ନୂଆଦିଲ୍ଲୀ,୯।୫:  ବିଜେପିର ରାଜନୈତିକ ଅନ୍ଦାଜ ଏବେ ପୁରାପୁରି ବଦଳି ଯାଇଛି। କେବେ ନିଜର କ୍ୟାଡର ଓ ଦଶକ ଧରି ନିଜ ଦଳର ପତାକା ଧରି ଆସିଥିବା ପୁରୁଣା ନେତାଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଦେଇଥିଲା। ହେଲେ ଏବେ ବିଜେପି ନିଜର ଷ୍ଟ୍ରାଟେଜି ବଦଳାଇଛି। ଏବେ ‘ଓ୍ବିନିଂ ଫର୍ମୁଲା’ ଉପରେ ବିଶ୍ବାସ କରୁଛି। ଯେଉଁ ରାଜ୍ୟରେ ପାର୍ଟି ସଂଗଠନ ଐତିହାସିକ ରୂପରେ ଦୁର୍ବଳ ରହିଛି, ସେଠାରେ ଅନ୍ୟ ଦଳରୁ ଆସିଥିବା ମଜବୁତ ନେତାଙ୍କୁ ଗୁରୁଦାୟିତ୍ବ ଦିଆଯାଇଛି। ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବା ଏହି ରଣନୀତିର ସବୁଠାରୁ ତାଜା ଓ ବଡ ଉଦାହରଣ। ସବୁଠାରୁ ବଡ଼ କଥା ଶୁଭେନ୍ଦୁ ଅଧିକାରୀ ବିଜେପିର ଏହି ଖାସ୍ କ୍ଲବରେ ସବୁଠାରୁ ନୂଆ ସଦସ୍ୟ ପାଲଟି ଯାଇଛନ୍ତି। ଏଥିରେ ଅନ୍ୟ ଦଳରୁ ଆସିଥିବା ନେତା ମୁଖ୍ୟମନ୍ତ୍ରୀ ପଦ ପର୍ଯ୍ୟନ୍ତ ପହଁଞ୍ଚିଥିବା ବହୁ ନେତା ପୂର୍ବରୁ ସାମିଲ ଥିଲେ। ଆସନ୍ତୁ ଜାଣିବା ବିଜେପିର ଏହି ମୁଖ୍ୟମନ୍ତ୍ରୀଙ୍କ ବିଷୟରେ, ଯିଏକି ନିଜର ରାଜନୈତିକ ଯାତ୍ରାକୁ ଆଉ କୌଣସି ଦଳରୁ ଆରମ୍ଭ କରିଛି, କିନ୍ତୁ ଆଜି ବି ବିଜେପିର ସବୁଠାରୁ ବଡ଼ ଚେହେରା ଭାବରେ ଗଣାଯାଉଛି।

ପଶ୍ଚିମବଙ୍ଗରେ ପ୍ରଥମ ଥର ସରକାର ଗଠନ କରିଥିବା ବିଜେପି ମୁଖ୍ୟମନ୍ତ୍ରୀ ପଦ ପାଇଁ ଶୁଭେନ୍ଦୁ ଅଧିକାରୀଙ୍କୁ ଚୟନ କରିଛି। ମାତ୍ର ୬ ବର୍ଷ ପୂର୍ବରୁ ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁଙ୍କ ଯାତ୍ରା ଖୁବ୍ ଗୁରୁତ୍ବପୂର୍ଣ୍ଣ ରହିଛି। ଶୁଭେନ୍ଦୁ କେବେ ତୃଣମୂଳ କଂଗ୍ରେସରେ ମମତା ବାନାର୍ଜୀଙ୍କ ଖୁବ୍ ନିକଟତମ ବୋଲି ପରିଚିତ ଥିଲେ। ୨୦୦୭ ରେ ନନ୍ଦିଗ୍ରାମ୍ର ଭୂମି ଅଧିଗ୍ରହଣ ବିରୋଧି ଆନ୍ଦୋଳନରେ ତାଙ୍କର ଭୂମିକା ଖୁବ୍ ଅଧିକ ଥିଲା। ଯିଏକି ୨୦୧୧ ରେ ମମତାଙ୍କୁ କ୍ଷମତାର ଶିଖରରେ ପହଁଞ୍ଚାଇଥିଲେ। ୨୦୨୦ ରେ ଟିଏମ୍ସି ଛାଡି ବିଜେପିରେ ଯୋଗ ଦେଇଥିଲେ। ଏହାପରେ ୨୦୨୧ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଓ ଏବେ ୨୦୨୬ ରେ ଭବାନୀପୁରରୁ ସିଧା ମୁକାବିଲା କରି ମମତାଙ୍କୁ ଦୁଇଥର ହରାଇଛନ୍ତି।

ତେବେ ଆସନ୍ତୁ ଜାଣିବା ଅନ୍ୟ ଦଳରୁ ଆସିଥିବା କେଉଁ ନେତାଙ୍କୁ ବିଜେପି ଦେଇଛି ମୁଖ୍ୟମନ୍ତ୍ରୀ ପଦ ?

