କଲମ୍ବୋ,୨୭/୦୨: ଟି-ଟ୍ୱେଣ୍ଟି ବିଶ୍ୱକପର ସୁପର-୮ ରାଉଣ୍ଡରେ ଆଜି ଗ୍ରୁପ୍-୨ରୁ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ । ଇଂଲଣ୍ଡ ସେମି ଫାଇନାଲ୍ରେ ପ୍ରବେଶ କରିସାରିଛି । ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଏହି ମ୍ୟାଚ ଉପରେ ପାକିସ୍ତାନର ଭାଗ୍ୟ ମଧ୍ୟ ନିର୍ଭର କରୁଛି ।
ସୁପର-୮ ରାଉଣ୍ଡରେ ଇଂଲଣ୍ଡ କ୍ରମାନ୍ୱୟରେ ଶ୍ରୀଲଙ୍କା ଓ ପାକିସ୍ତାନକୁ ହରାଇ ସେମିରେ ସ୍ଥାନ ପକ୍କା କରିଥିଲା । ନ୍ୟୁଜିଲାଣ୍ଡ ଏକ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରିଥିବା ବେଳେ ପାକିସ୍ତାନ ବିପକ୍ଷ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇ ଯିବାରୁ ୧ ପଏଣ୍ଟ ସହ ମୋଟ୍ ୩ ପଏଣ୍ଟ ଅର୍ଜନ କରିଛି । ଆଜି ଇଂଲଣ୍ଡକୁ ହରାଇଲେ ନ୍ୟୁଜିଲାଣ୍ଡ ସେମିରେ ପ୍ରବେଶ କରିବ। ପାକିସ୍ତାନର ଆଶା ମଉଳି ଯିବ । ନ୍ୟୁଜିଲାଣ୍ଡ ପରାଜିତ ହେଲେ ପାକିସ୍ତାନ ଅନ୍ତିମ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ସେମିରେ ପ୍ରବେଶ କରିବାକୁ ପ୍ରୟାସ କରିବ ।
ଇଂଲଣ୍ଡ ଲିଗ୍ ରାଉଣ୍ଡ୍ରେ ସଂଘର୍ଷ କରିଥିଲେ ହେଁ ସୁପର-୮ ରାଉଣ୍ଡ୍ରେ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିଛି । ପାକିସ୍ତାନ ବିପକ୍ଷରେ ଅଧିନାୟକ ହ୍ୟାରୀ ବ୍ରୁକ ଶତକୀୟ ପାଳି ଖେଳି ଦଳକୁ ଜିତାଇଥିଲେ । ଶ୍ରୀଲଙ୍କା ବିପକ୍ଷରେ ସ୍ପିନରମାନେ ବିଜୟର ନାୟକ ସାଜିଥିଲେ । କେବଳ ଓପନରଙ୍କ ପ୍ରଦର୍ଶନକୁ ନେଇ ଦଳ ସାମାନ୍ୟ ଚିନ୍ତାରେ ରହିଛନ୍ତି । ଜୋସ ବଟଲରଙ୍କ ବ୍ୟାଟ୍ ଏପର୍ଯ୍ୟନ୍ତ ଚୁପ୍ ରହିଛି ।
ଅଧିକ ପଢ଼ନ୍ତୁ :- ଜିମ୍ବାଓ୍ବେକୁ ୭୨ ରନରେ ହରାଇଲା ଟିମ୍ ଇଣ୍ଡିଆ
ନ୍ୟୁଜିଲାଣ୍ଡ ମଧ୍ୟ ଚମତ୍କାର ପ୍ରଦର୍ଶନ କରୁଛି । ମାତ୍ର ଟପ ଅର୍ଡର ବ୍ୟାଟର ବଡ଼ ଭାଗିଦାରୀ ଗଠନ କରିବାରେ ବିଫଳ ହୋଇଛନ୍ତି । ବିଶେଷ କରି ସ୍ପିନରଙ୍କ ବିପକ୍ଷରେ ଟିମ ସାଇଫର୍ଟ ଓ ଫିନ ଆଲେନ ବିଫଳ ହେଉଛନ୍ତି । ଆଜି ଇଂଲଣ୍ଡକୁ ଭେଟିବା ପୂର୍ବରୁ ନ୍ୟୁଜିଲାଣ୍ଡ ଏହି ସବୁ ତ୍ରୁଟି ସୁଧାରିବ ।
ପୂର୍ବ ରେକର୍ଡକୁ ଦେଖିଲେ ଇଂଲଣ୍ଡର ପଲା ଭାରି ରହିବ । ଉଭୟ ଦଳ ୨୭ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି । ଏଥିରୁ ଇଂଲଣ୍ଡ ୧୭ଟି ମ୍ୟାଚ ଜିତିଛି । ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ମଧ୍ୟ ଉଭୟ ୭ଥର ସାମ୍ନା ସାମ୍ନି ହୋଇଛନ୍ତି । ଏଥିରୁ ଇଂଲଣ୍ଡ ୪ଟି ମ୍ୟାଚରେ ବିଜୟ ହାସଲ କରିଛି ।
ପ୍ରେମଦାସା ଷ୍ଟାଡ଼ିୟମ୍ର ପିଚ୍ ସ୍ପିନରଙ୍କୁ ଭରପୁର ସହାୟତା କରୁଛି । ତେଣୁ ଉଭୟ ଦଳ ସ୍ପିନରଙ୍କୁ ଗୁରୁତ୍ୱ ଦେବେ । ରାତ୍ରିରେ ମ୍ୟାଚ ରହିଥିଲେ ହେଁ କାକର ପ୍ରଭାବ ନଥିବାରୁ ଟସ ଗୁରୁତ୍ୱ ରଖିବ ନାହିଁ ।
ସମ୍ଭାବ୍ୟ ଦଳ
ଇଂଲଣ୍ଡ: ଫିଲ ସଲ୍ଟ, ଜୋସ ବଟଲର, ହ୍ୟାରୀ ବ୍ରୁକ୍(ଅଧିନାୟକ), ଜାକବ ବେଥେଲ, ଟମ ବାଣ୍ଟନ, ସାମ କୁରାନ, ୱିଲ ଜ୍ୟାକ୍ସ, ଜାମି ଓଭରଟନ, ଲାଏମ ଡାଓସନ, ଜୋଫ୍ରା ଆର୍ଚର, ଆଦିଲ ରସିଦ ।
ନ୍ୟୁଜିଲାଣ୍ଡ: ଟିମ ସାଇଫର୍ଟ, ଫିନ ଆଲେନ, ରଚିନ ରବିନ୍ଦ୍ର, ଗ୍ଲେନ ଫିଲିପ୍ସ, ଡାରିଲ ମିଚେଲ, ମାର୍କ ଚାପମାନ, ମିଚେଲ ସାଣ୍ଟନର(ଅଧିନାୟକ), କୋଲ ମ୍ୟାକକୋଞ୍ଚି, ମାଟ ହେନରୀ, ଆଇସ ସୋଦ୍ଧି, ଲୋକି ଫର୍ଗୁସନ ।