କେନ୍ଦ୍ରାପଡା, ୨୨।୪ : କେନ୍ଦ୍ରପଡ଼ା ତୁଳସୀକ୍ଷେତ୍ରର ଆରାଧ ଦେବତା ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ସହ ଚତୁର୍ଦ୍ଧା ମୂର୍ତ୍ତି ସୁନାବେଶରେ ଝଟକିବେ। ଶ୍ରୀଜୀଉମାନଙ୍କ ପାଇଁ ସୁନାର ଆଭୂଷଣ ତିଆରି ହେବ। ଠାକୁରଙ୍କ ସମ୍ପୂର୍ଣ ସୁନାବେଶ ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।
ଦାନ ସଂଗ୍ରହ ପାଇଁ ପବିତ୍ର ଅକ୍ଷୟ ତୃତୀୟାରେ କ୍ୟୁଆର୍ କୋଡ୍ ଲୋକାର୍ପିତ ହୋଇଛି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବୀନ୍ଦ୍ର ମଲିକ, ପଞ୍ଜାବ ନାସନାଲ ବ୍ୟାଙ୍କର କଟକ ମଣ୍ଡଳ ମୁଖ୍ୟ ଅଭିଷେକ ଭଟ୍ଟାଚାର୍ଯ୍ୟ ଏବଂ ପଞ୍ଜାବ ନାସନାଲ ବ୍ୟାଙ୍କ ମଣ୍ଡଳ ଶାଖାର ଯୋଜନା ଓ ଉନ୍ନୟନ ପରିଚାଳକ ଦୀପକ ପ୍ରଧାନ ଏହି କୋଡ୍ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀବଳଦେବଜୀଉ ଦେବୋତ୍ତର ସଂସ୍ଥା ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ଟ୍ରଷ୍ଟବୋର୍ଡ ସଭ୍ୟ ନୃସିଂହ ପ୍ରସାଦ ପତ୍ରୀ, ହୃଷିକେଶ ରଥ, ଏସ୍ଡିପିଓ ଜ୍ୟୋତିରଞ୍ଜନ ଗୌଡ଼, ଟାଉନ୍ ଥାନା ଆଇଆଇସି ଶୁଭେନ୍ଦୁ ସାହୁ, ଶ୍ରୀବଳଦେବଜୀଉଙ୍କ ସୁନାବେଶ ପରିକଳ୍ପନା କମିଟି ସଦସ୍ୟ ଉପସ୍ଥିତ ଥିଲେ ।
କେବଳ କ୍ୟୁଆର କୋଡ୍ ମାଧ୍ୟମରେ ଦାନ ଦେବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି । କେହି ଯଦି ଅର୍ଥ ଦାନ କରିବାକୁ ଚାହୁଁଛନ୍ତି ସିଧାସଳଖ ଶ୍ରୀବଳଦେବଜିଉ ମନ୍ଦିର ଦେବୋତ୍ତର ସଂସ୍ଥା ଜରିଆରେ ଦାନ କରିବାକୁ କହିଛନ୍ତି। ଏଥିପାଇଁ କାହାକୁ ବ୍ୟକ୍ତିଗତ ଭାବେ କୌଣସି ଦାନ ଦେବାକୁ ସେ ମନା କରିଛନ୍ତି। ଶ୍ରୀବଳଦେବଜୀଉ ମନ୍ଦିର ଦେବୋତ୍ତର ସଂସ୍ଥା ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ନବକୃଷ୍ଣ ଜେନା କହିଛତି ଯେ ଶ୍ରୀଜୀଉଙ୍କ ସୁନାବେଶ ପ୍ରସ୍ତାବ ବୁଦ୍ଧିଜୀବୀ ଓ ଭକ୍ତ ମହଲରୁ ଆସିଥିଲା। ଏଥିପାଇଁ ସୁନାବେଶ ପରିକଳ୍ପନା ପ୍ରକଳ୍ପ କମିଟି ତିଆରି ହୋଇଛି ।
ସୁନବେଶ ପରିକଳ୍ପନା କମିଟି ସଭାପତି ଉମାକାନ୍ତ ବଳ କହିଛନ୍ତି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିରରେ ତିନି ଦିଅଁଙ୍କ ସମ୍ପୂର୍ଣ୍ଣ ସୁନାବେଶ କରାଯାଉଛି। ହେଲେ କେନ୍ଦ୍ରାପଡ଼ାରେ ପୂଜା ପାଉଥିବା ଶ୍ରୀଜଗନ୍ନାଥଙ୍କ ବଡ଼ଭାଇ ଶ୍ରୀବଳଦେବଜୀଉଙ୍କୁ ଏହି ବେଶରେ ଦେଖିବାକୁ ମିଳୁନାହିଁ । ଏଣୁ ଏହି ମହତ୍ ଉଦ୍ୟମ ଆରମ୍ଭ ହୋଇଛି। କମିଟି ସମ୍ପାଦକ ରଞ୍ଜନ ପୃଷ୍ଟି କହିଛନ୍ତି ଯେ ସୁନାବେଶ ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ମହାପ୍ରଭୁ ଶ୍ରୀବଳଦେବଜୀଉ ଓ ଶ୍ରୀଜଗନ୍ନାଥଙ୍କ କରୁଣାରୁ ଦିନେ ନା ଦିନେ ନିଶ୍ଚୟ ସୁନାବେଶ ଉଦ୍ୟମ ସଫଳ ହେବ । ଶ୍ରୀବଳଦେବଜୀଉ ଦେବୋତ୍ତର ସଂସ୍ଥା ଟ୍ରଷ୍ଟ ବୋର୍ଡ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ନୀ କହିଛନ୍ତି ଯେ ଏବେ ସୁନା ଦର ବଢ଼ିଯାଇଛି। ପୂର୍ବରୁ ହୁଣ୍ଡିରେ କିଛି କିଛି ସୁନା ପଡୁଥିଲା । ସୁନା ଦର ବଢ଼ିବା ପରେ ବର୍ଷେ ହେବ ଏହା କମିଯାଇଛି। ଗତ ୪ ବର୍ଷ ହେବ ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ଚାନ୍ଦିବେଶ କରାଯାଉଛି। କ୍ୟୁଆର୍ କୋଡ୍ ଲୋକର୍ପଣ ହେବା ପରଠାରୁ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୬ ହଜାର ୯୮୩ ଟଙ୍କା ଦାନ ସଂଗ୍ରହ ହେଲାଣି।