ଦୁବାଇ,୩୧/୦୧: ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍କୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ରହିଲା । ଆଇସିସି ପକ୍ଷରୁ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଗୁଡ଼ିକ ପାଇଁ ମ୍ୟାଚ୍ ଅଫିସିଆଲ୍ ତାଲିକା ଘୋଷଣା ହୋଇଛି । ଏହି ତାଲିକାରେ ଭାରତରୁ ୪ଜଣ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଜାଭଗଲ ଶ୍ରୀନାଥ (ମ୍ୟାଚ୍ ରେଫରୀ), ନୀତିନ ମେନନ, ଜୟରାମ ମଦନଗୋପାଳ ଓ କେଏନ୍ଏ ପଦ୍ମନାଭନ (ଅମ୍ପାୟାର) । ଏଥର ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ବିଶ୍ୱକପ୍ ଆୟୋଜନ କରୁଛନ୍ତି । ଆଗାମୀ ଫେବ୍ରୁଆରୀ ୭ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହେବ ।
ବିଶ୍ୱକପ୍ର ବହୁ ପ୍ରତିକ୍ଷୀତ ଭାରତ-ପାକିସ୍ତାନ ମ୍ୟାଚ୍ (ଫେବ୍ରୁଆରୀ ୧୫, କଲମ୍ବୋ) ପାଇଁ ଦୁଇ ଅଭିଜ୍ଞ ଅମ୍ପାୟାର ରିଚାର୍ଡ ଇଲିଂୱର୍ଥ ଓ କୁମାର ଧର୍ମସେନାଙ୍କୁ ପଡ଼ିଆ ଅମ୍ପାୟାର ନିଯୁକ୍ତ କରାଯାଇଛି । ଭାରତୀୟ ଅମ୍ପାୟାର ମେନନ ଚତୁର୍ଥ ଥର ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଅମ୍ପାୟାରିଂ କରିବାକୁ ଯାଉଥିବାବେଳେ ପଦ୍ମନାଭନ ପଦାର୍ପଣ କରିବେ । ବିଶ୍ୱକପ୍ରେ ସୁପର-୮ ଓ ନକ୍ଆଉଟ୍ ମୁକାବିଲା ପାଇଁ ପରବର୍ତ୍ତୀ ସମୟରେ ମ୍ୟାଚ୍ ଅଫିସିଆଲ୍ ତାଲିକା ଘୋଷଣା କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ମ୍ୟାଚ୍ ରେଫରୀ: ଡିନ୍ କସ୍କର, ଡେଭିଡ୍ ଗିଲବର୍ଟ, ରଞ୍ଜନ ମଦୁଗଲେ, ଆଣ୍ଡ୍ରୁ ପାଏକ୍ରଫ୍ଟ, ରିଚି ରିଚାର୍ଡସନ, ଜାଭଗଲ ଶ୍ରୀନାଥ ।
ଅମ୍ପାୟାର: ରୋଲାଣ୍ଡ ବ୍ଲାକ, କ୍ରିସ୍ ବ୍ରାଉନ, କୁମାର ଧର୍ମସେନା, କ୍ରିସ୍ ଗାଫାନି, ଆଡ୍ରିୟାନ ହୋଲ୍ଡଷ୍ଟକ, ରିଚାର୍ଡ ଇଲିଂୱର୍ଥ, ରିଚାର୍ଡ଼ କେଟିଲବର୍ଗ, ୱେନ ନାଇଟ୍ସ, ଡୋନୋଭାନ୍ କୋଚ୍, ଜୟରାମ ମଦନଗୋପାଳ, ନୀତିନ ମେନନ, ସାମ୍ ନୋଗସ୍କି, କେଏନ୍ଏ ପଦ୍ମନାଭନ, ଆଲ୍ଲାହୁଦ୍ଦିନ ପାଲେକର, ଏହସାନ ରାଜା, ଲେସଲି ରାଇଫର, ପଲ୍ ରିଫିଲ, ଲାଙ୍ଗଟନ ରୁସେରେ, ସର୍ଫୁଦୌଲ୍ଲା ଇବିନ ସାହିଦ, ଗାଜି ସୋହେଲ, ରଡ ଟକର, ଆଲେକ୍ସ ୱାର୍ଫ, ରବୀନ୍ଦ୍ର ବିମଳସିରି, ଅସିଫ୍ ୟାକୁବ ।