ଭୁବନେଶ୍ବର, ୨୮/୧୧: ୨ ବର୍ଷ ମଧ୍ୟରେ ରାଜଧାନୀରେ ନିର୍ମାଣ ହେବ ପ୍ରାକୃତିକ ବିପର୍ଯ୍ୟୟ ଭବନ । ୩୦୦ କୋଟି ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା ଭବନ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗୋଟିଏ ଛାତ ତଳୁ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟ କରାଯିବ । ଅଗ୍ନିଶମ, ବିପର୍ଯ୍ୟୟ ପରିଚାଳନା ବିଭାଗ, ODRAF,  ଜଙ୍ଗଲ ବିଭାଗ, ପୂର୍ତ୍ତ ବିଭାଗ ଭଳି ବିଭିନ୍ନ ବିଭାଗ ଗୋଟିଏ ସ୍ଥାନରୁ ବିପର୍ଯ୍ୟୟ ପରିଚାଳନା କରିହେବ । ଓଡ଼ିଶାରେ ବନ୍ୟା, ବାତ୍ୟା, ଗ୍ରୀଷ୍ମ ପ୍ରବାହ, ବଜ୍ରପାତ, ଅଗ୍ନିକାଣ୍ଡ, ଭଳି ପରିସ୍ଥିତିର ତ୍ୱରିତ ମୁକାବିଲା କରାଯିବ ।  ଗୋଟିଏ ସ୍ଥାନରୁ କଣ୍ଟ୍ରୋଲ ରୁମ୍ କାମ କରିବ । ସୁଉଚ୍ଚ ବିଲ୍ଡିଂରେ ନିଆଁ ଲିଭା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଜ୍ଞାନକୌଶଳ ବ୍ୟବହାର  କରାଯିବ । ଭୁବନେଶ୍ୱର ସ୍ଥିତ OFDRA  ପରିସରରେ ଥିବା ଷ୍ଟେଟ୍ ଫାୟାର କମାଣ୍ଡ୍ ସେଣ୍ଟର ବୁଲିଲା ବେଳେ ଏଭଳି କିଛି ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

​​​​​​​

ବିପର୍ଯ୍ୟୟ ସମୟରେ କିଭଳି ସଂଗଠିତ ଭାବେ ବିଭାଗ-ବିଭାଗ ଭିତରେ ସମନ୍ଵୟ ରଖି ବିପର୍ଯ୍ୟୟ ମୁକାବିଲା କରାଯାଇ ପାରିବ ସେ ନେଇ ଅଗ୍ନିଶମ ବିଭାଗ ଅଧିକାରୀଙ୍କୁ  ଟିପ୍‌ସ ଦେଇଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଅଗ୍ନିକାଣ୍ଡ, ହେଉ କି ନଦୀ ନାଳ ପୋଖରୀରେ ବୁଡିଯିବା, ଭୂସ୍ଖଳନ, ସାପ କାମୁଡ଼ା ଉଦ୍ଧାର ସମୟରେ କିଭଳି ଜଣ ସାଧାରଣକୁ ତ୍ୱରିତ ସେବା ଯୋଗାଇ ଦିଆଯାଇପାରିବ ସେନେଇ ସମୀକ୍ଷା କରିଛନ୍ତି । OSDMA, ODRAF,  ଅଗ୍ନିଶମ ବିଭାଗ ବିପର୍ଯ୍ୟୟ ସମୟରେ ତ୍ୱରିତ ମୁକାବିଲା କରିପାରିବେ ସେନେଇ ଗୁରୁତ୍ଵରୋପ କରିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।  ଏହି ସମୟରେ ଅଗ୍ନିଶମ ଡିଜି ସୁଧାଂଶୁ  ଷଡ଼ଙ୍ଗୀ,  ଅଗ୍ନିଶମ DIG ଉମାଶଙ୍କର ଦାସ୍,  ମୁଖ୍ୟ ଅଗ୍ନିଶମ ଅଧିକାରୀଙ୍କ ସହ ଅଗ୍ନିଶମ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।