ନୂଆଦିଲ୍ଲୀ,୨୦/୧୧: କେନ୍ଦ୍ର ସରକାରଙ୍କ ଟ୍ରିବ୍ୟୁନାଲ ରିଫର୍ମ ଆକ୍ଟ ୨୦୨୧ର କେତେକ ମହତ୍ୱପୂର୍ଣ୍ଣ ପ୍ରାବଧାନକୁ ସୁପ୍ରିମକୋର୍ଟ ବୁଧବାର ରଦ୍ଦ କରିଛନ୍ତି । ମାମୁଲି ପରିବର୍ତ୍ତନ କରି ସଂସଦ କୋର୍ଟଙ୍କ ଆଦେଶକୁ ବଦଳାଇ ପାରିବନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି । 

ପ୍ରଧାନ ବିଚାରପତି ବି.ଆର ଗଭଇ ଓ ବିଚାରପତି କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କର ୧୩୭ ପୃଷ୍ଠା ରାୟରେ କହିଛନ୍ତି ଯେ କୋର୍ଟ ଯାହାକୁ ପୂର୍ବରୁ ରଦ୍ଦ କରିଥିଲେ ସରକାର ସଂଶୋଧନ କରି ପୁଣି ସେହି ପ୍ରାବଧାନକୁ ଯୋଡିଛନ୍ତି । ନ୍ୟାୟପାଳିକାର ସ୍ୱତନ୍ତ୍ରତା ସୁନିଶ୍ଚିତ କରିବା ପାଇଁ ଲମ୍ବା ଅବଧି ଓ ପାରଦର୍ଶୀ ନିଯୁକ୍ତି ପ୍ରକ୍ରିୟାର ଆବଶ୍ୟକତା ରହିଛି । ଏଥିସହ ସରକାର ୪ମାସ ଭିତରେ ନ୍ୟାସନାଲ ଟ୍ରିବ୍ୟୁନାଲ କମିଶନ ଗଠନ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲା ୨୦୨୦ ସହ ଜଡିତ । ୨୦୨୦ ନଭେମ୍ବରରେ ସୁପ୍ରିମକୋର୍ଟ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଓ ସଦସ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷ କରିଥିଲେ । ସରକାର ୨୦୨୧ରେ ନୂଆ ଆଇନ ଆଣି ତାକୁ ୪ ବର୍ଷ କରିଦେଲେ । କେବଳ ଏତିକି ନୁହେଁ, ଅଧ୍ୟକ୍ଷ ଓ ସଦସ୍ୟ ହେବାକୁ ହେଲେ ଅତିକମରେ ବୟସ ୫୦ ବର୍ଷ ହେବା ଆବଶ୍ୟକ ବୋଲି ପ୍ରାବଧାନ ରଖାଗଲା । ଏଥିସହ ଚୟନ କମିଟିକୁ ଅତିକମ୍‌ରେ ୨ ନାମ ପଠାଇବାକୁ ବ୍ୟବସ୍ଥା କରାଗଲା । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ମାଡ୍ରାସ ବାର୍ ଆସୋସିଏସନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଟ୍ରିବ୍ୟୁନାଲରେ ନିଯୁକ୍ତି ଲାଗି ସର୍ବନିମ୍ନ ୫୦ ବର୍ଷ ବୟସର ମାନଦଣ୍ଡ ଠିକ ନୁହେଁ । ଏହାଦ୍ୱାରା ଯୁବ ବିଚାରପତିମାନେ ନିଯୁକ୍ତି ପାଇବାରୁ ବଞ୍ଚିତ ହେବେ। ସେହିଭଳି ମାତ୍ର ୪ ବର୍ଷ ପାଇଁ ନିଯୁକ୍ତି ଅବଧି ରଖାଯିବା ବହୁତ୍ କମ୍ । ଏହାଫଳରେ ସ୍ୱତନ୍ତ୍ରତା ପ୍ରଭାବିତ ହେବ । ଚୟନ କମିଟିକୁ ୨ ନାମ ପଠାଇବାର ଯେଉଁ ପ୍ରାବଧାନ ରହିଛି ତାହା ଫଳରେ ସରକାରଙ୍କୁ ଆବଶ୍ୟକତା ଠାରୁ ଅଧିକ ନିୟନ୍ତ୍ରଣ କ୍ଷମତା ମିଳିବ । ତେଣୁ ଏସବୁ ପ୍ରାବଧାନକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି ।