ମୁମ୍ବାଇ: ସୂର୍ଯ୍ୟକୁମାର ଯାଦବଙ୍କ ନତୃତ୍ବରେ ଭାରତୀୟ ଦଳ ଇଂଲଣ୍ଡ ଟିମ୍‌କୁ ହରାଇ ଟି-୨୦ ସିରିଜ୍‌କୁ ୪-୧ରେ ଜିତି ନେଇଛି । ଆଉ ଏବେ ସୂର୍ଯ୍ୟକୁମାର ଯାଦବଙ୍କ ନୂଆ ଦାୟିତ୍ବ ମିଳିଛି । ରଣଜୀ ଟ୍ରଫିର କ୍ବାର୍ଟର ଫାଇନାଲ୍‌ରେ ମୁମ୍ବାଇ ନିଜର ଟିମ୍‌ରେ ପରିବର୍ତ୍ତନ କରିଛି । ମିଳିଥିବା ସୂଚନା ଅନୁସାରେ, ଶ୍ରେୟସ ଆୟରଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସାମିଲ କରାଯାଇଛି । ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲ୍‌ରେ ହରିୟାଣା ବିପକ୍ଷରେ ଖେଳିବ ମୁମ୍ବାଇ । 

ସେପଟେ କ୍ବାର୍ଟର ଫାଇନାଲ୍‌ ଲାଗି ଟିମ୍‌ରେ ପୃଥ୍ବୀ ଶଙ୍କୁ ସ୍ଥାନ ମିଳିନାହିଁ । ୧୮ ଜଣିଆ ଟିମ୍‌ରେ ଅନେକ ବଡ଼ ଖେଳାଳିଙ୍କୁ ସାମିଲ କରାଯାଇଛି । ତେବେ ଶ୍ରେୟସ ଆୟର ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍‌ ଖେଳିବାକୁ ଥିବା ବେଳେ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସାମିଲ କରାଯାଇଛି । ମୁମ୍ବାଇ ଟିମ୍‌ରେ ଅଜିଙ୍କ୍ୟ ରାହାଣେ(ଅଧିନାୟକ), ଆୟୁଷ ମହାତ୍ରେ, ଅଙ୍ଗକ୍ରିଷ ରଘୁବଂଶୀ, ଅମୋଘ ଭଟକଲ, ସୂର୍ଯ୍ୟକୁମାର ଯାଦବ, ସିଦ୍ଧେସ ଲାଡ୍‌, ଶିବମ ଦୁବେ, ଆକାଶ ଆନନ୍ଦ (ଓ୍ବିକେଟ କିପର), ହାର୍ଦ୍ଦିକ ତାମୋରେ (ଓ୍ବିକେଟ କିପର), ସୂର୍ଯ୍ୟାଂଶ ଶେଦଗେ, ଶାର୍ଦ୍ଦୁଳ ଠାକୁର, ଶାମସ୍‌ ମୁଲାନି, ତନୁଷ କୋଟେନ୍‌, ମୋହିତ ଅବସ୍ତି, ସିଲଭେଷ୍ଟର ଡିସୌଜା, ରୋୟଷ୍ଟନ ଦିଆଜ୍‌, ଅଥର୍ବ ଅଙ୍କୋଲେକର, ହର୍ଷ ତାନା ସାମିଲ ଅଛନ୍ତି । 

ରଣଜୀ ଟ୍ରଫିର ଚଳିତ ସିଜିନ୍‌ରେ ମୁମ୍ବାଇର ପ୍ରଦର୍ଶନ ଭଲ ରହିଛି । ଦଳ କେବଳ ଗୋଟିଏ ମ୍ୟାଚ୍‌ ଜମ୍ମୁକାଶ୍ମୀର ବିପକ୍ଷରେ ପରାସ୍ତ ହୋଇଛି । ଟିମ୍‌ ଭଦୋଦରା, ଓଡ଼ିଶା ଭଳି ଟିମ୍‌କୁ ପରାସ୍ତ କରି କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି । ମୁମ୍ବାଇର ବ୍ୟାଟର ସିଦ୍ଧେଶ ଲାଡ୍‌ ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି । ସେ ୨ ଶତକ ଏବଂ ୨ଟି ଅର୍ଦ୍ଧଶତକ ସହ ୫୧୮ ରନ୍‌ କରିସାରିଛନ୍ତି । କିନ୍ତୁ ଟିମ୍‌ର ଅଧିନାୟକ ୭ଟି ମ୍ୟାଚ୍‌ରୁ କେବଳ ୨୯୮ ରନ୍‌ କରିବାରେ ସକ୍ଷମ ହୋଇଛନ୍ତି । ବୋଲରଙ୍କ ମଧ୍ୟରେ ଶାମ୍ସ ମୁଲାନି ୭ଟି ମ୍ୟାଚ୍‌ରେ ୩୪ ଓ୍ବିକେଟ୍‌ ନେଇଛନ୍ତି । ଶାର୍ଦ୍ଦୁଳ ଠାକୁର ୨୬ ଓ୍ବିକେଟ୍‌ ଏବଂ ମୋହିତ ଅବସ୍ତି ୨୪ ଓ୍ବିକେଟ୍‌ ନେଇଛନ୍ତି ।