ନୂଆଦିଲ୍ଲୀ,୨୫/୦୩: ଦେଶର  ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନ, କୋଚିଂ  ସେଣ୍ଟର ହଷ୍ଟେଲ ଆଦିରେ ଛାତ୍ରଛାତ୍ରୀଙ୍କ  ଆତ୍ମହତ୍ୟା ଘଟଣା ବୃଦ୍ଧିକୁ ନେଇ ଚିନ୍ତା  ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ । କୃଷି  ସମସ୍ୟା ସହ ଯୁଝି ହେଉଥିବା କୃଷକଙ୍କ  ତୁଳନାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା  ହାର ଅଧିକ ଉଦ୍‌ବେଗଜନକ ବୋଲି  ସୁପ୍ରିମକୋର୍ଟ କହିଛନ୍ତି । ତେଣୁ ଶୈଖିକ  ସଂସ୍ଥାନ ତଥା ଏହାର କ୍ୟାମ୍ପସ୍‌ଗୁଡ଼ିକରେ  ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ  ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଚିନ୍ତା  ଦୂର କରି ଆତ୍ମହତ୍ୟାରୁ ରୋକିବା ଲାଗି  ସର୍ବୋଚ୍ଚ ଅଦାଲତ ଏକ ଜାତୀୟ ଟାସ୍କ  ଫୋର୍ସ (ଏନ୍‌ଟିଏଫ୍‌) ଗଠନ କରିଛନ୍ତି ।  

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଏସ୍‌ ରବୀନ୍ଦ୍ର ଭଟ୍ଟ ଏହି ଟାସ୍କଫୋର୍ସର ନେତୃତ୍ୱ ନେବେ । ଟାସ୍କଫୋର୍ସରେ ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ୧୦  ସଦସ୍ୟ ରହିଛନ୍ତି । ଜଷ୍ଟିସ୍‌ ଜେ.ବି ପାରଦିୱାଲା ଏବଂ ଜଷ୍ଟିସ୍‌ ଆର୍‌.  ମହାଦେବନଙ୍କ ଖଣ୍ଡପୀଠ ଆଇଆଇଟି ଦିଲ୍ଲୀର ଅନୁସୂଚିତ ଜାତିର  ଦୁଇ ଛାତ୍ରଙ୍କ ଆତ୍ମହତ୍ୟା ମାମଲାର ଶୁଣାଣିବେଳେ ଏହି ନିଷ୍ପତ୍ତି  ନେଇଛନ୍ତି । ଏହି ଦୁଇ ଛାତ୍ରଙ୍କ ଆତ୍ମହତ୍ୟାକୁ ନେଇ ସେମାନଙ୍କ  ମାତାପିତାଙ୍କ ଦ୍ୱାରା ଆଗତ ପିଟିସନକୁ ଦିଲ୍ଲୀ ହାଇକୋର୍ଟ ଖାରଜ  କରିଦେଇଥିଲେ । ପିଟିସନରେ ଏହି ମାମଲାରେ ଏଫ୍‌ଆଇଆର୍‌  ରୁଜୁ କରିବା ଲାଗି ଦାବି କରାଯାଇଥିଲା । 

ହାଇକୋର୍ଟଙ୍କ ଏହି ରାୟକୁ  ସେମାନେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସେମାନଙ୍କ ପିଲାଙ୍କୁ ହତ୍ୟା କରାଯାଇଥିବା ପିଟିସନରେ ଦର୍ଶାଯାଇଥିଲା । ଏହି  ଶୁଣାଣି ବେଳେ ଖଣ୍ଡପୀଠ ଦେଶର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲାର ଉଦାହରଣ ଦେଇଥିଲେ ।  ଏଥିରେ ଗତ ଫେବ୍ରୁଆରୀ ୧୫ରେ ଭୁବନେଶ୍ୱରର କିଟ୍‌ କ୍ୟାମ୍ପସ୍‌ରେ ଆତ୍ମହତ୍ୟା କରିଥିବା ଜଣେ ନେପାଳ ଛାତ୍ରୀଙ୍କ କଥା ମଧ୍ୟ ଉଲ୍ଲେଖ  କରିଥିଲେ । ଖଣ୍ଡପୀଠ କହିଥିଲେ, ଘରୋଇ ଶିକ୍ଷାନୁଷ୍ଠାନ ସମେତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରଙ୍କ ଆତ୍ମହତ୍ୟା ସଙ୍କେତ ଦେଉଛି  ଯେ, ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଚିନ୍ତାକୁ ଦୂର କରିବା ଏବଂ  ସେମାନଙ୍କୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାରୁ ରୋକିବା  ଲାଗି ଥିବା ଆଇନ ଏବଂ ସଙ୍ଗଠନର ଢାଞ୍ଚା ବିଶେଷ ପ୍ରଭାବୀ ନୁହେଁ । 

ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଟାସ୍କଫୋର୍ସ ଏକ ବିସ୍ତୃତ ରିପୋର୍ଟ  ପ୍ରସ୍ତୁତ କରିବ । ଯେଉଁଥିରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା କରିବା ପଛର ପ୍ରମୁଖ କାରଣ ଚିହ୍ନଟ କରାଯିବ । ଏଥିରେ ର‌୍ୟାଗିଂ, ଜାତି ଆଧାରିତ  ଭେଦଭାବ, ଲିଙ୍ଗ ଆଧାରିତ ଭେଦଭାବ, ଯୌନ ଉତ୍ପୀଡ଼ନ, ଶିକ୍ଷା ଜନିତ ଚାପ, ଆର୍ଥିକ ସମସ୍ୟା ସମେତ ଧାର୍ମିକ ବିଶ୍ୱାସ ବା ଅନ୍ୟ  କୌଣସି ପ୍ରସଙ୍ଗ ସହ ଜଡ଼ିତ ଭେଦଭାବ ଆଦି ସାମିଲ । କେବଳ  ଏତିକି ନୁହେଁ, ଏହି ଟାସ୍କଫୋର୍ସ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ବର୍ତ୍ତମାନ  ଲାଗୁ ଥିବା ଆଇନ, ନୀତି ଏବଂ ସଂସ୍ଥାଗତ ଢାଞ୍ଚାର ପ୍ରଭାବଶୀଳତାର  ମଧ୍ୟ ଗମ୍ଭୀର ଭାବେ ମୂଲ୍ୟାଙ୍କନ କରିବ । ସେହି ଢାଞ୍ଚା ପିଲାଙ୍କ  ସାମ୍‌ନାକୁ ଆସୁଥିବା ଆହ୍ୱାନର ସମାଧାନ ପାଇଁ ପର୍ଯ୍ୟାପ୍ତ କି ନାହିଁ  ତାହାର ସମୀକ୍ଷା କରିବ । ଆବଶ୍ୟକ ପଡ଼ିଲେ ସେଠାରେ ସୁରକ୍ଷା  ବ୍ୟବସ୍ଥାକୁ ମଜଭୁତ କରିବାକୁ ଟାସ୍କଫୋର୍ସ ଉପଯୁକ୍ତ ସୁପାରିସ୍‌  କରିବ । ୪ ମାସରେ ଟାସ୍କଫୋର୍ସ ଶିକ୍ଷାନୁଷ୍ଠାନଗୁଡ଼ିକର ସୁରକ୍ଷା  ବ୍ୟବସ୍ଥା ସମ୍ପର୍କିତ ଅନ୍ତରୀଣ ରିପୋର୍ଟ ପ୍ରସ୍ତୁତ କରିବ । ଚୂଡାନ୍ତ  ରିପୋର୍ଟ ୮ ମାସ ଭିତରେ ଦାଖଲ କରାଯିବ । 

ଏଥିସହ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ଭଳି ଘଟଣାରେ ତୁରନ୍ତ  ଏଫ୍‌ଆଇଆର୍‌ କରିବାକୁ ସୁପ୍ରିମକୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।  ଏହି କାର୍ଯ୍ୟାନୁଷ୍ଠାନ କେବଳ ଏକ ଆଇନଗନ ବାଧ୍ୟବାଧକତା ନୁହେଁ  ବରଂ ପାରଦର୍ଶିତା ଏବଂ ନ୍ୟାୟ ପାଇବା ସୁନିଶ୍ଚିତ କରିବା ଦିଗରେ  ଏକ ନୈତିକ ପଦକ୍ଷେପ ମଧ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।