ନୂଆଦିଲ୍ଲୀ,୧୬।୨:ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ସ୍ଥାପନ କରିବା ନେଇ ସତର୍କତା ଅବଲମ୍ବନ କରାଯିବା କଥା । ହୁଏତ ଆମେ ପୁରୁଣାକାଳିଆ ହୋଇଥାଇ ପାରୁ, କିନ୍ତୁ ବିବାହ ପୂର୍ବରୁ, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ପରସ୍ପର ପାଇଁ ଅପରିଚିତ ଥିବାବେଳେ ସେମାନଙ୍କ ସମ୍ପର୍କର ଆଧାର କ’ଣ ରହିଛି ? ବିବାହ ପୂର୍ବରୁ ସେମାନେ କିପରି ଶାରୀରିକ ସମ୍ପର୍କରେ ରହିପାରିବେ ଆମେ ବୁଝିପାରୁନାହୁଁ । ବିବାହ ପୂର୍ବରୁ କେହି କାହାକୁ ବିଶ୍ବାସ କରନ୍ତି ନାହିଁ। ସେଥିପାଇଁ ତୁମକୁ ଯତ୍ନବାନ ହେବା କଥାସୋମବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି ଏଭଳି କଡା ଭର୍ତ୍ସନା କରିଛନ୍ତି।

ପ୍ରଶ୍ନ ଉଠାଇଛନ୍ତି ଯେ ବିବାହ ପୂର୍ବରୁ ଦୁଇଜଣ ବ୍ୟକ୍ତି ଶାରୀରିକ ସମ୍ପର୍କ କିପରି ରଖିପାରିବେ, ଯଦିଓ ଏହା ସହମତିରେ ହୋଇଥାଏ। ବିଚାରପତି ବି.ଭି. ନାଗରତ୍ନା ଏବଂ ଉଜ୍ଜଲ ଭୂୟାଁଙ୍କ ଖଣ୍ଡପୀଠ ବିବାହ ବାହାନାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି କରୁଥିଲେ। କୋର୍ଟ ଅଭିଯୋଗକାରୀଙ୍କୁ ପଚାରିଥିଲେ ଯେ ସେ କାହିଁକି ଦୁବାଇ ଯାଇଥିଲେ, ଯେଉଁଠାରେ ଉଭୟ ଶାରୀରିକ ସମ୍ପର୍କ ରଖିଥିଲେ।

ପିଟିଆଇ ରିପୋର୍ଟ ଅନୁଯାୟୀ, ସୁପ୍ରିମକୋର୍ଟ କହିଛନ୍ତି, "ଏହା ସହମତିରେ ହୋଇଛି। ଆମେ ପୁରୁଣାକାଳିଆ ଚିନ୍ତାଧାରା ରଖିପାରୁ ,କିନ୍ତୁ ବିବାହ ପୂର୍ବରୁ, ପୁଅ ଏବଂ ଝିଅ ପରସ୍ପର ପାଇଁ ସମ୍ପୂର୍ଣ୍ଣ ଅପରିଚିତ। ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ବିଷୟରେ ସେମାନଙ୍କୁ ସତର୍କ ରହିବା ଉଚିତ।’ ଜଷ୍ଟିସ୍ ନାଗରଥନା କହିଛନ୍ତି, ’ସେମାନଙ୍କ ସମ୍ପର୍କରେ ଭଲ କିମ୍ବା ଖରାପ ଯାହା ହେଉନା କାହିଁକି, ଆମେ ଏହା ବୁଝିପାରୁନୁ ସେମାନେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ କିପରି ରଖିପାରିବେ। ହୁଏତ ଆମେ ପୁରୁଣାକାଳିଆ, କିନ୍ତୁ ଆପଣ ବହୁତ ସତର୍କ ରହିବା ଉଚିତ, ବିବାହ ପୂର୍ବରୁ କାହାକୁ ବିଶ୍ୱାସ କରନ୍ତୁ ନାହିଁ।’

