ସୁରଟ, ୨୫/୧୨ : ବର୍ଜ୍ୟ ଧାତୁରୁ ଭବିଷ୍ୟତର ସ୍ୱର-ନିୟନ୍ତ୍ରିତ ଇ-ବାଇକ୍‌ । ସୁରଟର ୩ ମେକାନିକାଲ ଇଞ୍ଜିନିୟରିଙ୍ଗ ଛାତ୍ରଙ୍କର ଏହି ଅନନ୍ୟ ଉଦ୍ଭାବନର ନାଁ ‘ଗରୁଡ଼’ । ବର୍ଜ୍ୟ ଧାତୁରୁ ନିର୍ମିତ ଏହି ବାଇକ୍‌ ଏକ ସାଇନ୍ସ-ଫିକ୍ସନ୍‌ ପ୍ରୟୋଗଶାଳା ଉତ୍ପାଦର ଭ୍ରମ ସୃଷ୍ଟି କରୁଛି । ଏଆଇ ଦ୍ୱାରା ପରିଚାଳିତ ଏହି ଇଲେକ୍ଟ୍ରିକ୍‌ ସୁପର୍‌ବାଇକ୍‌ର ପ୍ରୋଟୋଟାଇପ୍‌କୁ ଭାରତର ପ୍ରଥମ ବୋଲି କୁହାଯାଉଛି । କେବଳ ସ୍ମାର୍ଟ ଫିଚର୍‌ ପାଇଁ ନୁହେଁ, ବରଂ ଏହାର ଅଧାରୁ ଅଧିକ ଅଂଶ ବର୍ଜ୍ୟରୁ ପ୍ରସ୍ତୁତ ।

ଭଗବାନ ମହାବୀର ବିଶ୍ୱବିଦ୍ୟାଳୟର ଛାତ୍ର ଶିବମ୍‌ ମୌର୍ଯ୍ୟ, ଗୁରପ୍ରୀତ ଅରୋରା ଓ ଗଣେଶ ପାଟିଲ ଏହି ସୁପର୍‌ବାଇକ୍‌ ନିର୍ମାଣ କରିଛନ୍ତି । ଗରୁଡ଼ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସ୍ଥାୟିତ୍ୱ ଏବଂ ଇଞ୍ଜିନିୟରିଙ୍ଗ୍‌ ଜ୍ଞାନକୌଶଳରୁ କାର୍ଯ୍ୟକ୍ଷମ ପ୍ରୋଟୋଟାଇପ୍‌ର ମିଶ୍ରଣ ହେଉଛି ଗରୁଡ଼, ଯାହା ଦୁଇ-ଚକିଆ ଯାନ, ଗତିଶୀଳତା ଓ ବିଦ୍ୟାର୍ଥୀଙ୍କ ଉଦ୍ଭାବନ ବିଷୟରେ ଭାରତର ବିଚାରକୁ ଚାଲେଞ୍ଜ୍‌ ଦିଏ । ୩ ଛାତ୍ର ଏକ ସ୍ମାର୍ଟ ଇ-ବାଇକ୍‌ ନିର୍ମାଣ କରିବାକୁ ଚାହୁଁଥିଲେ, ଯାହା ଆପଣାଛାଏଁ କାମ କରିପାରିବ । ଶସ୍ତା ହେବ ଏବଂ ବାହାର ଦେଶର ଯନ୍ତ୍ରାଂଶ ବିନା ପ୍ରସ୍ତୁତ ହୋଇପାରିବ ।

