ନୂଆଦିଲ୍ଲୀ,୨୬/୧୧: ଭାରତୀୟ ସେନାର ଜଣେ ପୂର୍ବତନ ଖ୍ରୀଷ୍ଟିଆନ ଅଧିକାରୀ ସାମୁଏଲ କମଲେସନ ଗୁରୁଦ୍ୱାରରେ ପ୍ରବେଶ କରିବାକୁ ମନା କରିବାକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର ତାଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି । ଏଥିସହ ତାଙ୍କୁ ବରଖାସ୍ତ କରାଯିବାକୁ ଚ୍ୟାଲେଞ୍ଜ କରି ସେ କରିଥିବା ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।

ସାମୁଏଲ ସାପ୍ତାହିକ ରେଜିମେଣ୍ଟାଲ ଧାର୍ମିକ ପରେଡ୍ରେ ଭାଗ ନେବାକୁ ଲଗାତର ମନା କରିବାରୁ ତାଙ୍କୁ ସେନାରୁ ବରଖାସ୍ତ କରାଯାଇଥିଲା । ତାଙ୍କୁ ବରଖାସ୍ତ କରାଯିବା ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟ ବଜାୟ ରଖିଥିଲେ । ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସାମୁଏଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ଜଣେ ସେନା ଅଧିକାରୀଙ୍କ ଏପରି ଆଚରଣ ଗମ୍ଭୀର ଅନୁଶାସନହୀନତା ଏବଂ ସେନା ଭଳି ଏକ ଧର୍ମନିରପେକ୍ଷ ଅନୁଷ୍ଠାନ ଲାଗି ଏଭଳି ବ୍ୟକ୍ତି ଯୋଗ୍ୟ ନୁହଁନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଭାରତୀୟ ସେନା ନିଜ ଧର୍ମନିରପେକ୍ଷ ସେନା ଏବଂ ଅନୁଶାସନ ପାଇଁ ଜଣା । ଏପରି କରି ସାମୁଏଲ ନିଜ ଯବାନଙ୍କ ଭାବନାକୁ ଆଘାତ ଦେଇଥିବା ସିଜେଆଇ ସୂର୍ଯ୍ୟକାନ୍ତ କହିଥିଲେ । ଏହି ମାମଲା ୨୦୧୭ ମସିହାର । ସାମୁଏଲ ଥାର୍ଡ କାଭାଲରି ରେଜିମେଣ୍ଟର ଲେଫ୍ଟନାଣ୍ଟ ଥିବାବେଳେ ତାଙ୍କ ୟୁନିଟ୍ ମନ୍ଦିର ଏବଂ ଗୁରୁଦ୍ୱାରା ଥିଲା, ଯେଉଁଠି ପ୍ରତି ସପ୍ତାହରେ ଧାର୍ମିକ ପରେଡ୍ ହେଉଥିଲା । ସେ ନିଜ ସୈନିକଙ୍କ ସହ ସେପର୍ଯ୍ୟନ୍ତ ଯାଉଥିଲେ, କିନ୍ତୁ ମନ୍ଦିରରେ ପୂଜା, ହୋମ ଆଦି କାର୍ଯ୍ୟକ୍ରମ ବେଳେ ସେ ସେଠାକୁ ଯିବାକୁ ମନା କରୁଥିଲେ । ସେ କହୁଥିଲେ ଯେ, ତାଙ୍କ ଖ୍ରୀଷ୍ଟିଆନ ଧର୍ମ ତାଙ୍କୁ ଏଥିଲାଗି ଅନୁମତି ଦିଏନାହିଁ । ସେନାର ଶୀର୍ଷ ଅଧିକାରୀ ତାଙ୍କୁ ବାରମ୍ବାର ବୁଝାଇବା ସତ୍ତେ୍ୱ ସେ ରେଜିମେଣ୍ଟାଲ ପରେଡ୍ରେ ସମ୍ପୂର୍ଣ୍ଣ ଭାବେ ଭାଗ ନେଇ ନ ଥିଲେ, ଯାହା କି ସ୍ପଷ୍ଟ ଭାବେ ଅନୁଶାସନହୀନତାକୁ ଦର୍ଶାଏ ବୋଲି ସେନା ପକ୍ଷରୁ କୁହାଯାଇଥିଲା । ଦୀର୍ଘ ସମୟ ଧରି ମାମଲାର ଯାଞ୍ଚ ପରେ ୨୦୨୨ରେ ସାମୁଏଲଙ୍କୁ ୨୦୨୨ରେ ସେବାରୁ ବରଖାସ୍ତ କରାଯାଇଥିଲା । ଶୁଣାଣିବେଳେ ସିଜେଆଇ ସୂର୍ଯ୍ୟକାନ୍ତ କହିଥିଲେ, ଏହା କିପରି ଆଚରଣ ।

ଜଣେ ସେନା ଅଧିକାରୀ ହୋଇ ଆପଣ ଯବାନଙ୍କ ଭାବନାକୁ ସମ୍ମାନ କରୁନାହାନ୍ତି । ଏହା ଅନୁଶାସନ ବିରୋଧୀ ନୁହେଁ ତ ଆଉ କ’ଣ? ଆପଣଙ୍କୁ କୌଣସି ପୂଜା କରିବାକୁ କୁହାଯାଇ ନ ଥିଲା । ଆପଣ କେବଳ ନିଜ ସୈନିକଙ୍କ ସହ ଛିଡ଼ା ହୋଇ ରହିଥାନ୍ତେ । କିନ୍ତୁ ଆପଣଙ୍କ ଧାର୍ମିକ ଭାବନା ଏତେ ବଡ଼ କିପରି ହୋଇଗଲା? ଆପଣଙ୍କ ଚର୍ଚ୍ଚର ପାଦ୍ରୀ ମଧ୍ୟ କହିଥିଲେ ଯେ ସବୁ ଧର୍ମ ସ୍ଥଳକୁ ଯିବା ଖ୍ରୀଷ୍ଟିଆନ ଧର୍ମ ବିରୋଧୀ ନୁହେଁ । କିନ୍ତୁ ଆପଣ ତାଙ୍କୁ ମଧ୍ୟ ମାନିନାହାନ୍ତି । ନିଜ ଇଚ୍ଛାକୁ ଆପଣ ୟୁନିଫର୍ମ ଉପରେ ରଖିପାରିବେ ନାହିଁ । ପୂର୍ବରୁ ହାଇକୋର୍ଟ ମଧ୍ୟ ମାନିଥିଲେ ଯେ, ସାମୁଏଲଙ୍କ ଏଭଳି ବ୍ୟବହାର ଯୋଗୁ ରେଜିମେଣ୍ଟର ଏକଜୁଟତା, ଅନୁଶାସନ ଏବଂ ଧର୍ମ ନିରପେକ୍ଷ ଭାବନାକୁ ଆଘାତ ପହଞ୍ଚିଛି । ସେନାର ଏପରି ବ୍ୟବହାର ଯୁଦ୍ଧ ସ୍ଥିତିରେ ଦେଶ ପାଇଁ କ୍ଷତିକାରକ ବୋଲି ହାଇକୋର୍ଟ କହିଥିଲେ ।