ନୂଆଦିଲ୍ଲୀ – ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସ୍ୱାମୀ ତଥା ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ବାପା ସ୍ୱରାଜ କୌଶଳଙ୍କ ପରଲୋକ ହୋଇଛି। ସେ ଜଣେ ବରିଷ୍ଠ ଓକିଲ ଥିଲେ। ସେ ମିଜୋରାମର ପୂର୍ବତନ ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିସାରି ଥିଲେ। ଆଜି ୪ ଡିସେମ୍ୱରରେ ତାଙ୍କର ଦେହାନ୍ତ ହୋଇଛି। ସୂଚନା ମୁତାବିକ , ଆଜି ( ଗୁରୁବାର) ଅପରାହ୍ନ ୪.୩୦ ସମୟରେ ଲୋଧି ରୋଡ୍ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

୭୩ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଥିବା ସ୍ୱରାଜ କୌଶଳ ଜଣେ ଜଣାଶୁଣା ଓକିଲ ଥିଲେ। ଦିଲ୍ଲୀ ବିଜେପି ନିଜର ଏକ୍ସ ହ୍ୟାଣ୍ଡଲରେ ଟ୍ୱିଟ୍ କରି ତାଙ୍କ ମୃତ୍ୟୁ ଓ ଅନ୍ତିମ ସଂସ୍କାରର ସୂଚନା ଦେଇ ଲେଖିଛି – ସାଂସଦ ଏବଂ ପ୍ରଦେଶ ମନ୍ତ୍ରୀ ସୁଶ୍ରୀ ବାଂଶୁରୀ ସ୍ୱରାଜଙ୍କ ପିତାଜୀ ଶ୍ରୀ ସ୍ୱରାଜ କୌଶଳ ଜୀଙ୍କ ଆଜି ୪ ଡିସେମ୍ୱର, ୨୦୨୫ରେ ପରଲୋକ ହୋଇ ଯାଇଛି। ତାଙ୍କର ଅନ୍ତିମ ସଂସ୍କାର ଆଜି ୪ଡିସେମ୍ୱର , ୨୦୨୫ ରେ ଅପରାହ୍ନ ୪.୩୦ ସମୟରେ ଲୋଧି ରୋଡ୍ ସ୍ଥିତ ଶ୍ମଶାନ ଘାଟରେ କରାଯିବ।

 

ସ୍ୱରାଜ କୌଶଳଙ୍କ ଜନ୍ମ ୧୯୫୨ ମସିହାରେ ହୋଇଥିଲା। ସେ ଦିଲ୍ଲୀ ୟୁନିଭର୍ସିଟି ଓ ପଞ୍ଜାବ ୟୁନିଭର୍ସିଟିରୁ ପାଠ ପଢିଥିଲେ। ଏହାପରେ ସେ ଓକିଲାତିର ଡିଗ୍ରୀ ହାସଲ କରିଥିଲେ। ୩୪ ବର୍ଷ ବୟସରେ ସେ ସୁପ୍ରିମ୍କୋର୍ଟର ବରିଷ୍ଠ ଓକିଲ ଭାବେ ପରିଗଣିତ ହୋଇଥିଲେ। ଏହାପରେ ୩୭ବର୍ଷ ବୟସରେ ସେ ମିଜୋରାମର ୩ୟ ରାଜ୍ୟପାଳ ହୋଇଥିଲେ। ଏଠାରେ ସେ ୧୯୯୦ରୁ ନେଇ ୧୯୯୩ ଯାଏ କାର୍ଯ୍ୟ କରିଥିଲେ। ଏହା ବ୍ୟତୀତ ରାଜ୍ୟସଭାର ସଦସ୍ୟ ମଧ୍ୟ ରହିଥିଲେ। ସେ ୧୯୯୮-୯୯ ଓ ୨୦୦୦-୨୦୦୦୪ ମଧ୍ୟରେ ରାଜ୍ୟସଭାର ସଦସ୍ୟତାର ଭାବେ କାର୍ଯ୍ୟଭାର ତୁଲାଇ ଥିଲେ।

ସ୍ୱରାଜ କୌଶଳଙ୍କ ପରିବାରର ରାଜନୀତିରେ ଖୁବ୍ ପ୍ରଭାବ ରହିଛି। ୧୯୭୫ ମସିହାରେ ସ୍ୱରାଜ କୌଶଳଙ୍କ ବିବାହ ସୁଷମା ସ୍ୱରାଜଙ୍କ ସହ ହୋଇଥିଲା। ବାଂଶୁରୀ ସ୍ୱରାଜ ତାଙ୍କର ଏକମାତ୍ର କନ୍ୟା ସନ୍ତାନ ଥିଲେ। ବାଂଶୁରୀ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ କରିଛନ୍ତି। ଏହାପରେ ଇନର ଟେମ୍ପଲରୁ ବ୍ୟାରିଷ୍ଟରର ପାଠ ପଢିଛନ୍ତି। ବର୍ତ୍ତମାନ ସମୟରେ ବାଂଶୁରୀ ସ୍ୱରାଜ ନୂଆଦିଲ୍ଲୀ ଲୋକସଭାରୁ ବିଜେପି ସାଂସଦ ଅଛନ୍ତି। ଏହିପରି ସୁଷମା ସ୍ୱରାଜ ମଧ୍ୟ ପ୍ରସିଦ୍ଧ ନେତାଙ୍କ ମଧ୍ୟରେ ଜଣେ ଥିଲେ। ସେ ଏନଡିଏ ସରକାର ବେଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୈଦେଶିକ ମନ୍ତ୍ରୀର ଦାୟିତ୍ୱ ନିର୍ବାହ କରିଥିଲେ । ୨୦୧୯ରେ ସୁଷମା ସ୍ୱରାଜଙ୍କ ମୃତ୍ୟୁ ହୋଇଥିଲା।