ଭୁବନେଶ୍ୱର,୨୮/୦୬: ଆସୁଛି ବଡ଼ ଲଘୁଚାପ । ପ୍ରବଳ ବର୍ଷା ଅଜାଡ଼ିବ ଓଡ଼ିଶାରେ । ଜୁଲାଇ ପହିଲାରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ସୂଚନା ଅନୁସାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ଜୁଲାଇ ୨ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ତା’ ପରଦିନ ଅଧିକ ଘନୀଭୂତ ହୋଇ ଅବପାତ (ଡିପ୍ରେସନ) ରୂପ ନେବା ସମ୍ଭାବନା ଅଛି । ଏହାପରେ ଆହୁରି ବଳ ଜୁଟାଇ ୪ ବେଳକୁ ଗଭୀର ଅବପାତ (ଡିପ୍ ଡିପ୍ରେସନ)ରେ ପରିଣତ ହୋଇପାରେ।
ସିଇସି ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ୧ ତାରିଖରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବା ସମ୍ଭାବନା ଅଛି । ୧ରୁ ୫ ଯାଏଁ ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ୨ ଓ ୩ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ତାରିଖ ଯାଏଁ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ସମ୍ଭାବ୍ୟ ଲଘୁଚାପ ୪ ତାରିଖବେଳକୁ ଉତ୍ତର ଓଡ଼ ିଶା ନିକଟରେ ସ୍ଥଳଭାଗରେ ପ୍ରବେଶ କରିପାରେ । ବାଲେଶ୍ୱର କିମ୍ବା ଝାଡ଼ଖଣ୍ଡ ଆଡ଼କୁ ଏହାର ଗତି ରହିପାରେ । ବର୍ତ୍ତମାନ ଜୁଲାଇ ପହିଲା ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଏଭଳି ବଡ଼ ବର୍ଷା ହେଲେ ଯାଇ ରାଜ୍ୟରେ ତାତି ପ୍ରକୋପ କମିପାରେ ।
ପାଣିପାଗ ବିଭାଗ ରିପୋର୍ଟରୁ ଜଣାପଡ଼ିଛି, ମୌସୁମୀ ଆଗମନ ସତ୍ତେ୍ୱ ଏଯାଏ ରାଜ୍ୟରେ ବ୍ୟାପକ ବର୍ଷା ହୋଇନାହିଁ । ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି ୫୨% ବର୍ଷା କମ୍ ରହିଛି । ହେବା କଥା ୧୮୧.୬ ମିଲିମିଟର, ହୋଇଛି ମାତ୍ର ୮୭ ମିମି । ମୋଟାମୋଟି ପୂରା ରାଜ୍ୟରେ ବର୍ଷା ଅଭାବ ସ୍ଥିତି । ୧୧ ଜିଲ୍ଲାରେ ୬୦%ରୁ ୭୬% ପର୍ଯ୍ୟନ୍ତ ବର୍ଷା ନିଅଣ୍ଟିଆ ରହିଛି । ଦେବଗଡ଼ରେ ୭୬%, ସମ୍ବଲପୁରରେ ୭୩%, କଳାହାଣ୍ଡିରେ ୭୨%, ସୁନ୍ଦରଗଡ଼ରେ ୭୦%, ମାଲକାନଗିରିରେ ୬୯%, ପୁରୀରେ ୬୫%, ଅନୁଗୁଳରେ ୬୪%, ବଲାଙ୍ଗିରରେ ୬୪%, ବୌଦ୍ଧରେ ୬୪%, ନୂଆପଡ଼ାରେ ୬୩%, ଯାଜପୁରରେ ୬୩% ବର୍ଷା ସ୍ୱାଭାବିକଠାରୁ ନିଅଣ୍ଟିଆ ରହିଛି । ଏହାବାଦ୍ ଆଉ ୧୭ଟି ଜିଲ୍ଲାରେ ବି ବର୍ଷା କମ୍ ରହିଛି । ବିଶେଷ ବର୍ଷା ନଥିବାରୁ ଗରମ ଓ ଗୁଳୁଗୁଳି ପ୍ରକୋପ ନାକେଦମ କରୁଛି । ଉପକୂଳ ଓଡ଼ିଶାରେ ଆର୍ଦ୍ରତା ମାତ୍ରା ଅଧିକ ଥିବାରୁ ଭୀଷଣ ଗୁଳୁଗୁଳି ଲାଗି ରହିଛି ।
ଅଧିକ ପଢ଼ନ୍ତୁ :- ମା’-ଝିଅଙ୍କ ତଣ୍ଟିକାଟି ହତ୍ୟା କଲେ ଦୁର୍ବୃତ୍ତ
ପାଣିପାଗ ବିଭାଗ କହିଛି, ୩୦ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିପାରେ । ଆସନ୍ତା ଦୁଇଦିନ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ ୩୦ରୁ ଅଧିକାଂଶ ଜାଗାରେ ବର୍ଷା ହୋଇପାରେ । ଶନିବାର ଦିନ ଭିତରେ କେନ୍ଦୁଝର, ଦାରିଙ୍ଗିବାଡ଼ି, କୋରାପୁଟରେ ଅସରାଏ ଲେଖାଏଁ ବର୍ଷା ହୋଇଥିବାବେଳେ ଆଉ କିଛି ଜାଗାରେ ସାମାନ୍ୟ ବର୍ଷା ହୋଇଥିଲା।