ଅହମ୍ମଦାବାଦ,୦୯/୦୨: ଟାଇଟଲ୍ ଦାବିଦାର କୁହାଯାଉଥିବା ଦକ୍ଷିଣ ଆଫ୍ରିକା ଆଜି କାନାଡ଼ା ବିପକ୍ଷରେ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ଗ୍ରୁପ୍-ଡି’ର ଏହି ମ୍ୟାଚ୍ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରାତି ୭ଟାରୁ ଆରମ୍ଭ ହେବ । ଗତ ସଂସ୍କରଣରେ ଦକ୍ଷିଣ ଆଫ୍ରିକା ଫାଇନାଲ୍ରେ ଭାରତଠୁ ହାରି ଟାଇଟଲ ସ୍ୱପ୍ନ ଧୂଳିସାତ୍ କରିଥିଲା । ଏଥର ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ । କାନାଡ଼ା ମଧ୍ୟ ଦକ୍ଷିଣ ଆଫ୍ରିକାକୁ କଡ଼ା ଟକ୍କର ଦେବାକୁ ଲକ୍ଷ୍ୟ ରଖିଛି ।
ଦକ୍ଷିଣ ଆଫ୍ରିକା ଏକ ଶକ୍ତିଶାଳୀ ଦଳ ନେଇ ଭାରତ ଗସ୍ତରେ ଆସିଛି । ଗତ ୪ ତାରିଖରେ ଦଳ ଭାରତ ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ୩୦ ରନ୍ରେ ପରାଜିତ ହୋଇଥିଲା । ଇତିମଧ୍ୟରେ ଦଳ ସବୁ ତ୍ରୁଟି ସୁଧାରି ନେଇଛି । କାନାଡ଼ା ତୁଳନାରେ ଦକ୍ଷିଣ ଆଫ୍ରିକା ସବୁ ବିଭାଗରେ ଦୃଢ଼ ରହିଛି । ଚୂଡ଼ାନ୍ତ ଏକାଦଶରେ ୬ନଂ ସ୍ଥାନକୁ ନେଇ ଟ୍ରିଷ୍ଟନ ଷ୍ଟବ୍ସ ଓ ଜାସନ ସ୍ମିଥ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ବାକି ସ୍ଥାନ ଚୂଡ଼ାନ୍ତ ହୋଇସାରିଛି । ପେସ୍ ବୋଲର ଆନରିଜ ନର୍ଜ, କାଗିସୋ ରାବାଡ଼ା ଓ ଲୁଙ୍ଗି ଏନ୍ଗିଡ଼ି କାନାଡ଼ା ବ୍ୟାଟରଙ୍କ ପାଇଁ ଦୁଃସ୍ୱପ୍ନ ପାଲଟି ପାରନ୍ତି ।
ଆହୁରି ପଢ଼ନ୍ତୁ :- ଟି-ଟ୍ୱେଣ୍ଟି ବିଶ୍ୱକପ; ପରାଜୟରୁ ଅଳ୍ପକେ ବର୍ତ୍ତିଲା ଇଂଲଣ୍ଡ, ମ୍ୟାଚ୍ ହାରି ବି ହୃଦୟ ଜିତିଲା ନେପାଳ
କାନାଡ଼ା ପ୍ରଥମ ଥର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-ଟ୍ୱେଣ୍ଟି ଖେଳିବାକୁ ଯାଉଛି । ଦିଲପ୍ରୀତ ବାଜୱାଙ୍କ ନେତୃତ୍ୱାଧିନ ଦଳରେ ବହୁ ପ୍ରତିଭାବାନ ଖେଳାଳି ରହିଛନ୍ତି । ଯେଉଁମାନଙ୍କ ନିକଟରେ ବିପର୍ଯ୍ୟୟ ଘଟାଇବାର କ୍ଷମତା ରହିଛି ।
ଅହମ୍ମଦାବାଦ ପିଚ୍ ବ୍ୟାଟରଙ୍କୁ ସହାୟତା କରୁଛି । ଏଠାରେ ପ୍ରଥମ ଇନିଂସ୍ ଆଭରେଜ ସ୍କୋର ୧୮୯ରନ୍ ରହିଛି । ଆଜି ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।
ସମ୍ଭାବ୍ୟ ଏକାଦଶ
ଦ.ଆଫ୍ରିକା ଦଳ: କ୍ୱିଣ୍ଟନ ଡି’କକ୍, ଆଡେନ ମାରକ୍ରମ (ଅଧିନାୟକ), ର୍ୟାନ୍ ରିକେଲଟନ, ଡିୱାଲ୍ଡ ବ୍ରେଭିସ୍, ଡେଭିଡ୍ ମିଲର, ଟ୍ରିଷ୍ଟନ ଷ୍ଟବ୍ସ/ଜାସନ ସ୍ମିଥ୍, ମାର୍କୋ ଜାନସେନ, କେଶବ ମହାରାଜ, କାଗିସୋ ରାବାଡ଼ା, ଆନରିଜ ନର୍ଜ, ଲୁଙ୍ଗି ଏନ୍ଗିଡ଼ି ।
କାନାଡ଼ା ଦଳ: ଦିଲପ୍ରୀତ ବାଜୱା (ଅଧିନାୟକ), ଯୁବରାଜ ଶର୍ମା, ନବନୀତ ଧଲିୱାଲ, ନିକୋଲାସ୍ କିର୍ଟନ, ଶ୍ରେୟାସ ମୋଭା, କନୱରପାଲ ତତ୍ଗୁର, ଯଶକରଣ ସିଂହ, ସାଦ ବିନ୍ ଜାଫର, ଶିବମ ଶର୍ମା, ଡାୟଲନ ହେଲିଗର, କଲିମ ସାନା ।