ଗୋଟିଏ ବର୍ଷର ପରିଶ୍ରମରେ ବର୍ଜ୍ୟରୁ ବାଇକ୍‌ର ପ୍ରାୟ ୫୦ ପ୍ରତିଶତ ନିର୍ମାଣ ଲାଗି ସେମାନେ ପ୍ରାୟ ୧.୮ ଲକ୍ଷ ଟଙ୍କା ନିବେଶ କଲେ । ବର୍ଜ୍ୟ ଧାତୁ ଓ ପୁନଃଚକ୍ରୀକୃତ ଉପକରଣଗୁଡ଼ିକର ସ୍ରୋତର ପ୍ରବନ୍ଧନ କଲେ, ଯାହାର ଫଳାଫଳ ଏବେ ସମସ୍ତଙ୍କ ସାମ୍ନାରେ । ବର୍ଜ୍ୟରୁ ଶ୍ରେଷ୍ଠ ଇଞ୍ଜିନିୟରିଙ୍ଗ୍‌ର ଏହା ଅନନ୍ୟ ଉଦାହରଣ । ୩ ଛାତ୍ର ବର୍ଜ୍ୟକୁ ଡିଜାଇନ୍‌ ଚାଲେଞ୍ଜ୍‌ ଭାବେ ଉପଯୋଗ କଲେ ଏବଂ ପ୍ରମାଣ କଲେ ଯେ ଉଦ୍ଭାବନ ପାଇଁ ସର୍ବଦା ମୋଟା ଅଙ୍କ ନୁହେଁ, ବରଂ ସ୍ଥିର ଲକ୍ଷ୍ୟ ଓ ପ୍ରଯୁକ୍ତି କୌଶଳ ଆବଶ୍ୟକ । ଗରୁଡ଼ ମଝିରେ ଏକ ରାସ୍‌ପବେରି ପାଇ ରହିଛି, ଯାହା ବାଇକ୍‌ର ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍‌ ଭାବେ କାମ କରୁଛି । ଏହି କମ୍ପ୍ୟାକ୍ଟ କମ୍ପ୍ୟୁଟର ହେଉଛି ବାଇକ୍‌ର ମସ୍ତିଷ୍କ, ଯାହା ତାକୁ ଭଏସ୍‌ କମାଣ୍ଡ୍‌ର ପ୍ରତିକ୍ରିୟା ପାଇଁ ସକ୍ଷମ କରୁଛି । ବେଗ ନିୟନ୍ତ୍ରଣ କରୁଛି ଏବଂ ମାନୁଆଲ ବ୍ରେକ୍‌ ବିନା ଆପଣାଛାଏଁ ଅଟକୁଛି । ୱାଇ-ଫାଇ ଦ୍ୱାରା ସଂଯୁକ୍ତ ଏହି ସିଷ୍ଟମ୍‌ ଗରୁଡ଼କୁ ଏକ ନିର୍ଦ୍ଦିଷ୍ଟ ଦୂରତାରେ ବେଗ ଧିମା କରିବା କିମ୍ବା ଅଟକିବା ଭଳି କମାଣ୍ଡ୍‌ ଦିଏ ।

ଛାତ୍ରଙ୍କ କହିବା ଅନୁସାରେ, ଏକ ପୂର୍ଣ୍ଣ ସ୍ୱୟଂଚାଳିତ ଦୁଇ-ଚକିଆ ଯାନ ନିର୍ମାଣ ଦିଗରେ ଏହା ପ୍ରଥମ ପାହାଚ । ଏହା ଏଭଳି ଅବଧାରଣା ଯାହା ଭାରତରେ ଏବେ ବି ଅନାଲୋଚିତ । ଅଧିକାଂଶ ବିଦ୍ୟାର୍ଥୀ-ଇଭି ପ୍ରୋଜେକ୍ଟଠୁ ଗରୁଡ଼ ଭିନ୍ନ । ସୁରକ୍ଷା ଉପରେ ଏହାର ପୂରା ଫୋକସ୍‌ ରହିଛି । ଏଥିରେ ଦୁଇଟି ହାଇ-ରେଞ୍ଜ୍‌ ସେନ୍ସର ଲାଗିଛି, ଯାହା ଆଗର ରାସ୍ତାକୁ ନିରନ୍ତର ସ୍କାନ୍‌ କରିବ । ଯଦି ୧୨ ଫୁଟ ପରିଧିରେ ଅନ୍ୟ ଏକ ଯାନ ଆସେ, ଗରୁଡ଼ ଆପଣାଛାଏଁ ନିଜ ବେଗ କମାଇଦେବ । ୩ ଫୁଟ ମଧ୍ୟରେ କୌଣସି ବାଧାବିଘ୍ନ ଚିହ୍ନଟ ହେଲେ, ଏହା ସମ୍ପୂର୍ଣ୍ଣ ରୂପେ ଅଟକିଯିବ । ଚାଳକଙ୍କୁ ବ୍ରେକ୍‌ ମାରିବାକୁ ପଡ଼ିବ ନାହିଁ । କିଛି ମାମଲାରେ ଏହି ସିଷ୍ଟମ୍‌ ‘୩ ଫୁଟରେ ଅଟକିଯାଅ’ ଭଳି ଭଏସ୍‌ ଇନ୍‌ପୁଟ୍‌କୁ ସିଧାସଳଖ ପ୍ରତିକ୍ରିୟା ଦେବ । ଦୁଇ-ଚକିଆ ଯାନରେ ମାନବ ତ୍ରୁଟିକୁ ଟେକ୍ନୋଲୋଜି କିଭଳି ହ୍ରାସ କରିପାରେ, ଭାରତ ଭଳି ସର୍ବାଧିକ ସଡ଼କ ଦୁର୍ଘଟଣା ହାରଯୁକ୍ତ ଦେଶରେ ଏଭଳି ଏଆଇ-ସମର୍ଥିତ ଫିଚର୍‌ ତା’ର ସଙ୍କେତ ।

ପ୍ରିମିୟମ୍‌ ଇ-ଯାନରେ ଥିବା ଫିଚର୍‌ ମଧ୍ୟ ଗରୁଡ଼ରେ ରହିଛି । ଟଚ୍‌ସ୍କ୍ରିନ୍‌ ଡାଶ୍‌ବୋର୍ଡ ଜିପିଏସ୍‌ ନାଭିଗେସନ୍‌, ଫୋନ୍‌ ସଂଯୋଗ ଓ ମ୍ୟୁଜିକ୍‌ ସୁବିଧା ଅଛି । ଆଗ ଓ ପଛ କ୍ୟାମେରା ଲାଇଭ୍‌ ଭିଡିଓ ରେକର୍ଡ କରି ସିଧାସଳଖ ସ୍କ୍ରିନ୍‌ରେ ଦେଖାଉଛି, ଯାହା ଭୀଷଣ ଭିଡ଼ଯୁକ୍ତ ସ୍ଥାନରେ ଚାଳକକୁ ସଚେତନ କରୁଛି । ଗାଡ଼ିରେ ଏକ ୱେୟାର୍‌ଲେସ୍‌ ମୋବାଇଲ ଫୋନ୍‌ ଚାର୍ଜିଂ ସିଷ୍ଟମ୍‌ ରହିଛି । ପ୍ରୋଟୋଟାଇପ୍‌ ହୋଇ ମଧ୍ୟ ଗରୁଡ଼ ଭଲ ପ୍ରଦର୍ଶନ କରୁଛି । ଲିଥିୟମ୍‌-ଆୟନ ବ୍ୟାଟେରି ଚାଳିତ ଏହି ବାଇକ୍‌ର ବେଗ ଇକୋ ମୋଡ୍‌ରେ ୨୨୦ କିମି ଏବଂ ସ୍ପୋର୍ଟ ମୋଡ୍‌ରେ ୧୬୦ କିମି । ଥରେ ପୂରା ଚାର୍ଜ ହେବାକୁ ଏହାକୁ ଦୁଇ ଘଣ୍ଟା ସମୟ ଲାଗେ । ସୁରକ୍ଷା ଦୃଷ୍ଟିରୁ ଗାଡ଼ିର ବ୍ୟାଟେରିକୁ ଖୁବ୍‌ ହାଲୁକା ଡିଜାଇନ୍‌ କରାଯାଇଛି ।