ନୂଆଦିଲ୍ଲୀ, ୨୭/୦୮ : ହାଇକୋର୍ଟଗୁଡ଼ିକ ଦ୍ୱାରା ରାୟ ପ୍ରକାଶ ପାଇବା ଲାଗି ଅତ୍ୟଧିକ ବିଳମ୍ବ ପ୍ରସଙ୍ଗରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଦେଖାଇଛନ୍ତି । ଏପରି ହେଲେ ନ୍ୟାୟିକ ପ୍ରକ୍ରିୟାରେ ଲୋକଙ୍କ ବିଶ୍ୱାସ ତୁଟିପାରେ । ତେଣୁ ଯେଉଁ ମାମଲାରେ ରାୟ ସଂରକ୍ଷିତ ରହିଛି ତାହାକୁ ୩ ମାସ ଭିତରେ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ହାଇକୋର୍ଟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ୩ ମାସ ଭିତରେ ଫଇସଲା କରା ନ ଯାଏ ତେବେ ତାହା ପ୍ରଧାନ ବିଚାରପତିଙ୍କ ନିକଟକୁ ଆସିବ ଏବଂ ସମ୍ପୃକ୍ତ ଖଣ୍ଡପୀଠକୁ ଆଉ ୨ ସପ୍ତାହ ଭିତରେ ରାୟ ଜାରି କରିବାକୁ ନିର୍ଦ୍ଦେଶ ଦିଆଯିବ । ଏହା ସତ୍ତ୍ଵେ ରାୟ ପ୍ରକାଶ ନ ପାଇଲେ ସେହି ମାମଲାକୁ ଆରମ୍ଭରୁ ଶୁଣାଣି ଲାଗି ଅନ୍ୟ ଖଣ୍ଡପୀଠକୁ ହସ୍ତାନ୍ତର କରାଯିବ ବୋଲି ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ କହିଛନ୍ତି। ଆହ୍ଲାବାଦ ହାଇକୋର୍ଟ ଏକ ଅପରାଧିକ ମାମଲାର ରାୟ ବର୍ଷେ ହେଲା ସଂରକ୍ଷିତ ରଖିଥିବା ପ୍ରସଙ୍ଗରେ ଏକ ଅପିଲର ଶୁଣାଣି ବେଳେ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ସୁପ୍ରିମକୋର୍ଟ ସମସ୍ତ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେ ପ୍ରତି ମାସରେ ମୁଖ୍ୟ ବିଚାରପତିଙ୍କୁ ରାୟ ସଂରକ୍ଷିତ ଥିବା ମାମଲାର ସୂଚୀ ପ୍ରଦାନ କରିବେ । ଏହା ଉପରେ ବିଚାର କରି ହାଇକୋର୍ଟ ୩ ମାସ ଭିତରେ ରାୟ ଜାରି କରିବେ । ପ୍ରକାଶଥାଉ କି, ରବୀନ୍ଦ୍ର ପ୍ରତାପ ଶାହି ବନାମ ଉତ୍ତରପ୍ରଦେଶ ଏବଂ ଅନ୍ୟ ପକ୍ଷ ସାମିଲ ଥିବା ଏହି ମାମଲା ସମ୍ପର୍କିତ ଏକ ଅପିଲ ସୁପ୍ରିମକୋର୍ଟଙ୍କ ସମ୍ମୁଖକୁ ଅଣାଯାଇଥିଲା । ଏହି ଅପିଲ ଆହ୍ଲାବାଦ ହାଇକୋର୍ଟ ୨୦୦୮ରେ ଦେଇଥିବା ଏକ ଅନ୍ତରୀଣ ଆଦେଶ ବିରୋଧରେ ହୋଇଥିଲା । ଅପିଲକର୍ତ୍ତା ରବୀନ୍ଦ୍ର ପ୍ରତାପ ଶାହି କହିଥିଲେ ଯେ ଏହି ଅପରାଧିକ ଅପିଲ ୨୦୦୮ରୁ ପଡ଼ିରହିଛି । ୨୦୨୧ରେ ହାଇକୋର୍ଟଙ୍କ ଏକ ଖଣ୍ଡପୀଠ ମାମଲାର ବିସ୍ତାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । କିନ୍ତୁ କେବେ ବି ରାୟ ପ୍ରକାଶ ପାଇ ନ ଥିଲା । ମୁଖ୍ୟ ବିଚାରପତିଙ୍କ ଏକ ପ୍ରଶାସନିକ ନିର୍ଦ୍ଦେଶରେ ଏକ ନିୟମିତ ଖଣ୍ଡପୀଠଙ୍କ ସମ୍ମୁଖରେ ଏହାକୁ ସୂଚୀବଦ୍ଧ କରିବା ଲାଗି କୁହାଯାଇଥିଲା । ପରେ ମାମଲା ୨୦୨୩ ଜାନୁଆରୀ ୯ ଲାଗି ସୂଚୀବଦ୍ଧ ହୋଇଥିଲେ ବି ଶୁଣାଣି ହୋଇପାରିନି ।
ଏହା ଉପରେ ସୁପ୍ରିମକୋର୍ଟ ଗମ୍ଭୀର ଚିନ୍ତା ପ୍ରକଟ କରିଥିଲେ । ଅପିଲ କରିବାର ବର୍ଷେ ପରେ ବି ଫଇସଲା ହୋଇ ନ ପାରିବା ଆଶ୍ଚର୍ଯ୍ୟଜନକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏପରି ହେଲେ ନ୍ୟାୟିକ ବ୍ୟବସ୍ଥା ଉପରୁ ଲୋକଙ୍କ ଭରସା କମିବ ଏବଂ ନ୍ୟାୟ ଉଦ୍ଦେଶ୍ୟ ହିଁ ବିଫଳ ହୋଇଯିବ ବୋଲି ସର୍ବୋଚ୍ଚ ଅଦାଲତ ଟିପ୍ପଣୀ ଦେଇଛନ୍ତି ।