗତ କରାଯିବ । ରିଜିଜୁ ବିରୋଧ ଦଳଗୁଡିକୁ ବିଲ୍ ଉପରେ ସହଯୋଗ ଏବଂ ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ନିବେଦନ କରିଥିଲେ । ଜାତୀୟ ସଙ୍ଗୀତ ଗାନ ପରେ ପ୍ରଥମ ଦିନିରେ ଉଭୟ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା ପୂର୍ବତନ ସଦସ୍ୟଙ୍କ ପରଲୋକ ନେଇ ଗୃହକୁ ସୂଚନା ଦେଇଥିଲେ । ସ୍ବର୍ଗତ ଆତ୍ମାର ଶାନ୍ତି ପାଇଁ କିଛି ସମୟ ନୀରବତା ପାଳନ ହୋଇଥିଲା । ଲୋକସଭାରେ ବିରୋଧୀ ଦଳଗୁଡିକ ଅଯୋଧ୍ୟ ମନ୍ଦିର ଦାନ ଚୋରି ପ୍ରସଙ୍ଗ ଉଠାଇଥିଲେ । ପ୍ରବଳ ହଟ୍ଟଗୋଳ କରିଥିଲେ । ପ୍ରଶ୍ନକାଳ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ସଦସ୍ୟ କକ୍ଷକୁ ଆସି ନାରାବାଜି ଦେବା ସହ ପ୍ଲାକାର୍ଡ ହଲାଇଥିଲେ । ବିରୋଧୀଙ୍କ ହଟ୍ଟଗୋଳ ପରେ, ବାଚସ୍ପତି ଓମ୍ ବିର୍ଲା ସଦସ୍ୟଙ୍କୁ ନିୟମ ପାଳନ ପାଇଁ ଅନୁରୋଧ କରିଥିଲେ । ପ୍ଲାକାର୍ଡ ହଲାଇବା ଗୃହର ନିୟମ ନୁହେଁ ବୋଲି କହିଥିଲେ । କାର୍ଯ୍ୟକୁ ଆଗକୁ ବଢାଇବାକୁ କହିଥିଲେ ହେଲେ କେହି ବି ଶୁଣିନଥିଲେ । ହଟ୍ଟଗୋଳ ଜାରି ରହିଥିଲା । ଆପଣମାନେ ଗୃହ ଚଲେଇ ଦେଉନାହାନ୍ତି । ଆଲେଚନା ଚାହୁଁନାହାନ୍ତି କହି ବାଧ୍ୟହୋଇ ଲୋକସଭାକୁ ତୁରନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ଓମ୍ ବିର୍ଲା ।