ନୂଆଦିଲ୍ଲୀ : ବହୁତ ହୋଇଗଲା ରକ୍ତପାତ... ଏବେ ଅଫିସର ହେବେ ତାଲିବାନ ଯୋଦ୍ଧା। ବନ୍ଧୁକ ଛାଡ଼ି ଧରିଛନ୍ତି କଲମ। ପ୍ରଶାସନିକ ତାଲିମ୍ ଦେଉଛନ୍ତି ତାଲିବାନ ସରକାର। ବୃତ୍ତିଗତ ଓ ବ୍ୟବସାୟିକ ଶିକ୍ଷା ଗ୍ରହଣ କରୁଛନ୍ତି ବନ୍ଧୁକଧାରୀ ଯୋଦ୍ଧା। ଆଫଗାନିସ୍ତାନର ପ୍ରଯୁକ୍ତିବିଦ୍ୟା ଏବଂ ବ୍ୟବସାୟିକ ଶିକ୍ଷା ପ୍ରାଧିକରଣର ଉପ-ପ୍ରମୁଖ ଫଜଲ-ଉର-ରହମାନ ଫଜଲଙ୍କ ବଡ଼ ସୂଚନା। ଦେଶର ବିଭିନ୍ନ ଶୈକ୍ଷିକ କେନ୍ଦ୍ରରେ ଶିକ୍ଷା ପ୍ରାପ୍ତ କରୁଛନ୍ତି ଇସ୍‌ଲାମିକ ଏମିରେଟ୍ସର ୪୦ ହଜାର ସଦସ୍ୟ।  

ଗଜନୀ ପ୍ରାନ୍ତରେ ପ୍ରଶାସନ ଓ ପରିଚାଳନାରେ ଦୁଇବର୍ଷର ପାଠ୍ୟକ୍ରମ ଶେଷ କରୁଥିବା ଇସ୍‌ଲାମିକ ଏମିରେଟ୍ସର ସଦସ୍ୟଙ୍କ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିନ ହୋଇଥିଲା। ସ୍ନାତକ ଡିଗ୍ରୀ ହାସଲ କରିଥିବା ତାଲିବାନ ଯୋଦ୍ଧାଙ୍କ ସମ୍ମାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ବର୍ତ୍ତମାନ ଦେଶରେ ୩୭୫ ତାଲିମ କେନ୍ଦ୍ରରେ ପ୍ରାୟ ୮୪ ହଜାର ଯୋଦ୍ଧା ବିଭିନ୍ନ ବିଷୟରେ ଅଧ୍ୟୟନ କରୁଛନ୍ତି। ଏହିଭଳି ଭାବେ ଏବେ ଆଫଗାନିସ୍ତାନର ତାଲିବାନ ସରକାର ନିଜର ବନ୍ଧୁକଧାରୀ ଯୋଦ୍ଧାମାନଙ୍କୁ ପ୍ରଶାସନିକ କୌଶଳ, ପରିଚାଳନା ଓ ପ୍ରଯୁକ୍ତିବିଦ୍ୟାର ତାଲିମ ଦେଉଛନ୍ତି। ଯାହାଦ୍ଵାରା ଭବିଷ୍ୟତରେ ଦେଶର ଶାସନ ଭାରରେ ସେମାନଙ୍କର ଯୋଗଦାନ ରହିବ ବୋଲି କହିଛନ୍ତି ଶିକ୍ଷା ପ୍ରାଧିକରଣର ଉପ-ପ୍ରମୁଖ ଫଜଲ। 

ପ୍ରଶାସନିକ ଟ୍ରେନିଂ ନେଉଥିବା ଜଣେ ଗ୍ରାଜୁଏଟ୍ ରହିମୁଲ୍ଲାକ ବଦ୍ରି କହିଛନ୍ତି, ପ୍ରଥମେ ପ୍ରଥମେ ଆମକୁ ସମସ୍ୟା ହେଉଥିଲା। ହେଲେ ଟ୍ରେନିଂ ନେବା ପରେ ୯୫ ପ୍ରତିଶତ ସମସ୍ୟାର ସମାଧାନ ହୋଇଛି। କାରଣ ଆମେ ଏବେ ପରିଚାଳନାଗତ ଏବଂ ପ୍ରଶାସନିକ ଦକ୍ଷତା ହାସଲ କରିଛୁ। ସେହିପରି ଅନ୍ୟ ଜଣେ ଯୋଦ୍ଧା କହିଛନ୍ତି, ପୂର୍ବରୁ ଆଉଟଗୋଇଙ୍ଗ, ଇନକମିଙ୍ଗ ଇଣ୍ଟରନ୍ୟାସନାଲ କମ୍ୟୁନିକେସନ ସମ୍ଭାଳିବାକୁ ଅସୁବିଧା ହେଉଥିଲା। ଏହି ଟ୍ରେନିଂ ପ୍ରୋଗ୍ରାମରେ ସବୁ ସମସ୍ୟାକୁ ନିଜେ ସମ୍ଭାଳିବାକୁ କୌଶଳ ଶିଖାଗଲା। 

ଖାଲି ସେତିକି ନୁହେଁ, ଖୁବ୍‌ଶୀଘ୍ର ୪୧ ସ୍ଥାନରେ ୪,୮୨୦ କଏଦୀଙ୍କୁ ମଧ୍ୟ ପ୍ରଶିକ୍ଷଣର ସୁଯୋଗ ପ୍ରଦାନ କରାଯିବ। ଏଥିରେ ମହିଳା କଏଦୀ ଅଛନ୍ତି। ଆଫଗାନିସ୍ତାନର ୩୪ ପ୍ରାନ୍ତରେ ମହିଳାଙ୍କ ସମେତ ୪,୮୨୦ କଏଦୀଙ୍କୁ ୪୧ ବିଷୟରେ ବୃତ୍ତିଗତ ତାଲିମ ପ୍ରଦାନ କରିବାକୁ ଯୋଜନା କରୁଛନ୍ତି ସରକାର । ଏହାଦ୍ଵାରା ପ୍ରଶାସନିକ ସମସ୍ୟାର ସମାଧାନ ହେବ। ଜନତାଙ୍କୁ ତ୍ଵରିତ ସେବା ମିଳିବ। ଗୋଟିଏ ପଟେ ଆଫଗାନିସ୍ତାନରେ ମହିଳାମାନଙ୍କୁ ଶିକ୍ଷା କ୍ଷେତ୍ରରେ ସେତେଟା ସୁଯୋଗ ମିଳୁନଥିବା ବେଳେ ତାଲିବାନ ସରକାରଙ୍କ ଏହି ପଦକ୍ଷେପ ପରେ ମହିଳାମାନେ ସ୍ଵାବଲମ୍ଵୀ ହୋଇପାରିବେ। ଏହାଦ୍ଵାରା ଆଫଗାନିସ୍ତାନ ପ୍ରତ ସାରା ବିଶ୍ଵର ଦୃଷ୍ଟିକୋଣ ବଦଳିବ ଓ ତାଲିବାନର ମହିଳା ବିରୋଧୀ ମାନସିକତାରେ ପରିବର୍ତ୍ତନ ହେବ।