ଚେନ୍ନାଇ: ତାମିଲନାଡୁର ତିରୁପୁରରେ ବେଆଇନ୍‌ ଭାବରେ ରହୁଥିବା ୩୧ ବାଂଲାଦେଶୀଙ୍କୁ କୋଏମ୍ବାଟୁର ଆତଙ୍କୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଗିରଫ କରିଥିବା ଜଣାପଡ଼ିଛି । ସୂଚନା ପାଇବା ପରେ ଏସପି ଭି. ବଦ୍ରିନାରାୟଣନଙ୍କ ନେତୃତ୍ବରେ ଏଟିଏସ୍‌ ଟିମ୍‌ ସର୍ଚ୍ଚ ଅପରେସନ୍‌ ଚଳାଇଥିଲା । ତିରୁପୁରରେ ବିଭିନ୍ନ ଭଡ଼ା ଘରେ ଟିମ୍‌ ଚଢ଼ାଉ କରିବା ସହ ଯାଞ୍ଚ କରିଥିଲା । ଏଥିରେ ପାଲାଡାମ ଅଞ୍ଚଳରୁ ୨୮ ବାଂଲାଦେଶୀଙ୍କୁ ଏଟିଏସ୍‌ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣଙ୍କୁ ବୀରାପାଣ୍ଡି ଏବଂ ନାଲୁରରୁ ଗିରଫ କରାଯାଇଛି ।

ସେମାନେ ସମସ୍ତେ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ପରିଚୟ ଦେଇ ତିରୁପୁରରେ ଥିବା ଏକ କପଡ଼ା କମ୍ପାନିରେ କାର୍ଯ୍ୟ କରୁଥିଲେ । ଗିରଫ ଅଭିଯୁକ୍ତଙ୍କ ପାଖରୁ ଏଟିଏସ୍‌ ବାଂଲାଦେଶର ପରିଚୟ ପତ୍ର ଏବଂ ନକଲି ଆଧାରକାର୍ଡ ଜବତ କରିଛି । ସେପଟେ ଗିରଫ ସମସ୍ତ ବାଂଲାଦେଶୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ଏବେ ସେମାନଙ୍କୁ ଚେନ୍ନାଇର ପୁଝଲ ସେଣ୍ଟ୍ରାଲ୍‌ ଜେଲରେ ଭର୍ତ୍ତି କରାଯାଇଛି । 

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କେତେକ ଅସାଧୁ ଭାରତୀୟ ଏଜେଣ୍ଟ ବାଂଲାଦେଶରୁ ବେଆଇନ୍‌ ଭାବରେ ଶ୍ରମିକଙ୍କୁ ଆଣି ଏଠାରେ କପଡ଼ା କମ୍ପାନିରେ ଲଗାଉଛନ୍ତି । ଭାରତ ସୀମା ଲଂଘିବା ଲାଗି ବାଂଲାଦେଶୀ ସଂପୃକ୍ତ ଏଜେଣ୍ଟମାନଙ୍କୁ ଟଙ୍କା ମଧ୍ୟ ଦେଉଛନ୍ତି ।   ନକଲି ଆଧାରକାର୍ଡ ସଂଗ୍ରହ କରିବା ପରେ ତିରୁପୁରରେ ଥିବା କମ୍ପାନିରେ ସେମାନେ କାମ କରୁଛନ୍ତି । ବାଂଲାଦେଶ ଅପେକ୍ଷା ଏଠାରେ ସେମାନଙ୍କୁ ଅଧିକ ଦରମା ମିଳୁଛି ।