ନୂଆଦିଲ୍ଲୀ,୨୮।୧: ମହାରାଷ୍ଟ୍ର ରାଜନୀତିରେ ଆଜିର ଦିନ ଖୁବ୍ ଦୁଃଖଦ ଖବର ନେଇକି ଆସିଛି। ବାରାମତୀରେ ଲ୍ୟାଣ୍ଡିଂ ବେଳେ ହୋଇଥିବା ବିମାନ ଦୁର୍ଘଟଣାରେ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ମୋଟ ୫ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ସାରା ରାଜ୍ୟ ଶୋକରେ ବୁଡି ରହିଛି। ଅଜିତ ପାୱାରଙ୍କ ମୃତ୍ୟୁ ପରେ ଭଉଣୀ ସୁପ୍ରିୟା ସୁଲେ ଦୁଃଖ ପ୍ରକାଶ କରିଛନ୍ତି। ସେ ହ୍ବାଟସଆପରେ ଇଂରାଜୀରେ ‘ଡିଭାଷ୍ଟେଡ୍’ ବା ‘ଧ୍ବଂସ’ ଲେଖି ଦୁଃଖ ପ୍ରକାଶ କରିଛନ୍ତି। ସୁପ୍ରିୟା ବଜେଟ୍ ଅଧିବେଶନ୍ ପାଇଁ ଦିଲ୍ଲୀରେ ଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ତୁରନ୍ତ ବାରାମତିରେ ପହଁଞ୍ଚିଛନ୍ତି। ଅଜିତଙ୍କ ପତ୍ନୀ ଏବଂ ରାଜ୍ୟସଭା ସାଂସଦ ସୁନେତ୍ରା ପାୱାରଙ୍କୁ ସେ ଆଗ ଭେଟିଥିଲେ। ସୁପ୍ରିୟା ଏବଂ ସୁନେତ୍ରା ପରସ୍ପରକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦୁଃଖ ଏତେ ବଡ଼ ଥିଲା କେହି ବି ନିଜର ଧର୍ଯ୍ୟ ରଖିପାରିନଥିଲେ। ପାୱାର ପରିବାରରେ ଶୋକାକୂଳ ପରିବେଶ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଛି। ସୁପ୍ରିୟାଙ୍କୁ ଖୁବ୍ ଜୋରରେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ଅଜିତ ଏବଂ ସୁପ୍ରିୟା ସମ୍ପର୍କ ଖୁବ୍ ଭଲ। ରାଜନୀତିରେ ଯଦିଓ ଦୁହେଁ ଭିନ୍ନ ଭିନ୍ନ ଦଳର, କିନ୍ତୁ ବହୁବାର ଭାଇ-ଭୁଣୀଙ୍କ ଭିତରର ସ୍ନେହ ଦେଖିବାକୁ ମିଳିଥାଏ। ଅଜିତଙ୍କୁ ବଡ଼ ଭାଇ ଭାବରେ ସୁପ୍ରିୟା ସବୁବେଳେ ଖୁବ୍ ସମ୍ମାନ ମଧ୍ୟ କରନ୍ତି।
ମିଳିଥବା ସୂଚନା ଅନୁସାରେ, ଅଜିତ ବାରାମତୀ ଅଭିମୁଖେ ଭିଆରଏସ୍ କମ୍ପାନୀର ପ୍ରାଇଭେଟ୍ ପ୍ଲେନ୍ରେ ଯାତ୍ରା କରିଥିଲେ। ସକାଳ ୮ଟା ୧୦ ମିନିଟ୍ରେ ମୁମ୍ବାଇରୁ ବିମାନ ଟେକଅଫ୍ କରିଥିଲା ଓ ପ୍ରାୟ ୮ଟା ୫୦ ମିନିଟ୍ରେ ବାରାମତୀରେ ଲ୍ୟାଣ୍ଡ କରିବାର ଥିଲା। ଲ୍ୟାଣ୍ଡିଂ ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା,ଏଥିରେ ଥିବା ସମସ୍ତ ଯାତ୍ରୀଙ୍କର ହିଁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣାରେ ଅଜିତ ପାୱାରଙ୍କ ସହ ମୁମ୍ବାଇ ପିଏସ୍ଓ ଭିଦୀପ ଯାଦବ, ପାଇଲଟ୍ କ୍ୟାପଟେନ୍ ସୁମିତ କପୁର,କ୍ୟାପଟେନ୍ ସମ୍ବି ପାଠକ ଓ ଫ୍ଲାଇଟ ଆଟେଣ୍ଡାଣ୍ଟ ପିଙ୍କି ମାଲି ମଧ୍ୟ ମୃତ୍ୟୁ ହୋଇଛି।
ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବହୁ ବରିଷ୍ଠ ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି। ବିଭିନ୍ନ ରାଜନୈତିକ ଦଳରନେତା ଏହାକୁ ମହାରାଷ୍ଟ୍ର ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ରାଜ୍ୟ ରାଜନୀତିରେ ଅଜିତ ପାୱାରଙ୍କ ଭୂମିକାକୁ ଗୁରୁତ୍ବପୂର୍ଣ୍ଣ ମନେକରାଯାଏ। ହଠାତ ତାଙ୍କର ମୃତ୍ୟୁ ରାଜ୍ୟକୁ ଗଭୀର ଆଘାତ ଦେଇଛି। ଆଜି ସନ୍ଧ୍ୟା ୫ଟାରେ ଅଜିତଙ୍କୁ ବାରାମତି ସ୍ଥିତ ତାଙ୍କ ବାସଭବନରେ ଅନ୍ତିମ ଦର୍ଶନ କରାଯିବ। ଆସନ୍ତାକାଲି ସକାଳ ୯ଟାରେ ଅନ୍ତିମ ଯାତ୍ରାରେ ବାହାରିବ ଅଜିତଙ୍କ ପାର୍ଥିବ ଶରୀର। ୧୧ଟା ବେଳୋ ବାରାମତିର ବିଦ୍ୟା ପ୍ରତିଷ୍ଠାନ ମୈଦାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ।
ଆହୁରି ପଢନ୍ତୁ :କ୍ରାସ୍ ହେବାର ୨୦ ମିନିଟ୍ ପର୍ଯ୍ୟନ୍ତ ଜଳିଥିଲା ବିମାନ, ଘଣ୍ଟା ଦେଖି ଚିହ୍ନିଲେ ଅଜିତ ପାୱାରଙ୍କ ମୃତଦେହ