ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ପରେ ନୂଆ ସମସ୍ୟା, ବଳକା ୧୭ ଲକ୍ଷ ଟନ୍ ଚାଉଳ ନେବ କିଏ ?

ଭୁବନେଶ୍ୱର,୨୦/୦୩: ୨୦୨୧-୨୨ ଖରିଫ ଋତୁରେ ରାଜ୍ୟରେ ୫୨ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ ହୋଇଥିଲା । ସେଥିରୁ ୩୯ ଲକ୍ଷ ମେଟ୍ରିକ୍ ଟନ୍ ସାଧାରଣ ବଣ୍ଟନ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଓ ଅନ୍ୟ ବାଟରେ ଖର୍ଚ୍ଚ ହେଲା । ବଳକା ରହିଥିଲା ୧୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ।
ଏହି ବଳକା ଉଷୁନା ଚାଉଳ ଉଠାଇବାକୁ କେନ୍ଦ୍ର ସରକାରଙ୍କ ସଂସ୍ଥା ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) ରାଜି ହେଲାନି । ରାଜ୍ୟ ସରକାରଙ୍କ ଯୋଗାଣ ନିଗମର ବିଭିନ୍ନ ଗୋଦାମରେ ଏହି ଚାଉଳ ଏବେ ବି ପଡ଼ି ରହିଛି । ରାଜ୍ୟ ପକ୍ଷରୁ ବାରମ୍ବାର କେନ୍ଦ୍ରକୁ ଚିଠି, କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କୁ ସାକ୍ଷାତ କିଛି ମଧ୍ୟ ଫଳପ୍ରଦ ହେଲାନାହିଁ । କେନ୍ଦ୍ରର ଯୁକ୍ତି ହେଲା ଓଡ଼ିଶା ବ୍ୟତୀତ ଅନ୍ୟ ରାଜ୍ୟରେ ଉଷୁନା ଚାଉଳର ଏତେ ଆଦର ନାହିଁ । ସେସବୁ ରାଜ୍ୟର ଲୋକେ ଅରୁଆ ଚାଉଳ ଖାଉଛନ୍ତି । ତେଣୁ ଏତେ ପରିମାଣର ଉଷୁନା ଚାଉଳ ନେଇ ଏଫ୍ସିଆଇ କରିବ କ’ଣ ?
କେନ୍ଦ୍ର-ରାଜ୍ୟ ମଧ୍ୟରେ ଏହି ଉଷୁନା- ଅରୁଆ ଚାଉଳ ବିବାଦ କମିନଥିବା ବେଳେ ଏବେ ଆଉ ଏକ ନୂଆ ସମସ୍ୟା ମୁଣ୍ଡ ଟେକିଛି । ଡିସେମ୍ବର ୨୦୨୨ରୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରି ଦେଲେ । ଅର୍ଥାତ ଗରିବ ଲୋକଙ୍କୁ ମାସିକ ୫ କେଜି ଚାଉଳ ଆଉ ମିଳିବ ନାହିଁ । ଓଡ଼ିଶାରେ ୩ କୋଟି ୨୫ ଲକ୍ଷ ହିତାଧିକାରୀ ମାସକୁ ୫ କେଜି ମାଗଣା ଚାଉଳ ପାଇ ଆସୁଥିଲେ । ଏ ବାବଦରେ କେନ୍ଦ୍ର ସରକାର ଖର୍ଚ୍ଚ ବହନ କରୁଥିଲେ । ରାଜ୍ୟରେ ସଂଗ୍ରହ ହେଉଥିବା ଚାଉଳ ଏ ବାବଦରେ ଖର୍ଚ୍ଚ ହେଉଥିଲା । ହଠାତ୍ ଏହା ବନ୍ଦ ହୋଇଯିବାରୁ ବୋଝ ଉପରେ ନଳିତା ବିଡ଼ା ପରି ମାସକୁ ପ୍ରାୟ ୧୪ ଲକ୍ଷ ୫୪୯୪ କ୍ୱିଣ୍ଟାଲ ଚାଉଳ ବଳକା ରହିଯିବ । ବର୍ଷ ଶେଷକୁ ୧୭ ଲକ୍ଷ ମେଟ୍ରିକ୍ ଟନ୍ ବଳିଯିବ ।
