ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

କେନ୍ଦ୍ର ବନାମ ଦିଦି: ପୁଲିସ କମିଶନରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୫ ।୨(ଏଜେନ୍ସି): ସାରଦା ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ନିକଟରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ ସୁପ୍ରିମକୋର୍ଟ ଆଜି କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମେଘାଳୟ ରାଜଧାନୀ ସିଲଂ ଠାରେ କୁମାର ସିବିଆଇ ଅଧିକାରୀଙ୍କ ପାଖରେ ହାଜର ହେବାକୁ କୋର୍ଟ କହିଛନ୍ତି । ତେବେ ସିବିଆଇ ତାଙ୍କୁ ଗିରଫ କରିପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଦେଇଛନ୍ତି । ଇତିମଧ୍ୟରେ ଆସନ୍ତା ୮ ତାରିଖରେ ସେ ସିଲଂରେ ସିବିଆଇ ନିକଟରେ ହାଜର ହେବେ ବୋଲି କୁମାର ଚିଠି ଲେଖି ଜଣାଇଛନ୍ତି ।
ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଦୀପକ ଗୁପ୍ତା ଓ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ସିବିଆଇ ପକ୍ଷରୁ ଦାଖଲ ଅଦାଲତ ଅବମାନନା ମାମଲାରେ କୁମାରଙ୍କ ସମେତ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ନୋଟିସ ଜାରି କରିଛନ୍ତି । ଆସନ୍ତା ୧୮ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ ତାରିଖରେ ହେବ । ସେହିଦିନ ଏହି ୩ ଅଧିକାରୀ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବେ କି ନାହିଁ ତାହା ଉପରେ ନିଷ୍ପତ୍ତି ନିଆଯିବ । ସାରଦା ଚିଟଫଣ୍ଡ ମାମଲାରେ ପୁଲିସ କମିଶନର ଓ ଅନ୍ୟ କେତେଜଣ ଅଭିଯୁକ୍ତ ସହଯୋଗ କରୁନଥିବା ଦର୍ଶାଇ ଗତକାଲି ସିବିଆଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲା । ମାମଲାକୁ ଗ୍ରହଣ କରି ସୁପ୍ରିମକୋର୍ଟ ଆଜି ଶୁଣାଣି କରିବେ ବୋଲି ଦିନଧାର୍ଯ୍ୟ କରିଥିଲେ । ଏଥିସହିତ ତଦନ୍ତ ସଂକ୍ରାନ୍ତ ସମସ୍ତ ପ୍ରମାଣପତ୍ର ଓ ଦସ୍ତାବିଜ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ସୁପ୍ରିମକୋର୍ଟ ଗତକାଲି ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ ।
ସିବିଆଇ ପକ୍ଷରୁ ଆଜି ଦାଖଲ କରାଯାଇଥିବା ସତ୍ୟପାଠରେ ଦର୍ଶାଯାଇଛି କି ସାରଦା ଚିଟ୍‌ଫଣ୍ଡ ମାମଲାରେ ବହୁ ପୁଲିସ ଅଫିସର ଓ ବରିଷ୍ଠ ରାଜନେତାଙ୍କ ସମ୍ପୃକ୍ତି ରହିଥିବାର ଅନେକ ପ୍ରମାଣ ମିଳିଛି । ଏହି ପ୍ରମାଣ ଆଧାରରେ ପୁଲିସ କମିଶନରଙ୍କୁ ଜେରା କରାଯିବା ଲାଗି ନୋଟିସ ଜାରି କରାଯାଇଥିଲା । କାରଣ ସାରଦା ଚିଟ୍‌ଫଣ୍ଡ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଗଠନ କରିଥିବା ଏସ୍‌ଆଇଟିର ସେ ମୁଖ୍ୟ ଥିଲେ । ତଦନ୍ତ ସମୟରେ ତଦନ୍ତକାରୀ ଅଫିସରମାନେ ତାଙ୍କୁ ଅନେକ ଗୋପନ ଦସ୍ତାବିଜ୍‌ ଓ ପ୍ରମାଣ ପ୍ରଦାନ କରିଛନ୍ତି । କିନ୍ତୁ ପୁଲିସ କମିଶନର ସବୁକୁ ଚପାଇ ରଖିବା ସହ ତଦନ୍ତ ପ୍ରକ୍ରିୟାକୁ ସ୍ଥାଣୁ କରିଦେଇଛନ୍ତି । ସର୍ବୋଚ୍ଚ ଅଦାଲତ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦେବା ପୂର୍ବରୁ କୁମାର ଅନ୍ୟ ଅଭିଯୁକ୍ତମାନଙ୍କ ସହ ମିଶି ପ୍ରମାଣ ନଷ୍ଟ କରିଛନ୍ତି । ଏହି ମାମଲାରେ ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କର ମଧ୍ୟ ଭୂମିକା ରହିଛି । ସେମାନେ ଜାଣିଶୁଣି ସର୍ବୋଚ୍ଚ ଅଦାଲତଙ୍କ ଆଦେଶର ଉଲ୍ଲଂଘନ କରିଛନ୍ତି ବୋଲି ସିବିଆଇ ତାହାର ସତ୍ୟପାଠରେ ଉଲ୍ଲେଖ କରିଛି ।
ଅପରପକ୍ଷରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଆଡଭୋକେଟ ଏ.ଏମ୍‌. ସିଂଘଭି ଦର୍ଶାଇଥିଲେ ଯେ ସିବିଆଇ ମାମଲାର ତଦନ୍ତ ୫ ବର୍ଷ ହେଲା କରୁଛି । ଯଦି କୁମାର ପ୍ରମାଣ ନଷ୍ଟ କରିଛନ୍ତି ବୋଲି ସିବିଆଇ ଭାବୁଛି ତେବେ ତାଙ୍କ ବିରୋଧରେ କାହିଁକି ଗୋଟିଏ ହେଲେ ଏଫଆଇଆର ଦାଖଲ କରିନାହିଁ? ପ୍ରତିଶୋଧ ପରାୟଣ ହୋଇ ସିବିଆଇ ଏବେ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତତ୍ପରତା ପ୍ରକାଶ କରୁଛି । ଏହା ଉପରେ ସର୍ବୋଚ୍ଚ ଅଦାଲତ କହିଥିଲେ ଯେ ପୁଲିସ କମିଶନର ସିବିଆଇରେ ହାଜର ହେବାକୁ ଆପଣ କାହିଁକି ବିରୋଧ କରୁଛନ୍ତି ତାହା ଆମେ ବୁଝିପାରୁ ନାହୁଁ । ସିବିଆଇ ଦର୍ଶାଇଛି ଯେ କୁମାରଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି । ଗତକାଲି ସିବିଆଇର କିଛି ଅଧିକାରୀ ତାଙ୍କୁ ଗିରଫ କରିବାକୁ ଯିବା ବେଳେ କୁମାରଙ୍କ ଘରକୁ ସେମାନଙ୍କୁ ପ୍ରବେଶ କରିବାକୁ ଦିଆଯାଇନଥିଲା । ବରଂ ସିବିଆଇ ଅଧିକାରୀମାନଙ୍କୁ ସେଠାରେ ଅଟକ ରଖାଯାଇଥିଲା । ସେମାନେ ଘଟଣା ସମ୍ପର୍କରେ ପୁଲିସ ଡିଜିଙ୍କୁ ଜଣାଇବା ସହ ତାଙ୍କ ସହଯୋଗ ଲୋଡିଥିଲେ । ମାତ୍ର ପୁଲିସ ଡିଜି କୌଣସି ସହଯୋଗ କରିନଥିଲେ । ରାଜ୍ୟ ପ୍ରଶାସନରୁ ଏଭଳି ଅସହଯୋଗ ଯୋଗୁ ଚିଟ୍‌ଫଣ୍ଡ ତଦନ୍ତ ପ୍ରଭାବିତ ହେଉଛି ବୋଲି ସିବିଆଇ ଦର୍ଶାଇଛି ।
ଅପରପକ୍ଷରେ ସୁପ୍ରିମକୋର୍ଟଙ୍କ ଆଜିର ରାୟ ପରେ ଗତ ୩ ଦିନ ହେଲା ଧାରଣାରେ ବସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଧାରଣା ପ୍ରତ୍ୟାହାର କରିଛନ୍ତି । ତାଙ୍କୁ ସମର୍ଥନ ଜଣାଇ ତାଙ୍କ ସହ ଧାରଣାରେ ବସିଥିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଟିପି ମୁଖ୍ୟ ଏନ୍‌.ଚନ୍ଦ୍ରବାବୁ ନାଇଡୁ । ସୁପ୍ରିମକୋର୍ଟ ରାୟକୁ ଉଭୟ ତୃଣମୂଳ କଂଗ୍ରେସ ନିଜର ବିଜୟ ବୋଲି କହିଥିଲା ବେଳେ ବିଜେପି ମଧ୍ୟ ଏହାର ବିଜୟ ବୋଲି ଦର୍ଶାଇଛି । ଇତିମଧ୍ୟରେ ଧାରଣାରେ ବସି ପୁଲିସ କମିଶନର ସର୍ବଭାରତୀୟ ସେବା ଆଇନର ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଏହି ଘଟଣାକୁ ନେଇ ଶିବସେନା ମୋଦି ସରକାରଙ୍କୁ ସମାଲୋଚନା କରିଥିଲା ବେଳେ ସଂସଦରେ ମଧ୍ୟ ପ୍ରବଳ ହଟ୍ଟଗୋଳ ହୋଇଛି । ଫଳରେ ଉଭୟ ଲୋକସଭା ଓ ରାଜ୍ୟସଭାକୁ ମୁଲତବୀ କରିବାକୁ ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.