ନୂଆଦିଲ୍ଲୀ,୨୪/୦୧: ସମାଲୋଚନା, ଚର୍ଚ୍ଚାରେ ଫୁଲଷ୍ଟପ । ଦୀର୍ଘ ଦିନ ପରେ ଫର୍ମକୁ ଫେରିଛନ୍ତି ସୂର୍ଯ୍ୟକୁମାର । ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ତାଙ୍କ ବ୍ୟାଟ୍‌ ଅସଲ ଚମକ ଦେଖାଇଛି । ୪୬୮ ଦିନ ପରେ କ୍ୟାପ୍ଟେନ ସୂର୍ଯ୍ୟକୁମାରଙ୍କ ଚମକ ଦେଖିବାକୁ ମିଳିଛି ।  ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ କିଛିଟା ଆଶ୍ୱସ୍ତି ଆଣିଥିଲା । ଦୀର୍ଘ ସମୟ ଅପେକ୍ଷା ପରେ, ସେ ଶେଷରେ ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଲେ। ସୂର୍ଯ୍ୟକୁମାର ଯାଦବ ଏହି ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ପାଇଁ ସର୍ବାଧିକ ରନ୍ ସ୍କୋରର ହୋଇଥିଲେ, ଯାହା ୪୬୮ ଦିନର ଲମ୍ବା ଅପେକ୍ଷାର ଅନ୍ତ ଘଟାଇଛି ।

ଫର୍ମକୁ ଫେରିଲେ ସ୍କାଏ-ରାୟପୁରରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି  ମ୍ୟାଚ୍‌ରେ ଫୁଲ୍ ଫର୍ମରେ ବ୍ୟାଟିଂ କରିଥିଲେ ସୂର୍ଯ୍ୟକୁମାର ଯାଦବ । ୨୦୯ ରନ୍‌ର ଟାର୍ଗେଟ୍‌କୁ ପିଛା କରି ସେ ୩୭ ବଲ୍‌ରେ ଅପରାଜିତ ୮୨ ରନ୍ କରିଥିଲେ କ୍ୟାପ୍ଟେନ୍ ସୂର୍ଯ୍ୟ । ଇନିଂସ୍‌ରେ ୯ ଚୌକା ଏବଂ ୪ ଛକା ସାମିଲ ଥିଲା । ଅର୍ଦ୍ଧଶତକ ବିନା ୨୩ ଇନିଂସର ମରୁଡ଼ିର ଅନ୍ତ ଘଟାଇଥିଲେ ଟି-ଟ୍ୱେଣ୍ଟି ସ୍ପେସିଆଲିଷ୍ଟ ସ୍କାଏ । ସୂର୍ଯ୍ୟ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ, ମାତ୍ର ୨୩ ବଲ୍‌ରେ ତାଙ୍କର ୨୨ତମ ଟି-୨୦ ଆନ୍ତର୍ଜାତୀୟ ଅର୍ଦ୍ଧଶତକ ପୂରଣ କରିଥିଲେ ।