ମୃତ୍ୟୁ ପରେ ମିଳିଲା ଆଇପିଏସ୍ ମାନ୍ୟତା : ସୁପ୍ରିମକୋର୍ଟ ଦେଲେ ରାୟ

source:www.indiatoday.in
ନୂଆଦିଲ୍ଲୀ,୧୦ ।୨(ଏଜେନ୍ସି): କଥାରେ ଅଛି ବିଳମ୍ବିତ ନ୍ୟାୟ ବିଡ଼ମ୍ବିତ ନ୍ୟାୟ । ଭାରତୀୟ ଗଣତନ୍ତ୍ର ଓ ବିଚାର ବ୍ୟବସ୍ଥାରେ ଏହାକୁ ଅନେକ ଅଙ୍ଗେ ଅଙ୍ଗେ ନିଭାଇଛନ୍ତି । ଏହିପରି ଏକ ଘଟଣା ହିମାଚଳ ପ୍ରଦେଶରେ ଦେଖିବାକୁ ମିଳିଛି । ଜଣେ ପୁଲିସ ଅଫିସରଙ୍କୁ ମୃତ୍ୟୁ ପରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଯୋଗୁ ଆଇପିଏସ୍ର ମାନ୍ୟତା ମିଳିଛି ।
ହିମାଚଳ ପ୍ରଦେଶର ଦିବଙ୍ଗତ ଡିଏସପି ଚୁନ୍ନିଲାଲ ଶର୍ମାଙ୍କୁ ତାଙ୍କ ମୃତ୍ୟୁ ପରେ ଭାରତୀୟ ପୁଲିସ ସେବା(ଆଇପିଏସ) ଅଧିକାରୀ ଭାବେ ମାନ୍ୟତା ମିଳିଛି । ଗତ ୪୦ ବର୍ଷ ଧରି ଏ ସମ୍ପର୍କିତ ମାମଲା ବିଭିନ୍ନ ଅଦାଲତରେ ଗଡ଼ିବା ପରେ ନିକଟରେ ସୁପ୍ରିମକୋର୍ଟ ଏହି ମାମଲାରେ ଚୂଡ଼ାନ୍ତ ରାୟ ଦେଇଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସ୍ୱର୍ଗତଃ ଶର୍ମାଙ୍କୁ ୧୯୭୭ ମସିହାରୁ ଆଇପିଏସ ଅଧିକାରୀ ଭାବେ ବିବେଚନା କରାଯିବା ସହିତ ସେହି ଦିନ ଠାରୁ ତାଙ୍କର ଦରମା, ବାର୍ଷିକ ଦରମା ବୃଦ୍ଧି, ପେନସନ ଏବଂ ଅବସରକାଳୀନ ପ୍ରାପ୍ୟ ବାବଦ ଅର୍ଥକୁ ଆସନ୍ତା ୪ ସପ୍ତାହ ଭିତରେ ପତ୍ନୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଉଭୟ ଶର୍ମା ଏବଂ ପତ୍ନୀଙ୍କୁ ଅଯଥା ମାମଲାରେ ଛନ୍ଦି ବର୍ଷ ବର୍ଷ ଧରି ହଇରାଣ କରୁଥିବାରୁ ଅଦାଲତ ଉଭୟ ରାଜ୍ୟ ସରକାର ଏବଂ ୟୁପିଏସସି ଉପରେ ୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ବି ଦେଇଛନ୍ତି । ତା’ଛଡ଼ା ୟୁପିଏସସି ସ୍ୱର୍ଗତ ଶର୍ମାଙ୍କର ୧୯୭୧ରୁ ୧୯୭୭ ମଧ୍ୟରେ ଆପ୍ରାଇଜାଲ ରେକର୍ଡ ହଜିଯାଇଥିବା ଦର୍ଶାଇଥିବାରୁ ଅଦାଲତ ୪୫ ବର୍ଷ ତଳର ଏହି ରେକର୍ଡ ପୁଣି ଥରେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସ୍ୱର୍ଗତଃ ଶର୍ମା ୧୯୭୭ ମସିହାରେ ଆଇପିଏସ ଭାବେ ପଦୋନ୍ନତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ତାଙ୍କୁ ବିଭିନ୍ନ କାରଣରୁ ପଦୋନ୍ନତି ଦିଆଯାଇନଥିଲା । ୧୯୮୧ ଡିସେମ୍ବରରେ ଏକ ସିଲେକ୍ସନ କମିଟି ମଧ୍ୟ ଶର୍ମା ଆଇପିଏସ ଭାବେ ପଦୋନ୍ନତି ପାଇବାକୁ ଯୋଗ୍ୟ ବୋଲି ଦର୍ଶାଇବା ସହିତ ତାଙ୍କର ବରିଷ୍ଠତା ଧାର୍ଯ୍ୟ କରିଥିଲା । ହେଲେ ରାଜ୍ୟ ସରକାର ଏବଂ ୟୁପିଏସସି ଏହାକୁ ବି ବିଚାରକୁ ନେଇନଥିଲେ । ଅନ୍ୟପଟରେ ଶର୍ମା ଏଥିପାଇଁ ବିଭିନ୍ନ ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ୨୦୦୯ ମସିହାରେ ରାଜ୍ୟ ହାଇକୋର୍ଟ ଶର୍ମାଙ୍କ ସପକ୍ଷରେ ରାୟ ଦେଇଥିଲେ । ଅଦାଲତ ୟୁପିଏସସିକୁ ତାଙ୍କର ବରିଷ୍ଠତା ଧାର୍ଯ୍ୟ କରିବାକୁ କହିଥିଲେ । ମାତ୍ର ୟୁପିଏସସି କହିଥିଲା କି ଶର୍ମାଙ୍କର ୧୯୭୧ରୁ ୭୭ ଭିତରେ ଏସିଆର ମିଳୁନାହିଁ । ଏହାପରେ ବି ହାଇକୋର୍ଟ ପୁଣି ଥରେ ଶର୍ମାଙ୍କ ସପକ୍ଷରେ ରାୟ ଦେଲେ । ୟୁପିଏସସି ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲା । ସେବେ ଠାରୁ ଏହି ମାମଲା ସର୍ବୋଚ୍ଚ ଅଦାଲତରେ ବିଚାରାଧୀନ ଥିଲା । ଶର୍ମାଙ୍କୁ ୨୦୧୫ ମସିହାରେ ପୁଲିସ ମେଡାଲ ମିଳିଥିଲା । କିନ୍ତୁ ସେଇବର୍ଷ ତାଙ୍କର ଦେହାନ୍ତ ହୋଇଥିଲା । ଦୀର୍ଘ ଦିନ ଧରି ଏହି ମାମଲା ଲଢ଼ୁଥିଲେ ବି ସେ ନିଜ ଜୀବନକାଳ ମଧ୍ୟରେ ନ୍ୟାୟ ପାଇପାରିନଥିଲେ । ଏବେ କିନ୍ତୁ ମୃତ୍ୟୁ ପରେ ତାଙ୍କୁ ନ୍ୟାୟ ମିଳିଛି ।