ଅହମ୍ମଦାବାଦ, ୨୨/୦୨: ଆଜି ଟି-ଟ୍ୱେଣ୍ଟି ବିଶ୍ୱକପର ସୁପର-୮ ରାଉଣ୍ଡ୍‌ରେ ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଟକ୍କର । ଉଭୟ ଦଳ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ୍‌ରେ ଜୋରଦାର ପ୍ରସ୍ତୁତି କରିଛନ୍ତି । ଏହି ମ୍ୟାଚକୁ କ୍ରିକେଟ୍ ପ୍ରେମୀ ଉତ୍ସୁକତାର ସହ ଅପେକ୍ଷା କରିଥିବାରୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ନିକଟ ଅତୀତରେ କେବଳ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଭାରତ ମାଟିରେ ସୂର୍ଯ୍ୟକୁମାର ଯାଦବଙ୍କ ଦଳକୁ ପରାଜିତ କରିଛନ୍ତି । ତେଣୁ ଏହି ମ୍ୟାଚର ଉତ୍ସାହ ଶିଖର ଛୁଇଁଛି ।

୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲ୍‌ରେ ମଧ୍ୟ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ଦକ୍ଷିଣ ଆଫ୍ରିକା ଉକ୍ତ ମ୍ୟାଚ ହାରିଥିଲେ ହେଁ ଭାରତକୁ କଡ଼ା ଟକ୍କର ଦେଇଥିଲା । ତେଣୁ ଏଥର ପ୍ରତିଶୋଧ ନେବା ପାଇଁ ଦକ୍ଷିଣ ଆଫ୍ରିକା ଜୋରଦାର ପ୍ରୟାସ କରିବ । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଉଭୟ ଦଳ ପରସ୍ପରକୁ ୭ଥର ଭେଟିଛନ୍ତି । ଏଥିରୁ ଭାରତ ୫ଟି ମ୍ୟାଚ ଜିତିଥିବାବେଳେ ଦକ୍ଷିଣ ଆଫ୍ରିକା ୨ଟି ମ୍ୟାଚରେ ବିଜୟୀ ହୋଇଛି । ଲିଗ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଏହି ଗ୍ରାଉଣ୍ଡ୍‌ରେ ୩ଟି ମ୍ୟାଚ୍ ଖେଳି ଜଳବାୟୁ ଓ ପିଚ୍ ସହ ଖାପ ଖୁଆଇ ସାରିଛି ।

ଇଶାନ କିଷନ ସମ୍ପ୍ରତି ଅନ୍ୟ ସବୁ ଦଳର ନିଦ ହଜାଇ ଦେଇଥିଲେ ହେଁ  ଆଜି ଅଭିଷେକ ଶର୍ମାଙ୍କ ଉପରେ ନଜର ରହିବ । ୩ଟି ମ୍ୟାଚରେ ଖାତା ଖୋଲିପାରି ନଥିବା ଅଭିଷେକ ଶନିବାର ନେଟ୍ସରେ ବିଶାଳ ସଟ୍ମାନ  ଖେଳି ଫର୍ମ ଫେରି ପାଇଥିବା ଦେଖିବାକୁ ମିଳିଥିଲା । ଅଭିଷେକଙ୍କୁ ବିଶ୍ରାମ ଦେଇ ସଞ୍ଜୁ ସାମସନଙ୍କୁ ଏକାଦଶରେ ସାମିଲ କରିବାକୁ ଅନେକ ପୂର୍ବତନ କ୍ରିକେଟ୍ ଖେଳାଳି ମତ ଦେଉଥିଲେ ହେଁ ଭାରତ ଓପନିଂ ବିଭାଗ ପରିବର୍ତ୍ତନ କରିବାକୁ ଚାହୁଁ ନଥିବା  ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରି ଦେଇଛନ୍ତି । ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ ମାରକ୍ରମ ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି ।

ଆହୁରି ପଢ଼ନ୍ତୁ :- ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚରେ ବର୍ଷା ସାଜିଲା ବାଧକ, ମ୍ୟାଚ୍ ନଖେଳି ପାଇଲେ ୧ ପଏଣ୍ଟ

ଆଜି ତାଙ୍କ ବୋଲିଂ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ । କାରଣ ଭାରତର ବ୍ୟାଟିଂ ବିଭାଗରେ ୫ଜଣ ବାମ ହାତି ବ୍ୟାଟର ରହିଛନ୍ତି । ଦକ୍ଷିଣ ଆଫ୍ରିକା ଏକାଦଶରେ ଏକମାତ୍ର ସ୍ପିନର ଭାବେ କେଶବ ମହାରାଜ ରହିଛନ୍ତି ଓ ସେ ବାମ ହାତି ବୋଲର । ତେଣୁ ଜଣେ ଡାହାଣ ହାତି ଅଫ ସ୍ପିନରଙ୍କ ଆବଶ୍ୟକତା ପଡ଼ିପାରେ ।

ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ତେଣୁ ବିଶାଳ ସ୍କୋର ଏକ ପ୍ରକାର ନିଶ୍ଚିତ । କାକର ପ୍ରଭାବ ଯୋଗୁଁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ ।

ସମ୍ଭାବ୍ୟ ଏକାଦଶ

ଭାରତ: ଅଭିଷେକ ଶର୍ମା, ଇଶାନ କିଷନ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂହ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ ।

ଦକ୍ଷିଣ ଆଫ୍ରିକା: ଆଡେନ ମାରକ୍ରମ (ଅଧିନାୟକ), କ୍ୱିଣ୍ଟନ ଡି କକ୍, ର୍ୟାନ ରିକେଲଟନ, ଡିୱାଲ୍ଡ ବ୍ରେଭିସ, ଟ୍ରିଷ୍ଟନ ଷ୍ଟବ୍ସ, ଡେଭିଡ୍ ମିଲର, ମାର୍କୋ ଜାନସେନ, କର୍ବିନ ବସ୍କ, କେଶବ ମହାରାଜ, କାଗିସୋ ରାବାଡା/ଆନରିଚ ନର୍ଜ, ଲୁଙ୍ଗି ଏନଗିଡ଼ି ।