ସୁଲତାନ ଅଜଲାନ ଶାହ କପ୍ ହକି ପାଇଁ ସମ୍ଭାବ୍ୟ ଭାରତୀୟ ଦଳ: ଓଡ଼ିଶାରୁ ଅମିତ, ବିରେନ୍ଦ୍ର, ସୁମନ, ଶିଳାନନ୍ଦ

ଭୁବନେଶ୍ୱର, ୧୬ ।୨ (ବ୍ୟୁରୋ): ମାର୍ଚ୍ଚ ୨୩ ତାରିଖରୁ ମାଲେସିଆରେ ଆରମ୍ଭ ହେବ ସୁଲତାନ ଅଜଲାନ ଶାହ କପ୍ ହକି ପ୍ରତିଯୋଗିତା । ହକି ଇଣ୍ଡିଆ ଏବେଠୁ ପ୍ରସ୍ତୁତି ପର୍ବ ଆରମ୍ଭ କରିଛି । ଆସନ୍ତା ୧୮ ତାରିଖରୁ ବେଙ୍ଗାଲୁରୁ ସାଇ କେନ୍ଦ୍ରରେ ଜାତୀୟ ହକି ଦଳର ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ । ଏହି ଶିବିର ପାଇଁ ହକି ଇଣ୍ଡିଆ ୩୪ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି । ଏହି ସମ୍ଭାବ୍ୟ ଦଳରୁ ଚୂଡ଼ାନ୍ତ ଦଳ ଚୟନ କରାଯିବ । ଘୋଷିତ ଦଳରେ ଓଡ଼ିଶାରୁ ୪ ଜଣ ସାମିଲ ରହିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ବରିଷ୍ଠ ତାରକା ବୀରେନ୍ଦ୍ର ଲାକ୍ରା, ଅମିତରୋହି ଦାସ, ଯୁବ ତାରକା ଶିଳାନନ୍ଦ ଲାକ୍ରା ଓ ସୁମନ ବେକ୍ ।
ଓଡ଼ିଶା ହକି ବିଶ୍ୱକପ୍ରେ ସାମିଲ ଥିବା ସମସ୍ତ ୧୮ ଜଣ ଖେଳାଳିଙ୍କୁ ଏହି ଶିବିରରେ ସାମିଲ କରାଯାଇଛି । ହକି ଇଣ୍ଡିଆର ହାଇ କମିଶନର ଡେଭିନ ଜନ୍ କହିଛନ୍ତି, ଯୁବ ଖେଳାଳିଙ୍କୁ ସିନିୟର ଶିବିରରେ ସାମିଲ କରାଯାଇଛି । ଯେଉଁମାନେ ପୂର୍ବରୁ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । ଯେଉଁଥିପାଇଁ ମୁଁ ବହୁତ ଖୁସି ।
ସଂପୂର୍ଣ୍ଣ ଯୁବ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ହକି ବିଶ୍ୱକପ୍ରେ ସାମିଲ ହୋଇଥିଲା । ଉନ୍ନତ ପ୍ରଦର୍ଶନ କରି କ୍ୱାର୍ଟର ପର୍ଯ୍ୟନ୍ତ ଉନ୍ନୀତ ହୋଇଥିଲା । କୋଚ୍ ଥିଲେ ହରେନ୍ଦ୍ର ସିଂହ । ବିଶ୍ୱକପ୍ ପରେ ହରେନ୍ଦ୍ରଙ୍କୁ ଦଳରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ନୂଆ କୋଚ୍ ନିଯୁକ୍ତ ହେବେ । ତେବେ ହକି ଇଣ୍ଡିଆ ପକ୍ଷରୁ ଏ ପର୍ଯ୍ୟନ୍ତ ନୂଆ କୋଚ୍ ଚୟନ କରାଯାଇ ନାହିଁ । ହୁଏତ ସୁଲତାନ ଅଜଲାନ ଶାହ କପ୍ ହକି ପାଇଁ ଚୂଡ଼ାନ୍ତ ଦଳ ଘୋଷଣା ହେବା ପୂର୍ବରୁ ଦଳରେ ନୂଆ କୋଚ୍ ଯୋଗଦେବେ ।
ଗତ ଓଡ଼ିଶା ହକି ବିଶ୍ୱକପ୍ରେ ଓଡ଼ିଶାର ଦୁଇ ଜଣ ଖେଳାଳି ଜାତୀୟ ଦଳରେ ସାମିଲ ହୋଇଥିଲେ । ସେମାନେ ଥିଲେ ବରିଷ୍ଠ ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତରୋହିତ ଦାସ । ଅମିତ ବିଶ୍ୱକପ୍ରେ ଗୋଟିଏ ଗୋଲ୍ ସ୍କୋର କରିବାରେ ସଫଳ ହୋଇଥିଲେ ।
ସମ୍ଭାବ୍ୟ ଦଳ: ପିଆର ଶ୍ରୀଜେଶ, କ୍ରିଷ୍ଣା ବାହାଦୂର ପାଠକ, ସୁରଜ କେର୍କେଟା (ଗୋଲ୍କିପର), ହର୍ମନପ୍ରୀତ, ଗୁରିନ୍ଦର ସିଂହ, ବରୁଣ କୁମାର, କୋଠଜିତ ସିଂହ, ସୁରେନ୍ଦ୍ର କୁମାର, ଅମିତରୋହି ଦାସ, ଜର୍ମନପ୍ରୀତ ସିଂହ, ପ୍ରଦୀପ ସିଂହ, ସୁମନ ବେକ, ମନଦୀପ ମୋର, ବୀରେନ୍ଦ୍ର ଲାକ୍ରା, ରୁପିନ୍ଦର ପାଲ ସିଂହ (ଡିଫେଣ୍ଡର), ମନପ୍ରୀତ ସିଂହ, ଚିଗ୍ଲେନସାନା ସିଂ କାନଗୁଜାମ, ସୁମିତ, ସିମରଜିତ ସିଂହ, ନୀଳକାନ୍ତ ଶର୍ମା, ହାର୍ଦ୍ଦିକ ସିଂହ, ଲଳିତ କୁମାର ଉପାଧ୍ୟାୟ, ବିବେକ ସାଗର ପ୍ରଦାସ, ୟଶଦୀପ ସିୱଚ୍, ବିଶାଲ ଅଣ୍ଟିଲ (ମିଡଫିଲ୍ଡର), ଆକଶଦୀପ ସିଂହ, ରମଦୀପ ସିଂହ, ଗୁରଜନ୍ତ ସିଂହ, ମନଦୀପ ସିଂହ, ଦୀଲପ୍ରୀତ ସିଂହ, ସୁମିତ କୁମାର, ଗୁରସହବଜିତ ସିଂହ, ଶିଳାନନ୍ଦ ଲାକ୍ରା ଓ ଏସ୍ଭି ସୁନୀଲ ।