ହିମନ୍ତ ବିଶ୍ୱ ଶର୍ମା : ଆସାମ କଂଗ୍ରେସର ବରିଷ୍ଠ, ଏବେ ବିଜେପିର ଫାୟାରବ୍ରାଣ୍ଡ ମୁଖ୍ୟମନ୍ତ୍ରୀ। ଶୁଭେନ୍ଦୁ ଅଧିକାରୀଙ୍କ ପୂର୍ବରୁ ଏହି ଟ୍ରେଣ୍ଡ ଆସାମରେ ଦେଖିବାକୁ ମିଳିଛି। ସେଠାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସରୁ ବିଜେପି ପର୍ଯ୍ୟନ୍ତ ଯାତ୍ରା ଧାର୍ଯ୍ୟ କରିଥିଲେ। ୨୦୧୫ ରେ ଆସାମର ତତ୍କାଳୀନ ମୁଖ୍ୟମନ୍ତ୍ର ତରୁଣ ଗୋଗୋଇଙ୍କ ସହ ମତଭେଦ ପରେ ହିମନ୍ତ ଦଳ ଛାଡିଥିଲେ। କୁହାଯାଏ ଯେ, ସେ ଯେତେବେଳେ ରାହୁଲ ଗାନ୍ଧିଙ୍କୁ ଭେଟି ଏ ବିଷୟରେ ଜଣାଇଥିଲେ, ରାହୁଲ ସେତେବେଳେ ତାଙ୍କ କଥାକୁ ଗୁରୁତ୍ବ ନଦେଇ କୁକୁରକୁ ବିସ୍କୁଟ ଖୁଆଇବାରେ ବ୍ୟସ୍ତ ଥିଲେ। ଏଥିରେ ରାଗି ସେ ବିଜେପିରେ ଯୋଗ ଦେଇଥିଲେ। ୨୦୧୬ ରେ ପ୍ରଥମ ଥର ଆସାମରେ ବିଜେପି ସରକାର ଗଠନ କରିବାରେ ହିମନ୍ତଙ୍କ ବଡ ଭୂମିକା ଥିଲା। ଦଳ ସର୍ବାନନ୍ଦ ସୋନଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ କଲା, କିନ୍ତୁ ୨୦୨୧ ରେ ଲଗାତାର ଦ୍ବିତୀୟ ଥର ବିଜୟ ପରେ ସୋନଓ୍ବାଲଙ୍କୁ କେନ୍ଦ୍ରମନ୍ତ୍ରୀ କରି ହିମନ୍ତଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲା।

ପୂର୍ବୋତ୍ତର ୩ ରାଜ୍ୟରେ ଦଳବଦଳ ନେତାଙ୍କୁ ବି ବିଜେପି କରିଛି ମୁଖ୍ୟମନ୍ତ୍ରୀ

ପେମା ଖାଣ୍ଡୁ(ଅରୁଣାଚଳ ପ୍ରଦେଶ): ୨୦୧୬ ରେ ତତ୍କାଳୀନ କଂଗ୍ରେସ ମୁଖ୍ୟମନ୍ତ୍ରୀ ପେମା ଖାଣ୍ହୁ ୪୩ ବିଧାୟକଙ୍କ ସହିତ ପିପିଏ ଚାଲି ଆସିଥିଲେ। ଦୁଇ ମାସ ପରେ ପିପିଏ ଛାଡି ୩୨ ବିଧାୟକଙ୍କ ସହିତ ବିଜେପିରେ ଯୋଗ ଦେଇଥିଲେ। ଏହା ସହ ଅରୁଣାଚଳ ପ୍ରଦେଶ ଭଳି ରାଜ୍ୟରେ ଦୁର୍ବଳ ଥିବା ବିଜେପି ଏକ ମଜବୁତ ଶକ୍ତି ପାଲଟିଗଲା। ପେମା ଖାଣ୍ଡୁ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଏନ୍.ବିରେନ୍ ସିଂହ(ମଣିପୁର) : କେବେ କଂଗ୍ରେସ ସରକାରରେ ମନ୍ତ୍ରୀ ଥିବା ବିରେନ୍ ସିଂହ ୨୦୧୬ ରେ ବିଜେପିରେ ସାମିଲ ହୋଇଥିଲେ। ୨୦୧୭ ରେ ଯେତେବେଳେ ବିଜେପି ମଣିପୁରରେ ନିଜ ସରକାର ଗଠନ କରିଥିଲା, ସେତେବେଳେ ତାଙ୍କୁ ମୁଖ୍ୟନ୍ତ୍ରୀ କରାଯାଇଥିଲା।

ମାଣିକ ସାହା (ତ୍ରିପୁରା): କଂଗ୍ରେସର ପୃଷ୍ଠଭୂମିରୁ ଆସିଥିବା ମାଣିକ ସାହା ୨୦୧୬ ରେ ବିଜେପିକୁ ଆସିଥିଲେ। ୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ଥିଲେ। ୨୫ ବର୍ଷର ବାମପନ୍ଥୀ ଶାସନକୁ ଶେଷ କରିଥିବା ବିଜେପି ୨୦୨୨ ରେ ବିପ୍ଲବ କୁମାର ଦେବଙ୍କୁ ହଟାଇ ମାଣିକ ସାହାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା।
ଆହୁରି ପଢନ୍ତୁ : ହରିୟାଣାରୁ ବଙ୍ଗ: ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଏହି ୯ ରାଜ୍ୟରେ ଆସିଲା ସରକାର