ସୁନ୍ଦରଗଡ଼ର ନାବାଳିକା ରାଜସ୍ଥାନରୁ ଉଦ୍ଧାର: ୮ ମାସର ଗର୍ଭବତୀ ଥିବା ସୂଚନା

ସମ୍ବଲପୁର,୭ା୨(ବ୍ୟୁରୋ): ଦୀର୍ଘ ୨ ବର୍ଷ ତଳେ ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ଅଞ୍ଚଳର ଜଣେ ନାବାଳିକା ରାଜସ୍ଥାନରେ ବିକ୍ରି ହୋଇଥିବା ବେଳେ ତାକୁ ଉଦ୍ଧାର ପାଇଁ ସବୁ ଦୁଆରୁ ପିତା ନିରାଶ ହୋଇଥିଲେ । ହେଲେ ଶେଷରେ ଆଜି ଦିଲ୍ଲୀ ମହିଳା କମିସନ ଅଭିଯୋଗ ପାଇବାର ଦିନକ ମଧ୍ୟରେ ଉକ୍ତ ନାବାଳିକାକୁ ରାଜସ୍ଥାନରୁ ଉଦ୍ଧାର କରିବାରେ ସଫଳ ହୋଇଛି । ଉକ୍ତ ନାବାଳିକା ଯୌନ ଶୋଷଣର ଶିକାର ହୋଇ ବର୍ତ୍ତମାନ ୮ ମାସର ଗର୍ଭବତୀ ଥିବା ଜଣାପଡ଼ିଛି । ସେପଟେ ଦିଲ୍ଲୀ ମହିଳା କମିଶନ ଏହି ଘଟଣାକୁ ନେଇ ପରୋକ୍ଷରେ ଓଡ଼ିଶା ପୁଲିସ ପ୍ରଶାସନକୁ ଭର୍ତ୍ସନା କରିଛନ୍ତି ।
ସୂଚନାଯୋଗ୍ୟ, ଲାଠିକଟା ଅଞ୍ଚଳର ଆଦିବାସୀ ସଂପ୍ରଦାୟର ଜଣେ ୧୪ ବର୍ଷର ନାବାଳିକାକୁ ତାର ଭିଣୋଇ ଚନ୍ଦ୍ର ମଣ୍ଡଳ ୪ ଲକ୍ଷ ଟଙ୍କାରେ ରାଜସ୍ଥାନର କିଶନ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ପାଖରେ ବିକ୍ରି କରିଥିଲା । ଚାକିରି ଆଶାରେ ଯାଇଥିବା ଉକ୍ତ ନାବାଳିକା ପ୍ରଥମ ଦିନରୁ ହିଁ ଯୌନ ଶୋଷଣର ଶିକାର ହୋଇଥିଲେ । ମଝିରେ ମଝିରେ ସୁଯୋଗ ଦେଖି ନିଜ ପିତାଙ୍କୁ ଫୋନ୍ କରି ଉଦ୍ଧାର ପାଇଁ ଆକୁଳ ନିବେଦନ କରୁଥିଲେ ।
ଏନେଇ ଥାନାରେ ଉକ୍ତ ନାବାଳିକାର ବାପା ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ନିରବ ବସିଗଲା । ନାବାଳିକାର ବାପା ୨ ବର୍ଷ ଧରି ନିଜ ଝିଅର ଉଦ୍ଧାର ପାଇଁ ପୁଲିସ ପ୍ରଶାସନର ସବୁ ଦୂଆରେ ନେହୁରା ହୋଇ ନିରାଶ ହୋଇଥିଲେ । ଏପରିକି ପଡ଼ୋଶୀ ଝାରସୁଗୁଡ଼ା ଜିଲ୍ଲାକୁ ଆସି ବି କାଳେ କୌଣସି ସହଯୋଗ ମିଳିବ ବୋଲି ଗୁହାରୀ କରିଥିଲେ । ତଥାପି କୌଣସି ସୁଫଳ ମିଳିନଥିଲା । ଦିନ ମଜୁରିଆ ଭାବେ କାମ କରୁଥିବା ନାବାଳିକାର ବାପା କୌଣସିମତେ ଅର୍ଥ ଯୋଗାଡ଼ କରି ଦୁଇ ଦିନ ତଳେ ଦିଲ୍ଲୀକୁ ଯାଇ ଦିଲ୍ଲୀ ମହିଳା କମିଶନଙ୍କ ଆଗରେ ଅଭିଯୋଗ କରିଥିଲେ ।
ତାଙ୍କ ଅଭିଯୋଗ ପାଇବା ପରେ କମିସନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ନିଜେ ତାଙ୍କ ପରିସୀମା ବାହାର ରାଜ୍ୟରେ ହେବା ସତ୍ତେ୍ୱ ଆଜି ଗୋଟିଏ ଦିନରେ ରାଜସ୍ଥାନରୁ ଉକ୍ତ ନାବାଳିକାକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଏହାଛଡ଼ା ସେଠାରେ କଏଦ୍ ଥିବା ଆଉ କିଛି ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ଲାଠିକଟାର ଏହି ନାବାଳିକା ବର୍ତ୍ତମାନ ୮ ମାସର ଗର୍ଭବତୀ ଥିବା ଜଣାପଡ଼ିଛି । ଏନେଇ ସ୍ୱାତୀ ଟ୍ୱିଟର୍ରେ ଓଡ଼ିଶା ପୁଲିସ ପ୍ରଶାସନକୁ ତୀବ୍ର ଭର୍ତ୍ସନା କରିଛନ୍ତି । ଯଦି ଗୋଟିଏ ଦିନରେ ହିଁ କମିସନଙ୍କ ଏରିଆ ବାହାରେ ଥିବା ନାବାଳିକା ଉଦ୍ଧାର ହୋଇପାରିଲା ତା’ହେଲେ ଦୀର୍ଘ ୨ ବର୍ଷ ଧରି କାହିଁକି କୌଣସି ପଦକ୍ଷେପ ନିଆଯାଇନଥିଲା ବୋଲି ସ୍ୱାତୀ ପ୍ରଶ୍ନ କରି ଉଦ୍ବେଗ ପ୍ରକାଶ କରିଛନ୍ତି ।
ସେପଟେ, ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ପୁଲିସ ମାମଲାର ତଦନ୍ତ ପାଇଁ କେବଳ ନିଷ୍କ୍ରିୟତା ପ୍ରକାଶ କରିନାହିଁ, ବରଂ ମାମଲାକୁ ସ୍ଥାୟୀ ଭାବେ ଚପାଇ ଦେବା ପାଇଁ ଫାଇଲ୍ ବନ୍ଦ କରି ଦେଇଥିବା ଅଭିଯୋଗ ହୋଇଛି ।