କୋଟଗଡ଼, ୩୧/୫ : କୋଟଗଡ଼ ପଂଚାୟତସମିତି ଅନ୍ତର୍ଗତ ଦୁର୍ଗାପଙ୍ଗା ପଂଚାୟତରେ ମନରେଗା କାର୍ଯ୍ୟର ଫଲ୍ସ ବିଲ ପାଣ୍ଠି, ଚତୁର୍ଦ୍ଦଶ ଅର୍ଥକମିଶନ ପାଣ୍ଠି, ପଞ୍ଚ ଦଶ ଅର୍ଥ କମିଶନ ପାଣ୍ଠି ଆତ୍ମସାତ ଘଟଣାରେ କନ୍ଧମାଳ ଜିଲ୍ଲାପାଳଙ୍କ ଛାଟ । ସୂଚନା ଅନୁସାରେ କୋଟଗଡ଼ ବ୍ଲକରେ ୨୦୨୨-୨୩ରେ ମନରେଗାରେ ବ୍ୟାପକ ଦୁର୍ନୀତି ନେଇ ଗତ ବର୍ଷ ଜୁନ ପହିଲାରେ କେନ୍ଦ୍ର ସରକାରଙ୍କ ମେଟେରିଆଲ ବିଲ ପୈଠ ପରେ ବ୍ୟାପକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା, ତା’ସହ କୋଟଗଡ଼ ବିଡିଓ ଶୁଭକାନ୍ତ ନାୟକଙ୍କ ଦୁର୍ଗାପଙ୍ଗା ପଂଚାୟତରେ ପ୍ରାୟ ଦେଢ଼ କୋଟି ଅର୍ଥର ହିସାବ ମିଳୁ ନ ଥିବା ନେଇ ଉପରିସ୍ଥ ଜିଲ୍ଲା ଅଧିକାରୀଙ୍କୁ ପତ୍ର ଦ୍ୱାରା ତଦନ୍ତ କରିବାକୁ ସୁପାରିଶ କରାଯାଇଥିବା ଜାଣିବାକୁ ମିଳିଥିଲା । ସେବେଠାରୁ କୋଟଗଡ଼ ବ୍ଲକର ଦୁର୍ଗାପଙ୍ଗା ପଂଚାୟତର କର୍ମଚାରୀ ଓ ସରପଞ୍ଚଙ୍କୁ ବିଭାଗୀୟ ଅଧିକାରୀଙ୍କ ତନାଘନା ଦେଖିବାକୁ ମିଳିଥିଲା ଓ ଭିଜିଲାନ୍ସ ମଧ୍ୟ ବାରମ୍ବାର କୋଟଗଡ଼ ଆସି ତଥ୍ୟ ପ୍ରମାଣ ଯୋଗାଡ଼ କରି ଫେରିଥିବା ଦେଖିବାକୁ ମିଳିଥିଲା ।
କିନ୍ତୁ ତଦନ୍ତରେ ଶିଥିଳତା ଦେଖା ଦେବାରୁ ବାରମ୍ବାର ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା । ଆଉ ଗତ ୨୯/୫/୨୫ରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ ପତ୍ରସଂଖ୍ୟା ୬୮୮ଅନୁଯାୟୀ ବିଷ୍ଣୁ ଚରଣ ବେହେରା ତତକାଳୀନ ପିଇଓଙ୍କୁ ନିଲମ୍ବନ ଆଦେଶ ସହ ଗତ ୨୮/୫/୨୫ରେ ଜିଲ୍ଲା ପରିଷଦ କନ୍ଧମାଳ କାର୍ଯ୍ୟାଳୟ ଜିଲ୍ଲାପାଳ ତଥା ଡିପିସି ମନରେଗା ବିଭାଗ ଦ୍ୱାରା କାର୍ଯ୍ୟାନୁଷ୍ଠାନ ପତ୍ର ସଂଖ୍ୟା ୨୦୯୮ ଅନୁଯାୟୀ ତତ୍କାଳୀନ ଦୁର୍ଗାପଙ୍ଗା ଜିଆରଏସ ଓ ବର୍ତମାନ ବେଲଘର ଗୁମାପଂଚାୟତର ଏଡିଓ ବଳରାମ ସେଠୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିବା ନିଲମ୍ବନ ପତ୍ରରୁ ଜଣାପଡିଛି । ହେଲେ ଏ ନେଇ ବିଡିଓ ଶୁଭକାନ୍ତ ନାୟକ ସ୍ୱୀକାର କରିଥିବା ବେଳେ ଗଣମାଧ୍ୟମକୁ ସହଯୋଗ କରୁ ନାହାନ୍ତି ।