ନୂଆଦିଲ୍ଲୀ,୨୮/୦୬: ପାକିସ୍ତାନରେ ଆତ୍ମଘାତୀ ହମଲା । କରାଚି ଥିବା ଅର୍ଦ୍ଧସାମରିକ ମୁଖ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୪ ସୁରକ୍ଷା କର୍ମୀ ଏବଂ ୬ ଆତଙ୍କବାଦୀ ନିହତ ହୋଇଛନ୍ତି । ତାଲିବାନ ସହ ଯୋଡି ହୋଇଥିବା ଜମାତ-ଉଲ-ଆହରାର ନିଜକୁ ଏହି ଘଟଣା ପାଇଁ ଦାୟୀ କରିଛି ।
ସୂଚନା ଅନୁଯାୟୀ, ଗୁଲିସ୍ତାନ-ଏ-ଜୋହର ଅଞ୍ଚଳରେ ଥିବା ସିନ୍ଧ ରେଞ୍ଜର୍ସର ଅର୍ଦ୍ଧସାମରିକ ବାହିନୀ ମୁଖ୍ୟାଳୟ ଉପରେ ଆକ୍ରମଣ ହୋଇଛି । ପାକିସ୍ତାନ ସେନାର ପାଲଟା ଆକ୍ରମଣରେ ୬ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀମାନେ ଗାଡ଼ିରେ ଆସି ମୁଖ୍ୟ ଫାଟକ ଭାଙ୍ଗି କମ୍ପ୍ଲେକ୍ସରେ ପ୍ରବେଶ କରିଥିଲେ। ତା'ପରେ ସେମାନେ ହ୍ୟାଣ୍ଡ୍ ଗ୍ରେନେଡ୍ ଫିଙ୍ଗିବା ସହ ଅଖିବୁଜା ଗୁଳି ଚଳାଇଥିଲେ । ୯୦ ମିନିଟ୍ ଧରି ଏନକାଉଣ୍ଟର ଚାଲିଥିଲା । ପାକିସ୍ତାନର ସ୍ପେଶାଲ୍ ସିକ୍ୟୁରିଟି ୟୁନିଟ୍ , ଆଣ୍ଟି-ଟେରୋରିଷ୍ଟ ଫୋର୍ସ ଏବଂ ରେଞ୍ଜର୍ସ ସ୍ଥିତି ନିୟନ୍ତ୍ରଣ କରିଥିଲେ। ଆକ୍ରମଣକାରୀମାନେ ତେହରିକ-ଏ-ତାଲିବାନ ପାକିସ୍ତାନର ଏକ ଗୋଷ୍ଠୀ ଜମାତ-ଉଲ-ଆହରର ସହିତ ଜଡିତ ବୋଲି ଜଣାପଡିଛି ।
ଏହି ଆକ୍ରମଣ ଏକ ରେଞ୍ଜର୍ସ କମ୍ପାଉଣ୍ଡକୁ ଟାର୍ଗେଟ୍ କରାଯାଇଥିଲା । ବିସ୍ଫୋରଣ ପରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଆଖିବୁଜା ଫାୟାରିଂ ଆରମ୍ଭ କରିଥିଲେ ।ଏହାପରେ ସଂପୃକ୍ତ ଅଞ୍ଚଳରେ ଭୀଷଣ ଗୁଳି ବିନିମୟ ହୋଇଥିଲା। ସୂତ୍ରର କହିବାନୁସାରେ, ପ୍ରଥମ ବିସ୍ଫୋରଣ ଖୁବ୍ ଶକ୍ତିଶାଳୀ ଥିଲା, ଏହାପରେ ଦୁଇଟି ଛୋଟ ଛୋଟ ବିସ୍ଫୋରଣ ମଧ୍ୟ ହୋଇଥିଲା। କୁହାଯାଉଛି ଯେ, ସୁରକ୍ଷା ବାହିନୀ ଓ ଆକ୍ରମଣକାରୀଙ୍କ ମଧ୍ୟରେ ପ୍ରାୟ ୯୦ ମିନିଟ୍ ଧରି ଗୁଳି ବିନିମୟ ଚାଲି ଥିଲା।
ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବିକ , ଆକ୍ରମଣ ଗୁଲିସ୍ତାନ-ଏ-ଜୋହର ଅଞ୍ଚଳର ଏକ ପ୍ରମୁଖ ସଡ଼କରେ ହୋଇ ଥିଲା, ଯାହା କରାଚୀ ୟୁନିଭର୍ସିଟି ଓ ସହରରେ ଥିବା ଆହୁରି ଅନେକ ବିଶ୍ୱବିଦ୍ୟାଳୟକୁ ଯୋଡ଼ି ହେବା ସହ ପାକିସ୍ତାନ ପାଣିପାଗ ବିଭାଗ ଆଡ଼କୁ ଯାଇଛି। ଆକ୍ରମଣ ପରେ ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ମୁତୟନ କରି ଦିଆଯାଇଛି। ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚାଲିଛି।
ଅଧିକ ପଢନ୍ତୁ- ଭାରତୀୟଙ୍କ ପ୍ରଥମ ପସନ୍ଦ ପୁଟିନ୍, ଟ୍ରମ୍ପଙ୍କ ସହ ବିଶ୍ବର ବଡ ନେତାଙ୍କ ଉପରେ ଜାଣନ୍ତୁ କେତେ ଅଛି ଭରସା ?