PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ନବୀନଙ୍କୁ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲଙ୍କ ପତ୍ର: ସଂପୃକ୍ତ ପୁଲିସ୍‌କୁ ଗିରଫ କର

ଭୁବନେଶ୍ୱର/ରାଉରକେଲା/ଲାଠିକଟା,୮ ।୨(ବ୍ୟୁରୋ): ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଅଞ୍ଚଳର ଆଦିବାସୀ ନାବାଳିକା ରାଜସ୍ଥାନରୁ ଉଦ୍ଧାର ହେବା ଘଟଣା ଉପରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି । ଏହି ସମ୍ବେଦନଶୀଳ ଘଟଣା କ୍ଷେତ୍ରରେ ତୁରନ୍ତ ହସ୍ତକ୍ଷେପ କରିବାକୁ ସେ ନିବେଦନ କରିଛନ୍ତି । ନାବାଳିକା ଚୋରାଚାଲାଣ ଓ ଏହି ଘଟଣାରେ ସଂପୃକ୍ତ ଅପାରଗ ତଥା ଦାୟିତ୍ୱହୀନ ପୁଲିସ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି ।
ପତ୍ରରେ ସେ ଜଣାଇଛନ୍ତି, ରାଜସ୍ଥାନର ଝୁନଝୁନରୁ ଆମେ ରାଉରକେଲା ଅଞ୍ଚଳର ଜଣେ ୧୬ ବର୍ଷୀୟ ନାବାଳିକାକୁ ଉଦ୍ଧାର କରି ସୁଧାରଗୃହରେ ରଖିଛୁ । ସେ ୯ ମାସର ଗର୍ଭବତୀ ଅଛି । ତାଙ୍କ ବାପାଙ୍କ ଅଭିଯୋଗ ମୁତାବକ ଡିସେମ୍ବର ୨୦୧୭ରେ ତାଙ୍କ ଝିଅକୁ କେହି ଅପହରଣ କରି ନେଇ ରାଜସ୍ଥାନରେ ବିକି ଦେଇଥିଲେ । ଜଣେ ୪୨ ବର୍ଷୀୟ ବ୍ୟକ୍ତି ଝିଅକୁ ଜୋରଜବରଦସ୍ତ ବିବାହ କରଥିଲେ । ସେହିଦିନ ଠାରୁ ଝିଅକୁ ସେ ବଳାତ୍କାର ଓ ନିର୍ଯାତନା ଦେଇ ଆସୁଥିଲେ । ତେବେ ଝିଅ କୌଣସିମତେ ଫୋନ୍‌ରେ ବାପାଙ୍କୁ ନିଜ ଠିକଣା ଜଣାଇ ଦେଇଥିଲା । ଏଠାରେ ବାପା ଅଭିଯୋଗ କରିବାର ୨୪ ଘଣ୍ଟା ମଧ୍ୟରେ ରାଜସ୍ଥାନ ପୁଲିସ ସହାୟତାରେ ଆମେ ସଂପୃକ୍ତ ଝିଅକୁ ଉଦ୍ଧାର କରିପାରିଛୁ । ଯଦି ଗୋଟିଏ ଦିନରେ ହିଁ କମିସନଙ୍କ ଏରିଆ ବାହାରେ ଥିବା ନାବାଳିକା ଉଦ୍ଧାର ହୋଇପାରିଲା ତା’ହେଲେ ଦୀର୍ଘ ୨ ବର୍ଷ ଧରି କାହିଁକି କୌଣସି ପଦକ୍ଷେପ ନିଆଯାଇନଥିଲା ବୋଲି ସ୍ୱାତୀ ପ୍ରଶ୍ନ କରିଛନ୍ତି ।
ଝିଅର ବାପା ଜଣେ ଅବସରପ୍ରାପ୍ତ ରେଳବାଇ କର୍ମଚାରୀ । ସେ ଅଭିଯୋଗ କରିଛନ୍ତି, ୨୦୧୭ ମସିହା ଡିସେମ୍ବର ୫ ତାରିଖ ଦିନ ସକାଳ ପ୍ରାୟ ସାଢ଼େ ୬ଟାରେ ସେ ଡ୍ୟୁଟି ଯାଇଥିଲେ । ଘରେ ନାବାଳିକା ଜଣକ ଏକୁଟିଆ ଥିବା ବେଳେ ଦୁଇ ଜଣ ସମ୍ପର୍କୀୟ ତାଙ୍କୁ ଅପହରଣ କରି ନେଇଥିଲେ । ରାତି ପ୍ରାୟ ସାଢେ ୧୦ଟାରେ ସେ ଡ୍ୟୁଟିରୁ ଫେରିବା ପରେ ଝିଅ ଘରେ ନଥିବା ଦେଖିବାକୁ ପାଇଥିଲେ । ପାଖ ପଡ଼ୋଶୀଙ୍କୁ ପଚାରିବା ସହ ସଂପର୍କୀୟମାନଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଝିଅର ସନ୍ଧାନ ପାଇ ନଥିଲେ । ଶେଷରେ ୭ ତାରିଖ ଦିନ ନାବାଳିକାଙ୍କ ବାପା ସ୍ଥାନୀୟ ଲାଠିକଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲାଠିକଟା ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ । ୨୩ ତାରିଖ ଦିନ ନାବାଳିକାଙ୍କୁ ଉଦ୍ଧାର କରି ରାଉରକେଲା ଶିଶୁ ମଙ୍ଗଳ କମିଟିକୁ ପୁଲିସ୍‌ ହସ୍ତାନ୍ତର କରିଥିଲା । ସେଠାରେ ନାବାଳିକାଙ୍କ ବୟାନ ରେକର୍ଡ ହେବା ସହ ସମସ୍ତ ତଥ୍ୟ ଯାଞ୍ଚ ହେବା ପରେ ନାବାଳିକାଙ୍କୁ କମିଟି ତାଙ୍କ ବାପାଙ୍କୁ ହସ୍ତାନ୍ତର କରିଥିଲା । ମାତ୍ର ସ୍ଥାନୀୟ ପୁଲିସ୍‌ ପୁଣି ଥରେ ନାବାଳିକାଙ୍କୁ ବଳପୂର୍ବକ ପିତାଙ୍କ ପାଖରୁ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରି ଦେଇଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣକ ନାବାଳିକାଙ୍କୁ ରାଜସ୍ଥାନ ନେଇଯାଇଥିଲେ । ଦୀର୍ଘ ଏକ ବର୍ଷ ଧରି ନାବାଳିକା ସମ୍ପୃକ୍ତ ବ୍ୟକ୍ତିଙ୍କ ଦ୍ୱାରା ବଳାତ୍କାରର ଶିକାର ହେବା ସହ ନିର୍ଯାତିତ ହେଉଥିଲେ ।
ଏହା ପରେ ନାବାଳିକାଙ୍କ ବାପା ବର୍ଷେ ହେଲା ରାଉରକେଲାର ପୁଲିସ ଷ୍ଟେସନ ଠାରୁ ଆରମ୍ଭ କରି ସିଡବ୍ଲୁସି, ଅତିରିକ୍ତ ଜିଲ୍ଲାପାଳ, ଏସ୍‌ପି, ଡିଏସ୍‌ପି, ଡିଆଇଜି(ସୁନ୍ଦରଗଡ଼), ସୁନ୍ଦରଗଡ଼ ଜିଲ୍ଲାପାଳ, ପୁଲିସ କମିଶନର(କଟକ), ଡିଜିପି(କଟକ)ଙ୍କ ନିକଟରେ ଝିଅକୁ ଉଦ୍ଧାର ଲାଗି ନିବେଦନ କରିଥିଲେ । କିନ୍ତୁ କେହି କିଛି ପଦକ୍ଷେପ ଗ୍ରହଣ ନ କରିବାରେ ଝିଅଟି ଦୁର୍ଭାଗ୍ୟ ଭିତରକୁ ଠେଲି ହୋଇଗଲା । ଝିଅର ବାପା ଦିଲ୍ଲୀ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିବାର ୨୪ ଘଣ୍ଟା ମଧ୍ୟରେ ଝିଅ ଉଦ୍ଧାର ହୋଇପାରିଛି । କିନ୍ତୁ ବର୍ଷ ବର୍ଷ ଧରି ଅଭିଯୋଗକୁ ଓଡ଼ିଶା ପୁଲିସ ମାଡ଼ିବସି କିଛି ନ କରିବାର କାରଣ ବୁଝାପଡ଼ୁନାହିଁ ବୋଲି ସେ ଲେଖିଛନ୍ତି । ପୁଲିସର ଏଭଳି ଦାୟିତ୍ୱହୀନ ଓ ଅବିଚାର ଆଚରଣ ଯୋଗୁ ଉଭୟ ଝିଅ ଓ ବାପା ଅକଥନୀୟ ଦୁର୍ଦ୍ଦଶା ଭୋଗିଲେ । ମାନସିକ ସ୍ତରରେ ଝିଅର ଅବସ୍ଥା ନିହାତି ସାଂଘାତିକ ହୋଇଗଲା । ଯେଉଁ ବୟସରେ ସ୍କୁଲରେ ପାଠ ପଢ଼ିଥାନ୍ତା ସେଠି ସେ ଏବେ ୯ ମାସର ଗର୍ଭବତୀ ଓ ନିର୍ଯାତିତା ।
ଏହି କ୍ଷେତ୍ରରେ ତୁରନ୍ତ ହସ୍ତକ୍ଷେପ କରି ଏଥିରେ ସଂପୃକ୍ତ ନାବାଳିକା ଚୋରା ଚାଲାଣକାରୀ ଓ ଦାୟିତ୍ୱହୀନ ପୁଲିସ ଅଧିକାରୀଙ୍କୁ ଗିରଫ କରି ଆଇନର କାଠଗଡ଼ାକୁ ଟାଣିବା ନିହାତି ଆବଶ୍ୟକ । ଏଥି ସହିତ ଉକ୍ତ ଝିଅର ଥଇଥାନ, ସୁରକ୍ଷା ଦିଗରେ ଧ୍ୟାନ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର