ଚେନ୍ନାଇ, ୨୬/୦୨: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପର ସୁପର-୮ ରାଉଣ୍ଡ୍‌ରେ ସନ୍ଧ୍ୟାରେ ଭାରତ - ଜିମ୍ବାୱେକୁ ଭେଟିବ । ଚିପକ ଷ୍ଟାଡ଼ିୟମ୍‌ରେ ଏହି ମ୍ୟାଚ ଖେଳାଯିବ । ଉଭୟ ଦଳ ସୁପର-୮ ରାଉଣ୍ଡ୍‌ରେ ଗୋଟିଏ ଲେଖାଏଁ ମ୍ୟାଚ ପରାଜିତ ହୋଇ ସାରିଛନ୍ତି । ଆଉ ଗୋଟିଏ ପରାଜୟ ବିଦାୟ ଦ୍ୱାର ଖୋଲି ଦେବ । ଉଭୟ ଦଳ ବର୍ତ୍ତମାନ ‘କର ବା ମର’ ପରିସ୍ଥିତି ଦେଇ ଗତି କରୁଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

କାଗଜ କଲମରେ ଭାରତ ବେଶ ଶକ୍ତିଶାଳୀ । କିନ୍ତୁ ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ପରାଜୟ ପରେ ଜିମ୍ବାୱେ ବିପକ୍ଷ ମ୍ୟାଚକୁ ନେଇ ପୂର୍ବାନୁମାନ କରିବା ମଧ୍ୟ କଷ୍ଟକର ହୋଇ ପଡ଼ିଛି । ଜିମ୍ବାୱେ ନିକଟରେ ଭାରତକୁ ହରାଇବା ଭଳି ଦକ୍ଷତା ରହିଛି । କେବଳ ଅଭିଜ୍ଞତା ଓ ମନୋବଳ ଭାରତକୁ ଆଗରେ ରଖିଛି । କାରଣ ଭାରତ ଘରୋଇ ଗ୍ରାଉଣ୍ଡ୍ ଓ ସମର୍ଥକଙ୍କ ଗହଣରେ ଏହି ମ୍ୟାଚ ଖେଳିବ ।

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଉଭୟ ଦଳ ଥରେ ମାତ୍ର ପରସ୍ପରକୁ ଭେଟିଛନ୍ତି । ୨୦୨୨ ବିଶ୍ୱକପ୍‌ରେ ମେଲବର୍ଣ୍ଣ ଗ୍ରାଉଣ୍ଡ୍‌ରେ ଉଭୟ ଦଳ ସାମ୍ନା ସାମ୍ନି ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ଏହି ମ୍ୟାଚରେ ୨୫ଟି ବଲରୁ ୬୧ ରନ ସଂଗ୍ରହ କରିଥିଲେ । ଭାରତ ଉକ୍ତ ମ୍ୟାଚକୁ ୭୧ ରନ୍‌ରେ ଜିତିଥିଲା । ୨୦୦୨ ପରଠୁ ଜିମ୍ବାୱେ ଦଳ ଭାରତୀୟ ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆକୁ ଭେଟିନାହିଁ । ଟି-ଟ୍ୱେଣ୍ଟିରେ ଉଭୟ ଦଳ ପରସ୍ପରକୁ ୧୦ଥର ଭେଟିଛନ୍ତି ଓ ଏଥିରୁ ଭାରତ ୯ଟି ମ୍ୟାଚ ଜିତିଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ପରାଜୟ ପରେ ଚୂଡ଼ାନ୍ତ ଏକାଦଶକୁ ନେଇ ଅନେକ ଆଲୋଚନା ହୋଇଛି । ବିଶେଷ କରି ସଞ୍ଜୁ ସାମସନଙ୍କୁ ଏକାଦଶରେ ସାମିଲ କରିବାର ଆବଶ୍ୟକତା ରହିଥିବା ଅନେକ ମତ ଦେବା ପରେ  ପରିବର୍ତ୍ତନର ସମ୍ଭାବନା ରହିଛି । ଦଳର ଅନ୍ୟତମ ସଦସ୍ୟ ରିଙ୍କୁ ସିଂହ ବ୍ୟକ୍ତିଗତ କାରଣରୁ ନିଜ ଘରକୁ ଫେରି ଯାଇଥିଲେ । ସେ  ଦଳରେ ଯୋଗ ଦେଇଥିଲେ ହେଁ ଆବଶ୍ୟକ ମୁତାବକ ଅଭ୍ୟାସ କରିପାରି ନାହାନ୍ତି । ସେ ମଧ୍ୟ ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଛନ୍ତି । ତେଣୁ ତାଙ୍କୁ ଏକାଦଶରୁ ବାଦ ଦିଆଯାଇ ସଞ୍ଜୁଙ୍କୁ ସାମିଲ କରାଯାଇପାରେ । ଏହା ସମ୍ଭବ ହେଲେ ବ୍ୟାଟିଂ କ୍ରମରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ ।