ରାଜ୍ୟରେ ୨୦୨୨-୨୩ ଖରିଫ୍ ଧାନକିଣା ଗତ ଡିସେମ୍ବର ମାସରୁ ଶେଷ ହୋଇଛି । ରବି ଧାନକିଣା ମଧ୍ୟ ପ୍ରାୟତଃ ସରିଗଲାଣି । ମାର୍ଚ୍ଚ ୩୦ ତାରିଖ ରବି ଧାନକିଣାର ଅନ୍ତିମ ତାରିଖ ରହିଛି । ଏ ବର୍ଷ ଖରିଫ୍ ଓ ରବି ମିଶି ପ୍ରାୟ ୪୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ ହେବାକୁ ଲକ୍ଷ୍ୟ ରହିଛି । ଏ ବର୍ଷ ଯେତିକି ଧାନ କିଣାଯାଇଛି ଏହି ଲକ୍ଷ୍ୟ ଟପିଯିବ । ସେପଟେ ଆଗରୁ ୧୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବଳକା ରହୁଥିଲା । ଏଥରକ ଆଉ ୧୭ ଲକ୍ଷ ମେଟ୍ରିକ୍ ଟନ୍ ଅଧିକ ବଳକା ରହିବ । ଏହି ବଳକା ଧାନକୁ ନେଇ କ’ଣ କରିବେ ସେ ନେଇ ରାଜ୍ୟ ସରକାର ହରଡ଼ଘଣାରେ ପଡିଛନ୍ତି ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଗତ ୩ ବର୍ଷରେ ଏଫସିଆଇ ଯଥାକ୍ରମେ ୧୧.୪୩ ଲକ୍ଷ ମେଟ୍ରିକ୍ ଟନ୍, ୧୫.୪୬ ଲକ୍ଷ ମେଟ୍ରିକ୍ ଟନ୍ ଓ ୧୨.୧ ଲକ୍ଷ ମେଟ୍ରିକ୍ ଟନ୍ ରାଜ୍ୟକୁ ଆବଣ୍ଟିତ କରିଥିଲା । ଏଥରକ ଏତିକି ଚାଉଳ ଆଉ ଏଫ୍ସିଆଇ ଉଠାଇବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି । ଏମିତି ବି ରାଜ୍ୟରେ କଷ୍ଟମ୍ ମିଲିଂ ପରେ ଚାଉଳ ସଂରକ୍ଷିତ ରଖିବାକୁ ଆବଶ୍ୟକ ଗୋଦାମ ଘର ନାହିଁ । ଫଳରେ ରାଇସ୍ ମିଲ୍ ପାଖରେ ଚାଉଳ ପଡି ରହୁଛି । ଏଫ୍ସିଆଇ ଠିକ୍ ସମୟରେ ଚାଉଳ ନ ଉଠାଇଲେ ଆମ ଗୋଦାମରେ ଜାଗା ରହୁନି ।
ବଳକା ରହୁଥିବା ୧୭ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବାବଦରେ ରାଜ୍ୟ ଯୋଗାଣ ନିଗମ ପ୍ରାୟ ୫୪୦୦ କୋଟି ଟଙ୍କା ଖର୍ଚ୍ଚ କରିଛି । ଏଥିରେ ଧାନକିଣା ବାବଦରେ ଚାଷୀଙ୍କ ପ୍ରାପ୍ୟ, କଷ୍ଟମ ମିଲିଂ ଖର୍ଚ୍ଚ ରହିଛି । ବ୍ୟାଙ୍କ ଋଣ ଓ ସୁଧ ଗଣି ଗଣି ନୟାନ୍ତ ହେଉଥିବା ରାଜ୍ୟ ଯୋଗାଣ ନିଗମ ଉପରେ ଏହି ୫୪୦୦ କୋଟି ଟଙ୍କା ଆଉ ଏକ ବୋଝ ପାଲଟିଲାଣି । ୨୦୨୩ ଅକ୍ଟୋବର- ନଭେମ୍ବର ମାସରୁ ପୁଣି ଥରେ ଖରିଫ୍ ଧାନକିଣା ଆରମ୍ଭ ହେବ । ଏହା ପୂର୍ବରୁ ଏହି ବଳକା ଚାଉଳକୁ ଯଦି ଏଫ୍ସିଆଇ ନ ନିଏ, ତେବେ ରାଜ୍ୟରେ ଧାନ ସଂଗ୍ରହ ଗୁରୁତର ବାଧାପ୍ରାପ୍ତ ହେବ ବୋଲି ଯୋଗାଣ ନିଗମର ଜଣେ ଅଧିକାରୀ କହିଛନ୍ତି । କେନ୍ଦ୍ର ନ ନେଲେ ଏହି ବଳକା ଚାଉଳ ବଣ୍ଟନ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଯୋଜନା କିମ୍ବା ବିକଳ୍ପ ବ୍ୟବସ୍ଥା କରିବା ଜରୁରି ହୋଇପଡ଼ିଛି ।