କ୍ରିକେଟ୍ ଇତିହାସରେ ବିରଳ, ୭ ଓଭର ବୋଲିଂରେ ୭ ମେଡେନ୍ ଓ ୭ ଓ୍ବିକେଟ୍: କମାଲ୍ କଲେ ଏହି ଷ୍ଟାର ସ୍ପିନର୍

ନୂଆଦିଲ୍ଲୀ ୨୦/ ୦୩: ୭ ଓଭର ବୋଲିଂ, ୭ ଓଭର ମେଡେନ୍ ଆଉ ୭ ଓ୍ବିକେଟ୍ । କ୍ରିକେଟ୍ ହେଉଛି ଅନିଶ୍ଚିତତାର ଖେଳ । କ୍ରିକେଟ୍ରେ ଅସମ୍ଭବ ବି ସମ୍ଭବ ହୋଇପାରେ । ଏହା କ୍ରିକେଟ୍ ପ୍ରେମୀଙ୍କୁ ବେଶ୍ ଜଣା। କିନ୍ତୁ ଜଣେ ବୋଲର ଏଭଳି କିଛି କାରନାମା କରି ଦେଖାଇବେ ତାହା କଳ୍ପନା ବାହାରେ । ଅବଶ୍ୟ ବୋଲର ବି ବିଶ୍ବ କ୍ରିକେଟରେ ଜଣେ ପରିିଚିତ ନାଁ । ସେ ଆଗରୁ ଏଭଳି ଅନେକ କାରନାମା କରି ଦେଖାଇଛନ୍ତି । ଯାହାକି କ୍ରିକେଟର ସ୍ବର୍ଣ୍ଣିମ ଅଧ୍ୟାୟରେ ଲିପିବଦ୍ଧ ହୋଇ ରହିଛି । ଆମେ କହୁଛୁ ଓ୍ବେଷ୍ଟଇଣ୍ଡିଜର ଷ୍ଟାର ସ୍ପିନର୍ ସୁନୀଲ ନାରିନଙ୍କ କଥା ।
ଇଣ୍ଡିଆନ୍ ପ୍ରିମିୟର ଲିଗ୍ ହେଉ କିମ୍ବା ଅନ୍ତର୍ଜାତୀୟ କ୍ରିକେଟ ସବୁଥିରେ ପ୍ରଭାବ ବିସ୍ତାର କରିଛନ୍ତି ସୁନୀଲ ନାରିନ । ଆଇପିଏଲ୍ ଇତିହାସରେ ସବୁଠାରୁ ସଫଳ ବୋଲର ହେଉଛନ୍ତି ନାରିନ । ଏବେ ପୁଣି ଏକ ବିରଳ କାରନାମା କରି ଦେଖାଇଛନ୍ତି । ସ୍ଥାନୀୟ ଏକ ଲିଗ୍ ମ୍ୟାଚ୍ରେ ସେ ୭ ଓଭର ବୋଲିଂ କରିଥିବା ବେଳେ ୭ ଓଭର ଯାକ ମେଡେନ୍ ହୋଇଛି । କେବଳ ସେତିକି ନୁହେଁ ୭ ଓଭରରେ ନାରିନ୍ ୭ଟି ଓ୍ବିକେଟ୍ ବି ନେଇଛନ୍ତି ।
ଓ୍ବେଷ୍ଟଇଣ୍ଡିଜରେ ଖେଳାଯାଇଥିବା ଏକ ଟୁର୍ଣ୍ଣାମେଣ୍ଟରେ ସୁନୀଲ ନାରିନ୍ ଏହି ରେକର୍ଡ କରିଛନ୍ତି । କୁଇନ୍ସ ପାର୍କ କ୍ଲବ୍ ପକ୍ଷରୁ ଖେଳୁଥିବା ନାରିନ୍ କ୍ଲାର୍କ ରୋଡ୍ ୟୁନାଇଟେଡ୍ ବିପକ୍ଷରେ ଏହି ରେକର୍ଡ କରିଛନ୍ତି । ନାରିନଙ୍କ ଘାତକ ବୋଲିଂ ବଳରେ ବିପକ୍ଷ ଦଳ ମାତ୍ର ୭୬ ରନ୍ରେ ହିଁ ଅଲଆଉଟ୍ ହୋଇଯାଇଥିଲା । କୁଇନ୍ସ ପାର୍କ କ୍ଲବ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୩ ଓ୍ବିକେଟ୍ ହରାଇ ସଂଗ୍ରହ କରିଥିଲା ୨୬୮ ରନ୍ । ଜବାବର ପ୍ରତିପକ୍ଷ କ୍ଲାର୍କ ରୋଡ୍ ଟିମ୍ ୭୬ ରନରେ ଅଲଆଉଟ୍ ହୋଇଯିବାରୁ ନାରିନଙ୍କ ଟିମ୍ ୧୯୨ ରନରେ ଜିତିନେଇଥିଲା ।
ସୁନୀଲ ନାରିନଙ୍କ ଆଇପିଏଲ୍ କ୍ୟାରିୟର ଦମଦାର ରହିଛି । ସେ ବର୍ତ୍ତମାନ ସୁଦ୍ଧା ମୋଟ ୧୪୮ଟି ମ୍ୟାଚ୍ ଖେଳିଥିବା ବେଳେ ୧୫୨ଟି ଓ୍ବିକେଟ ନେଇଛନ୍ତି । ଯେଉଁଥିରେ ସେ ୭ ଥର ୪ଟି ଓ୍ବିକେଟ ନେଇଥିବା ବେଳେ ଥରେ ୫ ଓ୍ବିକେଟ ନେଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ସେ ୬୫ ଦିନିକିଆରୁ ୯୨ ଓ୍ବିକେଟ, ୫୧ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍ ଖେଳି ୫୨ ଓ୍ବିକେଟ ଓ ୬ଟି ଟେଷ୍ଟ ମ୍ୟାଚ୍ ଖେଳି ୨୧ଟି ଓ୍ବିକେଟ ନେଇଛନ୍ତି ।