ନୂଆଦିଲ୍ଲୀ: ଯୌନଶୋଷଣ ଏବଂ ଠକେଇ ମାମଲାରେ ଅଭିଯୁକ୍ତ ସ୍ବାମୀ ଚୈତନ୍ୟାନନ୍ଦଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ପଟିଆଲା ହାଉସ କୋର୍ଟ। ତାଙ୍କର ୫ ଦିନିଆ ପୋଲିସ ରିମାଣ୍ଡ ଶେଷ ହେବା ପରେ ଦିଲ୍ଲୀ ପୋଲିସ ତାଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର କରିଥିଲା। ତେବେ ଅଭିଯୁକ୍ତ ବାବାଙ୍କ ଓକିଲ ନ୍ୟାୟିକ ହାଜତରେ ପୋଷାକ, ଔଷଧ ଏବଂ ସନ୍ୟାସୀ ଖାଦ୍ୟ ପାଇଁ ଅନୁରୋଧ କରିଛନ୍ତି। କୋର୍ଟ ଆସନ୍ତାକାଲି ଅର୍ଥାତ ଶନିବାର ଏହି ଆବେଦନର ଶୁଣାଣି କରିବେ। ଅଭିଯୁକ୍ତ ବାବାଙ୍କ ଓକିଲ ସିଜର୍ ମେମୋ ଏବଂ କେସ୍ ଡାଏରୀରେ ବିଚାରପତିଙ୍କ ଦସ୍ତଖତ ଦାବି କରିଛନ୍ତି। ସିଜର୍ ମେମୋ ଆବେଦନ ଉପରେ ପୋଲିସ ଠାରୁ ଜବାବ ମାଗିଛନ୍ତି । କୋର୍ଟ ଆସନ୍ତାକାଲି ଏହି ମାମଲାର ଶୁଣାଣି କରିବ।

ଦିଲ୍ଲୀ ପୋଲିସ ବାବାଙ୍କୁ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଅନିମେଶ କୁମାରଙ୍କ ସମ୍ମୁଖରେ ହାଜର କରିଛି। ବାବାଙ୍କ ବିରୋଧରେ ଏକ ଘରୋଇ ପ୍ରତିଷ୍ଠାନରେ ୧୭ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବାର ଅଭିଯୋଗ ଅଛି। ମାମଲା ସାମ୍ନାକୁ ଆସିବା ପରେ ସେ ଫେରାର୍ ହୋଇଯାଇଥିଲେ। ୬୨ ବର୍ଷୀୟ ବାବାଙ୍କୁ ସେପ୍ଟେମ୍ବର ୨୮ ତାରିଖରେ ପୋଲିସ ଆଗ୍ରାରୁ ଗିରଫ କରିଥିଲା।

ପୂର୍ବରୁ,ପୋଲିସ ବାବାଙ୍କ ସହିତ ଜଡିତ ଅନେକ ବ୍ୟାଙ୍କ ଆକାଉଣ୍ଟ ଏବଂ ଜମା ହୋଇଥିବା ୮ କୋଟି ଟଙ୍କା ଜବତ କରିଥିଲା । FIR ଅନୁଯାୟୀ, ବାବା ବିଳମ୍ବିତ ରାତିରେ ଛାତ୍ରୀ ମାନଙ୍କୁ ତାଙ୍କ କ୍ୱାର୍ଟରକୁ ଆସିବାକୁ ବାଧ୍ୟ କରିଥିଲେ ଏବଂ ସେମାନଙ୍କୁ ଅଶ୍ଳୀଳ ମେସେଜ୍ ପଠାଇଥିଲେ। ସେ ତାଙ୍କ ଫୋନ୍ ମାଧ୍ୟମରେ ସେମାନଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ନଜର ରଖିଥିଲେ।

ଗତକାଲି ଅର୍ଥାତ ଗୁରୁବାର ଦିନ, ପୋଲିସ ଏହି ମାମଲାରେ ତିନି ଜଣ ମହିଳାଙ୍କୁ ଗିରଫ କରିଛି। ଏହି ମହିଳା ମାନେ ସେହି ସମାନ ପ୍ରତିଷ୍ଠାନରେ କାମ କରନ୍ତି । ଏହି ତିନି ଜଣଙ୍କ ବିରୁଦ୍ଧରେ ଅପରାଧ ପାଇଁ ପ୍ରୋତ୍ସାହନ, ଧମକ ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଅଭିଯୋଗ ହୋଇଛି।