ଉପ ଅଧିନାୟକ ଅକ୍ଷର ପଟେଲଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରୁ ବାଦ ଦେବା ବଡ଼ ତ୍ରୁଟି ଥିବା ପ୍ରମାଣିତ ହୋଇଥିଲା । ଆଜି ସେ ମଧ୍ୟ ୱାସିଂଟନ ସୁନ୍ଦରଙ୍କ ବଦଳରେ ଏକାଦଶକୁ ଫେରିବେ । ମହମ୍ମଦ ସିରାଜଙ୍କୁ ଏକାଦଶରେ ସାମିଲ କରିବା ଉପରେ ମଧ୍ୟ ଭାରତ ଚିନ୍ତା କରିବା ବେଶ୍ ଜରୁରି । ସେ ୟୁଏସଏ ବିପକ୍ଷ ମ୍ୟାଚରେ ୩ଟି ୱିକେଟ୍ ନେବା ପରଠୁ ଆଉ ଖେଳିବାକୁ ସୁଯୋଗ ପାଇ ନାହାନ୍ତି । ଚିପକ ଷ୍ଟାଡ଼ିୟମ୍‌ର ପିଚ୍ କୁଲଦୀପ ଯାଦବଙ୍କ ବୋଲିଂ ପାଇଁ ଅନୁକୂଳ ରହିବ । ତେଣୁ ତାଙ୍କୁ ସୁଯୋଗ ମିଳିପାରେ ।

ଅଧିକ ପଢ଼ନ୍ତୁ :- ଟି-ଟ୍ୱେଣ୍ଟି ବିଶ୍ୱକପର ସୁପର-୮: ଦକ୍ଷିଣ ଆଫ୍ରିକା - ୱେଷ୍ଟ ଇଣ୍ଡିଜ ମଧ୍ୟରେ ସେମି ଟିକେଟ ପାଇଁ ଲଢ଼େଇ

ଆଜି ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜା ୧୫ ରନ କଲେ ପ୍ରଥମ ଜିମ୍ବାୱେ ଖେଳାଳି ଭାବେ ଟି-ଟ୍ୱେଣ୍ଟିରେ ୩୦୦୦ ରନ ପୂରଣ କରିବେ । ଖାଲି ସେତିକି ନୁହେଁ, ସେ ବିଶ୍ୱର ଦ୍ୱିତୀୟ ଅଲ୍ରାଉଣ୍ଡର ଭାବେ ଟି-ଟ୍ୱେଣ୍ଟିରେ ୩୦୦୦ ରନ ଓ ୧୦୦ ୱିକେଟ୍ କ୍ଲବରେ ସାମିଲ ହେବେ । ଏହି ମ୍ୟାଚ ପାଇଁ କଳା ମାଟିରେ ଏକ ପିଚପ୍ରସ୍ତୁତ କରାଯାଇଛି । ତେଣୁ ପିଚରୁ ବ୍ୟାଟରମାନେ ଭରପୁର ଫାଇଦା ଉଠାଇ ପାରିବେ । ସ୍ପିନରମାନେ ମଧ୍ୟ ପ୍ରଥମାର୍ଦ୍ଧରେ ସଫଳ ହେବେ । ଫ୍ଲଡ ଲାଇଟରେ ମ୍ୟାଚ ଖେଳା ଯାଉଥିବାରୁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଏକାଦଶ 

ଭାରତ: ଅଭିଷେକ ଶର୍ମା,ସଞ୍ଜୁ ସାମସନ, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ତିଳକ ବର୍ମା/ରିଙ୍କୁ ସିଂହ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ ।

ଜିମ୍ବାୱେ: ତଡ଼ିୱାନାସେ ମାରୁମାନି, ବ୍ରାଏନ ବେନେଟ, ଡିୟନ ମାୟର୍ସ, ର୍ୟାନ ବ୍ରଲ, ସିକନ୍ଦର ରାଜା(ଅଧିନାୟକ), ଟୋନି ମୁୟୋଙ୍ଗା, ତସିଙ୍ଗା ମୁସେକିୱା, ବ୍ରାଡ ଇଭାନ୍ସ, ଗ୍ରାଏମ କ୍ରିମର, ବ୍ଲେସିଂ ମୁଜରବାନି, ରିଚାର୍ଡ ନଗରଭା ।