ଭୁବନେଶ୍ୱର,୦୧।୦୪: ନୂଆ ସହର ମୂଳଦୁଆ ପଡ଼ିବ । ଭୁବନେଶ୍ୱର ଉପକଣ୍ଠରେ ଠିଆ ହେବ ମଡେଲ ସିଟି । ଏହାର ମାଷ୍ଟରପ୍ଲାନ ପାଇଁ ଆଜି ବିଡିଏମ୍‌ ଏମ୍‌ଓୟୁ ସ୍ୱାକ୍ଷର କରିଛି । ସିଙ୍ଗାପୁରର ପ୍ରତିଷ୍ଠିତ କମ୍ପାନି ସୁର୍ବାନା ଜୁରାଙ୍ଗ ଏହି ପ୍ରକଳ୍ପକୁ ନୂଆ ରୂପ ଦେବ । ବିଡିଏ ସଚିବ ମାନସ ରଞ୍ଜନ ପାଢୀ ଓ କମ୍ପାନିର ଡେପୁଟି ଡାଇରେକ୍ଟର ମନଦୀପ ଦତ୍ତଙ୍କ ମଧ୍ୟରେ ଆଜି ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ମେଗା ପ୍ରକଳ୍ପ ଗୋଠପାଟଣା, ମଳିପଡା ଓ ଦାଶପୁର ଅଞ୍ଚଳର ପ୍ରାୟ ୮୦୦ ଏକର ଜମିରେ ନିର୍ମାଣ ହେବ ଏବଂ ରାଜ୍ୟର ଦୀର୍ଘମିଆଦୀ ଉନ୍ନୟନ ରୋଡ୍‌ମ୍ୟାପ୍‌ "ବିକଶିତ ଓଡ଼ିଶା ୨୦୩୬' ସହ ସମନ୍ୱୟ ରଖି ଏକ ବହୁ-ଅର୍ଥନୈତିକ ବୃଦ୍ଧି କ୍ଷେତ୍ର ଭାବେ ଗଢ଼ାଯିବ । 

ଏଥିରେ ସ୍ମାର୍ଟ ସିଟି ଭିତ୍ତିଭୂମିକୁ ଗୁରୁତ୍ୱ ଦିଆଯାଇଛି । ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ପ୍ଲାନିଂ ଏଥିରେ ବ୍ୟବହାର କରାଯିବ । ସବୁଜ ସହର ଭାବେ ଏହାକୁ ବିକଶିତ କରାଯିବ । ସହରରେ ୪୦ ପ୍ରତିଶତ ସବୁଜ ସ୍ଥାନ ରହିବ । ଆବାସିକ କୋଠା ସହ ମାର୍କେଟ କମ୍ପେ୍ଲକ୍ସ, ଖେଳ ପଡ଼ିଆ, ସ୍କୁଲ, ହସ୍ପିଟାଲ, କଲ୍ୟାଣ ମଣ୍ଡପ ରହିବ । ସବୁଠୁ ବଡ଼ କଥା ହେଉଛି, ଏହି ସହରକୁ ସମ୍ପୂର୍ଣ୍ଣ ସୋଲାର ସିଟି କରାଯିବ । ଏହାସହ ସହରରେ ଇ-ବସ୍‌, ଇ-ଯାନ ବ୍ୟବହାର କରିବାକୁ ଯୋଜନା କରାଯାଇଛି । ସେହିପରି ମେଟ୍ରୋ ଲାଇନ ମଧ୍ୟ ସହରରେ ସ୍ଥାନ ପାଇବ । ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍‌ (ଏସ୍‌ଇଜି) ଲାଗି ପ୍ରସ୍ତାବ ଦିଆଯାଇଛି । ଏହା ଦ୍ୱାରା ବୃହତ୍‌ ଆଇଟି କମ୍ପାନି ଏହି ନୂଆ ସହରରେ ପୁଞ୍ଜି ନିବେଶର ସୁଯୋଗ ପାଇବେ । 

ଆହୁରି ପଢନ୍ତୁ-୨ରୁ ପୁଣି କଡ଼ାକଡ଼ି କରାଯିବ ପିୟୁସିସି ଯାଞ୍ଚ୍‌, ବୃଦ୍ଧି ହୋଇପାରେ ଜରିମାନା ୫୦% ଛାଡ଼ର ଅବଧି​​​​​​​

ଆଇଟି ହବ୍‌ ଭାବେ ସହରକୁ ପରିଣତ କରାଯିବ । ଯେଉଁମାନେ ନିବେଶ କରିବେ, ସେମାନଙ୍କ ପାଇଁ ରାଜ୍ୟ ସରକାର ୧୦ରୁ ୧୫ ବର୍ଷ ଆୟକର ଛାଡ଼ ନେଇ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଏହା ସହ ବିଦେଶୀ ପୁଞ୍ଜି ନିବେଶକୁ ମଧ୍ୟ ପ୍ରୋତ୍ସାହିତ କରାଯିବ । ଏହି ନୂଆ ସହରରେ ପ୍ରାୟ ୨୦ ହଜାର ଘର ନିର୍ମାଣ ହେବ । ୧.୫ ଲକ୍ଷରୁ ଅଧିକ ଲୋକ ଏହି ନୂଆ ସହରରେ ବାସ କରିବାକୁ ଯୋଜନା ହୋଇଛି । ଖୁବ୍‌ଶୀଘ୍ର ଏନେଇ ଜମି ଅଧିଗ୍ରହଣ କରାଯିବ । ତା ପୂର୍ବରୁ ପାଚେରି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ୭.୫ କିମି ପାଚେରି ନିର୍ମାଣ ସରିଲାଣି । ନୂଆ ସହରେ ସବୁ ଶ୍ରେଣୀର ଲୋକଙ୍କ ପାଇଁ ସୁଲଭ ଘର ଯୋଗାଇ ଦିଆଯିବ । ଏନେଇ ସ୍ୱତନ୍ତ୍ର ଘର ନିର୍ମାଣ କରିବାକୁ ମାଷ୍ଟରପ୍ଲାନ୍‌ରେ ଯୋଜନା କରାଯାଇଛି।