ଭୁବନେଶ୍ୱର, ୦୧/୦୪ : ଚିକିତ୍ସା ବିଜ୍ଞାନର ଲାଭ ଘରେ ଘରେ ପହଞ୍ଚାଇବା ପାଇଁ ସରକାର ଲାଗି ପଡ଼ିଛନ୍ତି । ବିଶେଷ କରି ଆଦିବାସୀ ଓ ଉପାନ୍ତ ଅଞ୍ଚଳରେ ଏଥିପାଇଁ ଗୁରୁତ୍ୱ ଦେଉଛନ୍ତି । ଅପରପକ୍ଷରେ ଆଦିବାସୀ ବହୁଳ ଜିଲ୍ଲାରେ ଅଧିକାଂଶ ଲୋକମାନେ ଡାକ୍ତରୀ ଚିକିତ୍ସା ଅପେକ୍ଷା ଗୁଣିଗାରେଡ଼ି ଆଉ ପୂଜାପାଠ ଉପରେ ଅଧିକ ଆସ୍ଥା ରଖୁଛନ୍ତି । ଫଳରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଉଛି ଯାହା ଏବେ ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡବିନ୍ଧାର କାରଣ ପାଲଟିଛି । କେମିତି ସେମାନଙ୍କ ମୁଣ୍ଡରୁ କୁସଂସ୍କାର ଓ ଭ୍ରାନ୍ତଧାରଣା ଦୂର କରିବ ? ଆଧୁନିକ ଚିକିତ୍ସା ପଦ୍ଧତିରେ ସାମିଲ କରାଯିବ ସେନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଅଣ୍ଟା ଭିଡ଼ିଛି । ଗ୍ରାମସଭା ଡାକି ସଚେତନତା ଓ ସ୍ୱାସ୍ଥ୍ୟ କର୍ମୀ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ପ୍ରୟାସ ଆରମ୍ଭ କରିଛି । ଆଦିବାସୀ ଅଞ୍ଚଳ ଗସ୍ତରେ ଯାଇଥିବା ବିଭାଗୀୟ ବିଶେଷଜ୍ଞ କମିଟି, ଏ ସମ୍ପର୍କରେ ରିପୋର୍ଟ ଦେବା ପରେ ବିଭାଗ ତତ୍ପର ଦେଖାଇଛି ।

ଅନ୍ଧବିଶ୍ୱାସ ଆଉ ତନ୍ତ୍ରମନ୍ତ୍ର ରୋଗୀଙ୍କୁ କେତେବେଳେ ଗୁରୁତର କରୁଛି ତ, ଆଉ କେତେବେଳେ ଜୀବନ ନେଉଛି । ସାପ କାମୁଡ଼ା ହେଉ ବା ଝାଡ଼ାବାନ୍ତି, ଲୋକେ ଚିକିତ୍ସା ବିଜ୍ଞାନ ଉପରେ ବିଶ୍ୱାସ କରୁନାହାନ୍ତି । ସେମାନେ ଡାକ୍ତରଙ୍କ ଅପେକ୍ଷା ଗୁଣିଆ ପାଖକୁ ବେଶୀ ଯାଉଛନ୍ତି । ରାଜ୍ୟରେ ୨୦୨୪-୨୫ରେ ସାପ କାମୁଡ଼ାରେ ୯୨୧ ଜଣଙ୍କ ଜୀବନ ଯାଇଛି । ସ୍ୱାସ୍ଥ୍ୟ ବିଭାଗ ବିଶେଷଜ୍ଞଙ୍କ କହିବା କଥା ହେଲା ସେଥିରୁ ୪୦ ଭାଗ ଗୁଣିଗାରେଡ଼ି ଓ ଗଦ ଆଦି ଚିକିତ୍ସା ଉପରେ ନିର୍ଭର କରିଥିବାରୁ ଜୀବନ ଯାଇଛି । ଯଦି ସେମାନେ ହସ୍ପିଟାଲ ଯାଇଥାନ୍ତେ, ତାହାଲେ ଅଧିକାଂଶ ଆହତଙ୍କୁ ବଞ୍ଚାଯାଇପାରିଥାନ୍ତା ।

ସେହିପରି ଆକ୍ସନ୍ ଏଡ୍ କରିଥିବା ସର୍ଭେ ଅନୁସାରେ ୧୦୦ଟି ଗୁଣିଗାରେଡିରୁ ୭୦% କେବଳ ଲୋକଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ରହିଛି । ସେଥିରେ ପୂଜାପାଠ ଓ ମନ୍ତ୍ରତନ୍ତ୍ର କରାଯାଇଥିବା ଜଣାପଡଛି । ବିଶେଷଜ୍ଞଙ୍କ କହିବା କଥା, ଜନସାଧାରଣଙ୍କ ପାଖରେ ଠିକଣା ଢ଼ଙ୍ଗରେ ସଚେତନତା ବାର୍ତ୍ତା ପହଞ୍ଚିନି । ମାନସିକ ରୋଗୀଙ୍କୁ ଭୂତପ୍ରେତ ଲାଗିଛି କହି ତନ୍ତ୍ରମନ୍ତ୍ର ଚିକିତ୍ସା କରୁଛନ୍ତି । ହଇଜା ବ୍ୟାପିଲେ ଦେବତା କୋପ କରିଛନ୍ତି ବୋଲି କହୁଛନ୍ତି । ଏସବୁ ଅନ୍ଧବିଶ୍ୱାସ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଲୋକମାନେ ଅନ୍ଧବିଶ୍ୱାସଠୁ ଦୂରେଇ ରୁହନ୍ତୁ । ରୋଗ ହେଲା ମାତ୍ରେ ହସ୍ପିଟାଲ ଯାଆନ୍ତୁ । ନିର୍ଦ୍ଦେଶାଳୟ ରୋଗ ହେଲା କ୍ଷଣି ଡାକ୍ତରଖାନା ଯିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରୁଛି ।

ଏହି ଖବରଟିକୁ ପଢନ୍ତୁ- ନୂଆ ସହର ପାଇଁ ଏମ୍ଓୟୁ, ୪୦ ପ୍ରତିଶତ ରହିବ ସବୁଜ ପରିବେଶ