ଭାରତ ପାଖରେ ‘ସୁପର ସ୍ପାୟ ସାଟେଲାଇଟ’, ଉଭୟ ଦିନ ଓ ରାତିରେ କରିପାରିବ କାମ

ନୂଆଦିଲ୍ଲୀ,୨୨ା୫(ଏଜେନ୍ସି): ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଆଜି ସଫଳତାର ସହ ଭାରତର ଏକ ଅତ୍ୟାଧୁନିକ ଗୁଇନ୍ଦା ଉପଗ୍ରହ ରିସାଟ-୨ବିକୁ ମହାକାଶକୁ ପ୍ରେରଣ କରିଛି । ପିଏସଏଲଭି-ସି୪୬( ପୋଲାର ସାଟେଲାଇଟ ଲଞ୍ଚ ଭେହିକିଲ)ରକେଟ ଯୋଗେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ଏହାକୁ ପ୍ରେରଣ କରାଯାଇଥିଲା । ଆଜି ଭୋର ୫ଟା ୩୦ରେ ରକେଟର ଉତ୍କ୍ଷେପଣ କରାଯାଇଥିଲା ଏବଂ ଏହା ୧୫ ମିନିଟ ପରେ ୬୧୫ କିଲୋ ଓଜନର ଉକ୍ତ ଉପଗ୍ରହକୁ ଭୂପୃଷ୍ଠ ଠାରୁ ୫୫୫ କିମି ଉଦ୍ଧ୍ୱର୍ରେ ଅବସ୍ଥାପିତ କରିଥିଲା ।
ସୁପର ସ୍ପାୟ ସାଟେଲାଇଟ ବୋଲି କୁହାଯାଉଥିବା ରିସାଟ୍-୨ବି ହେଉଛି ଏକ ରାଡାର ଇମେଜିଂ ସାଟେଲାଇଟ । ଏଥିରେ ସିନ୍ଥେଟିକ୍ ଆପେରଚର ରାଡାର ଲାଗିଛି ଯାହାକି ସମସ୍ତ ପ୍ରକାର ପାଣିପାଗରେ କାମ କରିପାରିବ । ଏହାଯୋଗୁ ଆକାଶରେ ବାଦଲ ଢାଙ୍କି ହୋଇଥିଲେ ବି ଉକ୍ତ ଉପଗ୍ରହ ଭୂପୃଷ୍ଠର ଫଟୋ ଉଠାଇପାରିବ । ଏଥିରେ ମଧ୍ୟ ଏକ୍ସ ବ୍ୟାଣ୍ଡ ରାଡାର ଲାଗିଛି । ଏହି ଉପଗ୍ରହ ଉଭୟ ଦିନ ଓ ରାତିରେ କାମ କରିପାରିବ । ଭାରତ ଦ୍ୱାରା ପୂର୍ବରୁ ପ୍ରେରଣ କରାଯାଇଥିବା ରିମୋଟ ସେନ୍ସିଂ ଏବଂ ଅପ୍ଟିକାଲ ଇମେଜିଂ ସାଟେଲାଇଟ ଠାରୁ ଏଧରଣର ଗୁଇନ୍ଦା ଉପଗ୍ରହ ଅଧିକ ଉପଯୋଗୀ । ଭାରତ ଏହାକୁ ବ୍ୟବହାର କରି ସୀମାରେ ଆତଙ୍କବାଦୀଙ୍କ ଗତିବିଧି ସହିତ ଶତ୍ରୁ ଦେଶର ସମ୍ବେଦନଶୀଳ ପ୍ରତିଷ୍ଠାନଗୁଡିକ ଉପରେ ବି ନଜର ରଖିପାରିବ । ଏହାକୁ ମଧ୍ୟ କୃଷି ,ଜଙ୍ଗଲ, ବିପର୍ଯ୍ୟୟ ପରିଚାଳନା ଏବଂ ଅନ୍ୟ କେତେକ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ।
ଇସ୍ରୋ ପୂର୍ବରୁ ୨୦୦୯ ଏବଂ ୨୦୧୨ ମସିହାରେ ଏଭଳି ଦୁଇଟି ରାଡାର ଇମେଜିଂ ସାଟେଲାଇଟ୍ ମହାକାଶକୁ ପ୍ରେରଣ କରିଥିଲା । ହେଲେ କେବଳ ୨୦୧୯ରେ ସିଏ ଏଭଳି ୫ଟିରୁ ଉଦ୍ଧ୍ୱର୍ ଗୁଇନ୍ଦା ଉପଗ୍ରହ ପ୍ରେରଣ କରିବାକୁ ଯୋଜନା କରିଛି । ମହାକାଶୀୟ ପ୍ରଯୁକ୍ତି ବିଦ୍ୟାକୁ ଦେଶର ସୁରକ୍ଷା ପାଇଁ ବ୍ୟବହାର କରାଯିବା ଉପରେ ମୋଦି ସରକାର ଅଧିକ ଗୁରୁତ୍ୱ ଦେଉଥିବାରୁ ଏଭଳି ପଦକ୍ଷେପ ନିଆଯାଉଛି ।
ଇସ୍ରୋ ମଧ୍ୟ ଆଜିର ମିଶନରେ ସେମି-କଣ୍ଡକ୍ଟର ଲାବରାଟୋରୀ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ବିକ୍ରମ ପ୍ରୋସେସରକୁ ବ୍ୟବହାର କରିଛି । ଭବିଷ୍ୟତରେ କାର୍ଯ୍ୟକାରୀ କରାଯିବାକୁ ଥିବା ମିଶନଗୁଡିକରେ ଏହି ପ୍ରୋସେସର ହିଁ ସବୁ କମ୍ପ୍ୟୁଟରରେ ବ୍ୟବହାର କରାଯିବ ବୋଲି ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକ ସୂଚନା ଦେଇଛନ୍ତି ।