ନୂଆଦିଲ୍ଲୀ,୧୧।୬: ସିରିଆରେ ବସର ଅଲ-ଆସାଦଙ୍କ ଦମନକାରୀ ଶାସନର ଅନ୍ତ ଘଟାଇଥିବା ବିଦ୍ରୋହୀ ଗୋଷ୍ଠୀ ଏବେ ସିରିଆରେ ଶାସନ କରୁଛନ୍ତି। ମଙ୍ଗଳବାର ଦିନ ଅହମଦ ଅଲ-ଶାରାଙ୍କ ନେତୃତ୍ୱରେ ସିରିଆର ନୂତନ ଅନ୍ତରୀଣ ସରକାର ଏକ ନୂତନ ରକ୍ଷଣଶୀଳ ଇସଲାମିକ୍ ଡ୍ରେସ୍ କୋଡ୍ ଜାରି କରିଛି। ଯାହା ବେଳାଭୂମି ଏବଂ ସୁଇମିଂ ପୁଲରେ ସୁଇମ୍ ସୁଟ୍ ପିନ୍ଧି ଗାଧୋଇବା ଉପରେ ନିଷେଧାଦେଶ ଜାରି କରିଛି। ମହିଳାମାନଙ୍କୁ ଏବେ ବେଳାଭୂମି ଏବଂ ସୁଇମିଂ ପୁଲରେ ଗାଧୋଇବା ପାଇଁ ସମ୍ପୂର୍ଣ୍ଣ ଶରୀର ଘୋଡ଼ାଇ ବୁର୍କିନି ନାମକ ଢିଲା ଫିଟିଂ ସୁଇମିଂ ଓ୍ବେର ବା ପହଁରିବା ପାଇଁ ସ୍ବତନ୍ତ୍ର ପୋଷାକ ପିନ୍ଧିବାକୁ ପଡିବ।
ଗତ ବର୍ଷ ଡିସେମ୍ବରରେ ଇସଲାମିକ ବିଦ୍ରୋହୀମାନେ ଅସାଦଙ୍କ ସରକାରକୁ କ୍ଷମତାଚ୍ୟୁତ କରିବା ପରେ ଏହା ପ୍ରଥମ ସାଂସ୍କୃତିକ ପରିବର୍ତ୍ତନ। ସିରିଆର ଅନ୍ତରୀଣ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ମାଜେନ୍ ଅଲ୍-ସାଲହାନି କହିଛନ୍ତି, ସାର୍ବଜନୀକ ହିତକୁ ଧ୍ୟାନରେ ରଖି ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି। ଏହା ସହ ସେ ଫେସବୁକରେ ପୋଷ୍ଟ କରାଯାଇଥିବା ଏକ ନିର୍ଦ୍ଦେଶନାମାରେ କହିଛନ୍ତି: ‘ସାର୍ବଜନୀନ ବେଳାଭୂମି ଏବଂ ସୁଇମିଂ ପୁଲ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି, ପର୍ଯ୍ୟଟକ ହୁଅନ୍ତୁ କିମ୍ବା ସ୍ଥାନୀୟ ଲୋକ, ଉପଯୁକ୍ତ ସନ୍ତରଣ ପୋଷାକ ପିନ୍ଧିବା ଉଚିତ। ସନ୍ତରଣ ପୋଷାକ ଏପରି ହେବା ଉଚିତ ଯେପରିକି ଏହାକୁ ଦେଖିବା ସମୟରେ ଲୋକମାନେ ଖରାପ ଅନୁଭବ ନକରନ୍ତି। ଯେଉଁଥିରେ ସମାଜର ବିଭିନ୍ନ ବର୍ଗର ସମ୍ବେଦନଶୀଳତାକୁ ବିଚାରକୁ ଧ୍ୟାନରେ ରଖି ନିଷ୍ପତ୍ତି ନିଆଯାଇଛି।
ନିର୍ଦେଶରେ କୁହାଯାଇଛି ସାର୍ବଜନୀନ ବେଳାଭୂମି ଓ ପୁଲ୍ରେ ଅଧିକ ଶାଳୀନ ସନ୍ତରଣ ପୋଷାକ (ବୁର୍କିନୋ କିମ୍ବା ସୁଇମ୍ସୁଟ୍, ଯାହାକି ଶରୀରର ଅଧିକାଂଶ ଅଂଶକୁ ଢାଙ୍କି ପାରିବ)ର ଦରକାର ପଡିଥାଏ। ସମୁଦ୍ରର କୌଣସି ଅନ୍ୟ ସ୍ଥାନକୁ ଯିବା ସମୟରେ ସୁଇମ୍ ସୁଟ୍ର ଉପର କଭର-ଅପ୍ କିମ୍ବା ଢିଲା ପୋଷାକ ମହିଳାଙ୍କ ପାଇଁ ଜରୁରୀ।’ ପୁରୁଷମାନଙ୍କୁ ସାର୍ଟ ପିନ୍ଧିବା ବାଧ୍ୟତାମୂଳକ, ଯେଉଁଥିରେ କୁହାଯାଇଛି ଯେ "ପହଁରା ସ୍ଥାନ, ହୋଟେଲ ଲବି ଏବଂ ଖାଇବା ପିଇବା ସ୍ଥାନଗୁଡ଼ିକରେ ଟପଲେସ୍ ପୋଷାକ ପିନ୍ଧିବା ଅନୁଚିତ। ବିଚ୍ ଏବଂ ସୁଇମିଂ ପୁଲ୍ ବାହାରେ ସାର୍ବଜନୀନ ସ୍ଥାନରେ, କାନ୍ଧ ଏବଂ ଆଣ୍ଠୁକୁ ଘୋଡ଼ାଇ ରଖି ଢିଲା ପୋଷାକ ପିନ୍ଧିବା ଭଲ; ଟ୍ରାନ୍ସପରେଣ୍ କିମ୍ବା ଅତ୍ୟଧିକ ଟାଇଟ୍ ପୋଷାକ ପିନ୍ଧିବା ଅନୁଚିତ। ତେବେ ଅନ୍ତର୍ଜାତୀୟ ରିସର୍ଟ ଏବଂ ପ୍ରିମିୟମ୍ ହୋଟେଲ, ଘରୋଇ ବେଳାଭୂମି ଏବଂ ସୁଇମିଂ ପୁଲରେ ଓ୍ବେଷ୍ଟର୍ଣ୍ଣ ସୁଇମ୍ ସୁଟ୍ ପିନ୍ଧିବାକୁ ଅନୁମତି ଦିଆଯିବ ବୋଲି ମନ୍ତ୍ରଣାଳୟ କହିଛି।