ମହିଳାଙ୍କ ଓକିଲ କହିଛନ୍ତି ଦୁହେଁ, ୨୦୨୨ରେ ମାଟ୍ରିମୋନିଆଲ ୱେବସାଇଟ୍ ମାଧ୍ୟମରେ ସାକ୍ଷାତ କରିଥିଲେ ଏବଂ ଅଭିଯୁକ୍ତ ଜଣକ ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଦିଲ୍ଲୀ ଏବଂ ପରେ ଦୁବାଇରେ ଅନେକ ଥର ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଜଷ୍ଟିସ୍ ନାଗରତ୍ନା କହିଛନ୍ତି, ଯଦି ସେ ବିବାହ ପାଇଁ ଏତେ ଜିଦ୍ ଧରିଥିଲେ, ତେବେ ତାଙ୍କୁ ବିବାହ ପୂର୍ବରୁ ଏହା କରିବା ଉଚିତ୍ ନଥିଲା। ଆମେ ସେମାନଙ୍କୁ ମଧ୍ୟସ୍ଥତା ପାଇଁ ପଠାଇବୁ। ଏଗୁଡ଼ିକ ଏପରି ମାମଲା ନୁହେଁ ଯେଉଁଠାରେ ସହମତିରେ ସମ୍ପର୍କ ପାଇଁ ମାମଲା ରୁଜୁ ଏବଂ ଦୋଷୀ ସାବ୍ୟସ୍ତ ହେବା କରାଯିବ।’

ନିଜ ଅଭିଯୋଗରେ ମହିଳା ଜଣକ କହିଛନ୍ତି, ସେହି ବ୍ୟକ୍ତି ତାଙ୍କୁ ଦୁବାଇକୁ ଯିବା ପାଇଁ ମନାଇଥିଲେ। ଯେଉଁଠାରେ ସେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ, ତାଙ୍କ ସମ୍ମତି ବିନା ଅନ୍ତରଙ୍ଗ ଭିଡିଓ ରେକର୍ଡ କରିଥିଲେ ଏବଂ ସେଗୁଡ଼ିକୁ ସର୍କୁଲେଟ୍ କରିବାକୁ ଧମକ ଦେଇଥିଲେ। ପରେ ସେ ଜାଣିବାକୁ ପାଇଲେ ଯେ ସେ ଜାନୁଆରୀ ୨୦୨୪ ରେ ପଞ୍ଜାବରେ ଅନ୍ୟ ଏକ ମହିଳାଙ୍କୁ ବିବାହ କରିଥିଲେ।

ତାଙ୍କ ଜାମିନ ଆବେଦନକୁ ନିମ୍ନ ଅଦାଲତ ଏବଂ ଦିଲ୍ଲୀ ହାଇକୋର୍ଟ ଉଭୟ ଖାରଜ କରିଦେଇଥିଲେ। ହାଇକୋର୍ଟ କହିଛନ୍ତି ଯେ, ବିବାହର ପ୍ରତିଶ୍ରୁତି ଆରମ୍ଭରୁ ମିଥ୍ୟା ମନେ ହେଉଥିଲା, ବିଶେଷକରି ଯେହେତୁ ସେ ପୂର୍ବରୁ ବିବାହିତ ଥିଲେ ଏବଂ ଜାନୁଆରୀ ୨୦୨୪ ରେ ପୁନଃବିବାହ କରିଥିଲେ। ବ୍ୟକ୍ତି ଜଣକ ଏବେ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜଷ୍ଟିସ୍ ନାଗାରତ୍ନା ଅଭିଯୁକ୍ତଙ୍କୁ ମାମଲାର ସମାଧାନ ପାଇଁ ମହିଳାଙ୍କୁ କ୍ଷତିପୂରଣ ଦେବା ବିଷୟରେ ବିଚାର କରୁ,ଏପରିକି ଖଣ୍ଡପୀଠ ମହିଳାଙ୍କ ଓକିଲଙ୍କୁ ସମାଧାନର ସମ୍ଭାବନା ଖୋଜିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଅନୁସନ୍ଧାନ କରିବାକୁ ମଧ୍ୟ କହିଥିଲେ। ଉଭୟ ପକ୍ଷଙ୍କ ମତ ଜାଣିବା ପରେ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି କରାଯିବ।